ଭୁବନେଶ୍ବର (ବ୍ୟୁରୋ): ସବୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କରୋନା ପରୀକ୍ଷା ସୁବିଧା ସହ ଅଧିକ ପରୀକ୍ଷା କିଟ୍ (ଟେଷ୍ଟିଂ କିଟ୍) କିଣିବା ପାଇଁ ସରକାରଙ୍କୁ ସୁପାରିସ କରିଛି ମନ୍ତ୍ରୀସ୍ତରୀୟ କମିଟି । ଏହା ସହ ଏହି ପରୀକ୍ଷାକେନ୍ଦ୍ରଗୁଡ଼ିକର ଆବଶ୍ୟକତା ଅନୁସାରେ ଅଧିକ ଅସ୍ଥାୟୀ କମିଟି ନିଯୁକ୍ତି ପାଇଁ ମଧ୍ୟ ମନ୍ତ୍ରୀମାନେ ପରାମର୍ଶ ଦେଇଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
ବୈଠକ ପରେ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଅଧିକ ବର୍ତମାନ ପରିସ୍ଥିତିରେ ଆବଶ୍ୟକତା ଅନୁସାରେ ଅଧିକ ଆଣ୍ଟିବାୟୋଟିକ୍ ଔଷଧ ଗଚ୍ଛିତ ରଖିବାକୁ ଗୁରୁତ୍ବ ଦିଆଯାଇଛି । ଆଜିଥ୍ରୋମାଇସିନ ପରି ଔଷଧ ସହ ଟେଷ୍ଟିଂ କିଟ୍ କିଣିବାକୁ ବୈଠକରେ ମନ୍ତ୍ରୀମାନେ ଗୁରୁତ୍ବ ଦେଇଛନ୍ତି । ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ କିଭଳି ଅଧିକ ମ୍ୟାନ ପାୱାର ନିୟୋଜିତ ହୋଇପାରିବେ ସେନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଅଙ୍ଗନଓ୍ବାଡି, ଆଶାକର୍ମୀ, ଏଏନଏମ ଓ ଡାକ୍ତରମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ବ ଦିଆଯାଇଛି ବୋଲି ପ୍ରତାପ ଜେନା କହିଛନ୍ତି।
ଗୋଷ୍ଠୀଗତ ପରୀକ୍ଷା ନିମନ୍ତେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଗାମୀ ଦିନରେ ଗୋଷ୍ଠୀଗତ କରୋନା ପରୀକ୍ଷା କରିବା ନିମନ୍ତେ ମନ୍ତ୍ରୀସ୍ତରୀୟ କମିଟି ପ୍ରସ୍ତାବ ଦେଇଛନ୍ତି । ଏହା ସହ ରାଜ୍ୟର ସବୁ ମେଡିକାଲ କଲେଜରେ କିପରି କୋଭିଡ ଟେଷ୍ଟ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଏନଡ଼ିଆରଏଫ୍ ଢାଞ୍ଚାରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ସ୍ଥାପନ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ବିଭିନ୍ନ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ନେଇ ରାଜ୍ୟର ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ୍ଙ୍କୁ କିପରି ତାଲିମ ଦିଆଯିବ ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ଏହି ଅବସରରେ ପ୍ରସ୍ତାବ ରଖାଯାଇଥିବା ସୂଚନା ମିଳିଛି ।




