www.samajalive.in
Tuesday, December 9, 2025
16.1 C
Bhubaneswar

ସୀମା ଟପିଲାଣି ସମବାୟ ବ୍ୟାଙ୍କ ଦୁର୍ନୀତି : ୫ ବର୍ଷରେ ୨୨୧ କୋଟି ଆତ୍ମସାତ୍

ଭୁବନେଶ୍ବର : ରାଜ୍ୟରେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବିକାଶ ପାଇଁ ୧୯୬୨ରେ ଅଣାଯାଇଥିବା ସମବାୟ ଆଇନ ଦିଗହରା ହୋଇ ପଡିଛି। ସମବାୟ ବ୍ୟାଙ୍କର ଦୁର୍ନୀତି ସବୁ ସୀମା ଟପି ଗଲାଣି। ଚାଷୀମାନଙ୍କ ନାମରେ କୃଷ‌ି ପ୍ରାଥମିକ ସମବାୟ ସମିତି ଓ ସମବାୟ ବ୍ୟାଙ୍କରେ କେବଳ ଅର୍ଥ ଆତ୍ମସାତ୍ ହିଁ ପରମ ଧ୍ୟେୟ ହୋଇଛି। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଗତ ୫ ବର୍ଷରେ ୨୨୦.୮୦କୋଟି ଟଙ୍କାର ଅର୍ଥ ଆତ୍ମସାତ ହୋଇଥିବା ଜଣାପଡ଼ିଛି। ଯଦି ସମବାୟ ବିଭାଗ ଅଧୀନ ସବୁ ମଣ୍ଡଳର ଆମୂଳଚୂଳ ସମୀକ୍ଷା କରାଯାଏ ତେବେ ଏହି ଦୁର୍ନୀତି ରାଜ୍ୟର ବଜେଟ ଅଟକଳ ଅର୍ଥକୁ ଟପିଯିବ ବୋଲି ବିଭାଗୀୟ ତଥ୍ୟରୁ ଜଣାଯାଇଛି।
ତଥ୍ୟ ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ ୨୬ଟି ମଣ୍ଡଳରେ ରାଜ୍ୟରେ ୨୨୦.୮୦କୋଟି ଟଙ୍କାର ଅର୍ଥ ଆତ୍ମସାତ୍ ଓ ଅନିୟମିତତା ହୋଇଛି। ଏହି ଅନାଦାୟ ଅର୍ଥ ଅସୁଲି ପାଇଁ କେତେକ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଦାୟିତ୍ବ ଧାର୍ଯ୍ୟ କରାଯାଇଛି। ଯଦି ରାଜ୍ୟର ସବୁ ମଣ୍ଡଳକୁ ହିସାବକୁ ନିଆଯିବ ତେବେ ଏହାର ହିସାବ କଳି ହେବ ନାହିଁ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଏତେ ବିପୁଳ ଟଙ୍କାର ଦୁର୍ନୀତି ମଣ୍ଡଳସ୍ତରରେ ହୋଇଥିଲେ ହେଁ ସଂପୃକ୍ତ ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ ସେଭଳି କୌଣସି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହୋଇନାହିଁ। ମାତ୍ର ୨ଟି ମଣ୍ଡଳକୁ ଛାଡିଦେଲେ ଅନ୍ୟ ୨୪ଟି ମଣ୍ଡଳରେ ଏହି ଦୁର୍ନୀତି ସବୁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଶୁଣାଣି ଭିତରେ ରହିଛି।
ରାଜ୍ୟ ସରକାର ଏକବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ‘ମୋ-ସରକାର’ ଏବଂ ୫-ଟି’ ନୀତି ଆପଣାଇଛନ୍ତି। ସବୁ ବିଭାଗ ଏହି ନୀତି ଆଧାରରେ ଚାଲୁଛି, ହେଲେ ସମବାୟ ବିଭାଗ ଅଧୀନରେ ଯେଉଁ ୨୬ଟି ମଣ୍ଡଳରେ ଏହି ପରିମାଣର ଦୁର୍ନୀତି ହୋଇଛି ତେବେ କାହିଁକି ଏପର୍ଯ୍ୟନ୍ତ ସଂପୃକ୍ତ ଅଭିଯୁକ୍ତ ବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କଂଗ୍ରେସ ପ୍ରଶ୍ନ କରିଛି।
ବିଭାଗ ପକ୍ଷରୁ କେବଳ କଥା ଛଳରେ ମନ୍ତ୍ରୀ ଉତ୍ତର ଜଣାଇଛନ୍ତି ଯେ ଓଡ଼ିଶା ସମବାୟ ଆଇନ-୧୯୬୨ର ଧାରା ୬୨(ଆଇଆଇ) ଅନୁଯାୟୀ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଅଧିଭାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତଥ୍ୟ ଅନୁଯାୟୀ ବ୍ରହ୍ମପୁର ପାରଳାଖେମୁଣ୍ଡି ସମବାୟ ସହରାଞ୍ଚଳ ବ୍ୟାଙ୍କରେ ୨୦୧୫ ମାର୍ଚ୍ଚ ସୁଦ୍ଧା ୧୨୬.୩୬କୋଟି ଟଙ୍କାର ଅର୍ଥ ଆତ୍ମସାତ୍ ହୋଇଛି। ଏହାକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ମାମଲା ରୁଜୁ କରିଛନ୍ତି। ହେଲେ ୫ବର୍ଷ ଭିତରେ ମାମଲା ଶେଷ ହୋଇପାରି ନାହିଁ। ସେହିପରି ବଲାଙ୍ଗିରରେ ୧୦ଲକ୍ଷ ୩୪ହଜାର ୬୩୨ ଟଙ୍କାର ଏଟିଏମ ଦୁର୍ନୀତି ହୋଇଥିବାବେଳେ ବଲାଙ୍ଗିର ଡିସିସିବିରେ ୧କୋଟି ୪୭ଲକ୍ଷ ୫୯ହଜାର ୩୪ଟଙ୍କାର ଅନିୟମିତତା, କଟକ ସହରାଞ୍ଚଳ ସମବାୟ ବ୍ୟାଙ୍କରେ ୨୩.୮୬କୋଟିର ଆତ୍ମସାତ୍, ସମ୍ବଲପୁର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୩୧ହଜାର ୫୬୦ ଟଙ୍କା, ଭଞ୍ଜନଗର ୟୁସି ବ୍ୟାଙ୍କରେ ୫୦ଲକ୍ଷ ୧୪ହଜାର ୧୪୪ଟଙ୍କା, ସୁନ୍ଦରଗଡ଼ ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧କୋଟି ୯୨ଲକ୍ଷ ୯୧ହଜାର ୧୫୧ ଟଙ୍କା, ବରଗଡ଼ କାର୍ଡ ବ୍ୟାଙ୍କରେ ୩୧ଲକ୍ଷ ୨୩ହଜାର ୮୩୪ ଟଙ୍କା, କଟକସ୍ଥିତ ସହରାଞ୍ଚଳ ସମବାୟ ବ୍ୟାଙ୍କ ଲି.ରେ ୨କୋଟି ୫୫ଲକ୍ଷ ୮୪ହଜାର ୭୪୬ଟଙ୍କା, କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୬କୋଟି ୨୭ଲକ୍ଷ ୨୮ହଜାର ୭୮୭ଟଙ୍କା, ବାଙ୍କି ସିସିବି ଲି.ରେ ୮କୋଟି ୯୦ଲକ୍ଷ ୭୩ହଜାର ୪୯ଟଙ୍କା, ବ୍ରହ୍ମପୁର ସହରାଞ୍ଚଳ ସମବାୟ ବ୍ୟାଙ୍କ ଲି.ରେ ୩କୋଟି ୮୭ଲକ୍ଷ ୨୨ହଜାର ୯୧୩ଟଙ୍କା, ସୁନ୍ଦରଗଡ଼ ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୨ଲକ୍ଷ ୯୭ହଜାର ୯୬୨ ଏବଂ ୭କୋଟି ୬୬ଲକ୍ଷ ୩୧ହଜାର ୧୮୦ଟଙ୍କା, କାମାଖ୍ୟାନଗର ଶାଖା ଏୟୁସିସି ବ୍ୟାଙ୍କରେ ୧କୋଟି ୧୫ଲକ୍ଷ ୧୬ହଜାର ୩୦୦ଟଙ୍କା, ଆସ୍କା ସମବାୟ ସହରାଞ୍ଚଳ ବ୍ୟାଙ୍କରେ ୫ଲକ୍ଷ ୮୫ହଜାର ୮୩୪ଟଙ୍କା, ବାଲେଶ୍ବର ସହରାଞ୍ଚଳ ସମବାୟ ବ୍ୟାଙ୍କ ଲି. ୩କୋଟି ୩୭ଲକ୍ଷ ୩୩ହଜାର ୩୫୬ଟଙ୍କା, ବ୍ରହ୍ମପୁର ସିସିବି ଲି. ରେ ୧୦କୋଟି ୨୪ଲକ୍ଷ ୮ହଜାର ୭୭ଟଙ୍କା, କୋରାପୁଟ ସିସିବି ଲି. ରେ ୩କୋଟି ୬୫ଲକ୍ଷ ୪୭ହଜାର ୩୯୮ଟଙ୍କା,ମୟୂରଭଞ୍ଜ ସିସିବି ଲିରେ ୫୦ଲକ୍ଷ ୬୭ହଜାର ୫୩୧ଟଙ୍କା, ଆନନ୍ଦପୁର ଶାଖା ସିସିବିଲି. ରେ ୧୦ଲକ୍ଷ ୧୫ହଜାର ୬୧୩ଟଙ୍କା, ସାଇଁକୂଳ ଶାଖାରେ ୬ଲକ୍ଷ ୪୬ହଜାର ୨୮୧ଟଙ୍କା, ଆସ୍କା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୫କୋଟି ୪୦ଲକ୍ଷ ୮୭ହଜାର ୪୭୫ଟଙ୍କା ଏବଂ କେନ୍ଦ୍ରାପଡା ସହରାଞ୍ଚଳ ସମବାୟ ବ୍ୟାଙ୍କ ଲି.ରେ ୧କୋଟି ୨୧ଲକ୍ଷ ୨୯ହଜାର ୧୨୯ଟଙ୍କାର ଆତ୍ମସାତ୍ ହୋଇଛି। ଏହାକୁ ନେଇ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦାୟିତ୍ବ ଧାର୍ଯ୍ୟ (ରେସପନ୍ସବିଲିଟି ଫିକ୍ସିଂ) କରାଯାଇ ମାମଲା ରୁଜୁ କରାଯାଇଛି। ହେଲେ ଉତ୍କଳ ସମବାୟ ବ୍ୟାଙ୍କ ଭୁବନେଶ୍ବରରେ ୯୨ହଜାର ୪୭୦ଟଙ୍କା ଏବଂ ନର୍ଲା ସମବାୟ କେନ୍ଦ୍ରୀୟ ସମିତି ବ୍ୟାଙ୍କରେ ୩ଲକ୍ଷ ୯୮ହଜାର ୭୪୦ଟଙ୍କାର ମାମଲା ରଦ୍ଦ ହୋଇ ଯାଇଥିବା ବିଭାଗୀୟ ତଥ୍ୟରୁ ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories