ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି) ଓ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ(ଇସି)ଙ୍କ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ରହିଥିବା ହୃଦୟଙ୍ଗମ କରି ଏ ସଂକ୍ରାନ୍ତ ଏକ ମାମଲାର ବିଚାର ଏକ ବୃହତ୍ତର ପୀଠରେ କରାଯିବା ଉଚିତ ବୋଲି ମତ ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଓ ଜଷ୍ଟିସ ଏସ୍.କେ କାଉଲଙ୍କ ପୀଠ। ଏହି ମାମଲାର ଶୁଣାଣି ୫ଜଣିଆ ସମ୍ବିଧାନ ପୀଠରେ କରାଯିବ ବୋଲି ପୀଠ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ଆୟୋଗର ସଦସ୍ୟମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ରଖାଯିବା ଉଦ୍ଦେଶ୍ୟରେ ଏହାକୁ ସୁପ୍ରିମକୋର୍ଟ କଲେଜିୟମ ଶୈଳୀରେ ସ୍ୱାଧୀନ ଭାବେ କରାଯିବା ସଂକ୍ରାନ୍ତ ଏକ ଆବେଦନ ଉପରେ ଜଷ୍ଟିସ ଗୋଗଇଙ୍କ ପୀଠ ଉକ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ସାମାଜିକ କର୍ମୀ ଅନୁପ ବର୍ଣ୍ଣୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଏହି ଆବେଦନ କରାଯାଇଛି। ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସରକାରୀ ହସ୍ତକ୍ଷେପରହିତ ହେବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଛି।
ଅପରପକ୍ଷରେ ଏହି ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ଏହା ଉପରେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଯୁକ୍ତି ଉପସ୍ଥାପନ ପୂର୍ବକ ଦର୍ଶାଇଛନ୍ତି ଯେ ଟି.ଏନ୍ ଶେଷାନ୍ଙ୍କ ଭଳି ବହୁ ଦକ୍ଷ ଓ ସୁଯୋଗ୍ୟ ବ୍ୟକ୍ତି ନିର୍ବାଚନ ଆୟୁକ୍ତ ପଦମଣ୍ଡନ କରିଛନ୍ତି ଏବଂ ଅଦ୍ୟାବଧି ସେମାନଙ୍କ କାର୍ଯ୍ୟଧାରା ତଥା ସ୍ୱଚ୍ଛତା ଉପରେ କୌଣସି ପ୍ରଶ୍ନ ଉଠିନାହିଁ; ଅତଏବ କଲେଜିୟମ ବ୍ୟବସ୍ଥାର ଆବଶ୍ୟକତା ମନେ ହେଉନାହିଁ। ଏହି ପରିପ୍ରେକ୍ଷୀରେ ସେ ସିଏଜିଙ୍କ ଭଳି ଦେଶର ଅନ୍ୟ ୧୫ସାମ୍ବିଧାନିକ ପଦରେ ନିଯୁକ୍ତିର ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି। ସରକାର ବେଶ୍ ସଚେତନ ଭାବେ ସଦସ୍ୟମାନଙ୍କୁ ନିଯୁକ୍ତି ଦେଉଛନ୍ତି ଓ ଏହା ସରକାରଙ୍କ କାର୍ଯ୍ୟପାଳିକା ବିଧିର ଏକ ଅଙ୍ଗ ବୋଲି ବେଣୁଗୋପାଳଙ୍କ ଯୁକ୍ତିକୁ ପୀଠ ଗ୍ରହଣ କରିନାହାନ୍ତି। ଜଷ୍ଟିସ କାଉଲ ଏହାର ଜବାବରେ କହିଛନ୍ତି ଯେ ଅନ୍ୟ ୧୫ଟି ସାମ୍ବିଧାନିକ ସଂସ୍ଥାର ମୁଖ୍ୟଙ୍କ ବହିଷ୍କାର ପ୍ରକ୍ରିୟାଠାରୁ ନିର୍ବାଚନ ଅୟୁକ୍ତଙ୍କ ବହିଷ୍କାର ପ୍ରକ୍ରିୟା ଭିନ୍ନ।
ଏହି ପରିପ୍ରେକ୍ଷୀରେ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଏହି ସାମ୍ବିଧାନିକ ପଦରେ ନିଯୁକ୍ତି ନେଇ ଆଇନରେ କିଛିଟା ଫାଙ୍କ ରହିଯାଉଛି; ଯେଉଁଥିରୁ ସରକାର ରାଜନୈତିକ ଫାଇଦା ଉଠାଉଛନ୍ତି। ଅନୁଷ୍ଠାନର ମର୍ଯ୍ୟାଦା ରକ୍ଷା ଓ ବ୍ୟବସ୍ଥାର ସ୍ୱାଧୀନ ପ୍ରତିପାଳନ ପାଇଁ ଏହି ଫାଙ୍କ ବନ୍ଦ କରାଯିବା ଆବଶ୍ୟକ। ସରକାରଙ୍କ ସୁପାରିସ ଆଧାରରେ ରାଷ୍ଟ୍ରପତି ନିର୍ବାଚନ ଆୟୁକ୍ତଙ୍କୁ ସିଧାସଳଖ ନିଯୁକ୍ତି ଦେଉଛନ୍ତି। ଏହା ସରକାରୀ ଦଳ ନିଜ ସ୍ୱାର୍ଥସାଧନ ପାଇଁ ଅନୁଗତ ଅଧିକାରୀଙ୍କୁ ଥଇଥାନ କରିବାର ସୁଯୋଗ ପାଉଛି। ଏହା ସମ୍ବିଧାନର ଧାରା-୧୪କୁ ଉଲ୍ଲଙ୍ଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ନିର୍ବାଚନ ଆୟୁକ୍ତ ପଦରେ ‘ସଚ୍ଚୋଟ, ଦକ୍ଷ ଓ ରାଜନୈତିକ ଦୃଷ୍ଟିରୁ ନିରପେକ୍ଷ’ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବା ଓ ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ତଥା ବିଧି ମୁତାବକ ହେବା ଉଚିତ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ମତ ଆଧାରରେ ନିଯୁକ୍ତି ପ୍ରକ୍ରିୟାର ପୁନର୍ବିଚାର କରାଯିବା ଉଚିତ ବୋଲି ଆବେଦନକାରୀଙ୍କ ଯୁକ୍ତିକୁ ପ୍ରଧାନ ବିଚାରପତିଙ୍କ ପୀଠ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ରେ ଏ ସଂକ୍ରାନ୍ତ ଏକ ମାମଲାରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଖେହର ନିର୍ବାଚନ ଆୟୁକ୍ତ ନିଯୁକ୍ତି ନେଇ କୌଣସି ସ୍ୱତନ୍ତ୍ର ସଂସଦୀୟ ବିଧି ବ୍ୟବସ୍ଥା ନ ଥିବା ଦର୍ଶାଇ ପ୍ରଶ୍ନ କରିଥିଲେ ଯେ ଯେଉଁମାନେ ନିଯୁକ୍ତି ପାଉଛନ୍ତିି ସେମାନଙ୍କୁ ବାଛୁଛି କିଏ? କେଉଁ ଯୋଗ୍ୟତା ଆଧାରରେ ସେମାନଙ୍କ ନାମ ବଛାଯାଉଛି? ଏ ନେଇ କୌଣସି ବିଧି ବ୍ୟବସ୍ଥା ବା ସ୍ୱତନ୍ତ୍ର ପ୍ରକ୍ରିୟା ପାଳନ କରାଯାଉଥିବାର ପ୍ରମାଣ ନାହିଁ। ସିବିଆଇ ନିର୍ଦେଶ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ଲିଖିତ ଆଇନ ରହିଛି; କିନ୍ତୁ ନିର୍ବାଚନ ଆୟୁକ୍ତ ନିଯୁକ୍ତି କ୍ଷେତ୍ରରେ ଏହାର ଅଭାବ ରହିଥିବା ଜଷ୍ଟିସ ଖେହାର ଦର୍ଶାଇବା ସହ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର ସ୍ୱଚ୍ଛ ଓ ସ୍ୱାଧୀନ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ଉଚିତ ବୋଲି ମତ ଦେଇଥିଲେ।
ନିର୍ବାଚନ ଆୟୁକ୍ତ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି; ପାଞ୍ଚ ଜଣିଆ ସମ୍ବିଧାନ ପୀଠରେ ହେବ ଶୁଣାଣି
Popular Categories



