ମୁମ୍ବଇ: ମହାରାଷ୍ଟ୍ରରେ ଶିବସେନା ଏବଂ କଂଗ୍ରେସ ଓ ଏନସିପିର ମେଣ୍ଟ ସରକାର ଗଠନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ସରକାର ଗଠନ ନେଇ ଦିଲ୍ଲୀରେ ଗତ ୪ ଦିନ ଧରି ରାଜନୈତିକ ସରଗରମ ଲାଗିରହିବା ପରେ ଶୁକ୍ରବାର ମୁମ୍ବଇରେ ୩ ଦଳର ବୈଠକ ବସିବ। ଏଥିରେ ସରକାର ଗଠନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରେ।
ଏହା ପୂର୍ବରୁ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ନିଜ ପୁଅ ଆଦିତ୍ୟଙ୍କ ସହିତ ବିଳମ୍ବିତ ରାତିରେ ଏନସିପି ମୁଖ୍ୟ ଶରଦ ପୱାରଙ୍କ ଘରେ ପହଞ୍ଚିଥିଲେ। ପୱାରଙ୍କ ଘରେ ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ଏନସିପି ନେତା ଅଜିତ ପୱାର ବି ଉପସ୍ଥିତ ଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସରକାର ଗଠନ ଲାଗି ୩ ଦଳ ମଧ୍ୟରେ ଏକ ଫର୍ମୁଲା ସ୍ଥିର ହୋଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଏବଂ କଂଗ୍ରେସ ଓ ଏନସିପି ତରଫରୁ ବାଲା ସାହେବ ଥୋରାଟ ଏବଂ ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇପାରନ୍ତି। ମନ୍ତ୍ରିମଣ୍ଡଳରେ ୪୫ ମନ୍ତ୍ରୀ ରହିବେ। ସେମାନଙ୍କ ମଧ୍ୟରୁ ଶିବସେନା ଏବଂ ଏନସିପିର ୧୫-୧୫ ମନ୍ତ୍ରୀ ରହିବେ ଓ କଂଗ୍ରେସରୁ ୧୨ ଜଣ ସାମିଲ ହେବେ। ଫର୍ମୁଲା ଅନୁସାରେ ମୁଖ୍ୟମନ୍ତ୍ରୀ ଶିବସେନାରୁ ହେଲେ ବି କଂଗ୍ରେସ-ଏନସିପି ହାତରେ ଗୁରୁତ୍ଵପୂର୍ଣ୍ଣ ବିଭାଗ ରହିବ। ଅଜିତ ପୱାରଙ୍କ ନିକଟରେ ଗୃହ ମନ୍ତ୍ରଣାଳୟ, ଜୟନ୍ତ ପାଟିଲଙ୍କ ପାଖରେ ଅର୍ଥ ଏବଂ ଛଗନ ଭୂଜବଳଙ୍କ ନିକଟରେ ପିଡବ୍ଲୁଡି ବିଭାଗ ରହିବ। କଂଗ୍ରେସର ଥୋରାଟଙ୍କୁ ରାଜସ୍ବ ବିଭାଗ ଦାୟିତ୍ଵ ଦିଆଯିବ। ସେହିପରି ଶିବସେନାର ଯୁବ ବିଧାୟକ ଆଦିତ୍ୟ ଠାକରେଙ୍କୁ ଶିକ୍ଷା ମନ୍ତ୍ରୀ ପଦବୀ ମିଳିପାରେ।



