ସମାଜ ପୋର୍ଟାଲ ଡେସ୍କ : କରୋନା କବଳରେ ରାଷ୍ଟ୍ରପତି ଭବନ । ଭାରତର ସବୁଠୁ ସୁରକ୍ଷିତ ଅଂଚଳ ଭାବେ ଗଣାଯାଉଥିବା ରାଷ୍ଟ୍ରପତି ଭବନରେ କରୋନା ସଂକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସୂଚନାଅନୁସାରେ ରାଷ୍ଟ୍ରପତି ଭବନରେ ନିଜ ପରିବାର ସହିତ ରହୁଥିବା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ପୁରା ରାଷ୍ଟ୍ରପତି ଭବନ ପରିସରରେ କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ବଡ଼ ଚିନ୍ତାର ବିଷୟ ହେଉଛି ଯେଉଁ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେହି ମହିଳାଙ୍କ ସ୍ୱାମୀ ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ଅଣ୍ଡର ସେକ୍ରେଟାରୀ ସ୍ତରର ଜଣେ ଆଇଏଏସ ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରନ୍ତି । ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ସଚିବଙ୍କ ସମେତ ୧୧ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ଏଥି ସହିତ ଏହି ମହିଳାଙ୍କ ସ୍ବାମୀଙ୍କ ସଂସ୍ପର୍ଶରେ ରାଷ୍ଟ୍ରପତି ଭବନ ପରିସରରେ କାର୍ଯ୍ୟରତ ୧୦୦ରୁ ଅଧିକ ସଫେଇ କର୍ମୀ, ମାଳି ଓ ଅନ୍ୟ ଲୋକେ ଆସିଥିବା ଜଣାପଡିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୨୫ ପରିବାରକୁ ସେଲ୍ପ ଆଇସୋଲେସନ ରେ ରହିବାକୁ ନିର୍ଦ୍ଦେଶନାମା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଏହି ସୂଚନା ମିଳିଛି ।



