www.samajalive.in
Sunday, December 7, 2025
14.1 C
Bhubaneswar

‘ମୋ-ସରକାର’ରେ ରାଜସ୍ବ ବିଭାଗ; ତହସିଲ, ପଞ୍ଜୀକରଣ କାର୍ଯ୍ୟାଳୟ ପ୍ରଶାସନର ଆତ୍ମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ତହସିଲ ଓ ପଞ୍ଜୀକରଣ କାର୍ଯ୍ୟାଳୟ ଗ୍ରାମାଞ୍ଚଳରେ ପ୍ରଶାସନର ହୃଦୟ ଓ ଆତ୍ମା ଅଟେ। ଏହାକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀମାନେ ଯଦି ଦକ୍ଷତା ଓ ଉତ୍ତରଦାୟିତ୍ବର ସହ ସେବା ପ୍ରଦାନ କରିବେ ତେବେ ଲୋକଙ୍କୁ ସୁଶାସନ ମିଳିପାରିବ। ସରକାରୀ ଅଧିକାରୀମାନେ ନାଗରିକଙ୍କ ମର୍ଯ୍ୟାଦାକୁ ଧ୍ୟାନ ଦେଇ ସେବା ପ୍ରଦାନ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ବୁଧବାର ଲୋକସେବା ଭବନରେ ରାଜସ୍ବ ବିଭାଗର ‘ମୋ-ସରକାର’ କାର୍ଯ୍ୟକ୍ରମକୁ ସାମିଲ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଲୋକଙ୍କ ଆବଶ୍ୟକତା କ’ଣ ତାହା ବୁଝି ସରକାରୀ ଅଧିକାରୀମାନେ ଦାୟିତ୍ବର ସହ କାର୍ଯ୍ୟ କରିବାର ଆବଶ୍ୟକ ରହିଛି। ରାଜସ୍ବ ବିଭାଗ ସର୍ବାଧିକ ୭୦ଲକ୍ଷ ନାଗରିକଙ୍କୁ ସାଧାରଣ ସେବା ପ୍ରଦାନ କରୁଛି। ୨୦୧୯ ଡିସେମ୍ବରରେ ରାଜସ୍ବ ବିଭାଗ ପକ୍ଷରୁ ଇ-ସାର୍ଟିଫିକେଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲାସ୍ତରରେ ଇ-ପୋର୍ଟାଲ କାର୍ଯ୍ୟକ୍ରମ ଜରିଆରେ ୨ଲକ୍ଷ ଲୋକ ପ୍ରଶାସନ ଦୁଆର ମୁହଁକୁ ନଆସି ରାଜସ୍ବ ସେବା ପାଇଛନ୍ତି। ରାଜ୍ୟ ସରକାର ବିବିଧ ପ୍ରମାଣପତ୍ର କ୍ଷେତ୍ରରେ ସବୁ ପ୍ରକାର ସରକାରୀ ପାଉଣା ଉଚ୍ଛେଦ କରିଛନ୍ତି। ଏହାଦ୍ବାରା ସିଧାସଳଖ ୫୦ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ସେହିପରି ଇ-ପାଉତି ପୋର୍ଟାଲ ଜରିଆରେ ୧.୪ଲକ୍ଷ ଖତିଆନ ପ୍ରଦାନ କରାଯାଇଛି। ଦାଖଲ ଖାରଜ ମାମଲା ଓ ପଟ୍ଟାକୁ କିଭଳି ଲୋକଙ୍କ ଦୁଆରେ ପହଞ୍ଚାଯିବ ତା’ର ବ୍ୟବସ୍ଥା କରାଯାଇଛି। ଅଗଷ୍ଟ ୧୫ରୁ ଜମି ଦସ୍ତାବିଜ୍ ପଞ୍ଜୀକରଣ ବ୍ୟତୀତ ସବୁ ସେବା ଅନଲାଇନରେ ଦେବାପାଇଁ ମୋ- ସରକାର ପ୍ରସ୍ତୁତି ଆରମ୍ଭ କରିଛି। ଏବେ ଲୋକେ ଜମି ପଞ୍ଜୀକରଣ ଦିନ ଦଲିଲ ପାଉଛନ୍ତି, ଏପ୍ରିଲ ପହିଲାରୁ ଘଣ୍ଟାକରେ ପାଇବେ। ଏହା ମୋ-ସରକାରର ଖୁସି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ
କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବେ ମୋ-ସରକାରର ଆଭିମୁଖ୍ୟ ପୂରଣ କରିବାରେ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିବାବେଳେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଜିଲାପାଳ ହେଲେ ପ୍ରାଥମିକ ରାଜସ୍ବ ଅଧିକାରୀ, ରାଜସ୍ବ ବିଭାଗ ପୂର୍ଣ୍ଣ ଦକ୍ଷତାର ସହିତ ୫-ଟି କାର୍ଯ୍ୟକାରୀ କରିବାକୁ ଯାଉଛି ବୋଲି କହିଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଏପ୍ରିଲରୁ ଜମି ପଞ୍ଜୀକରଣର ୧ଘଣ୍ଟା ପରେ ଦଲିଲ ମିଳିବ । ତେବେ ୭ଦିନ ମଧ୍ୟରେ କିଭଳି କ୍ରେତାଙ୍କୁ ପଟ୍ଟା ମିଳିବ ସେନେଇ ଆଇନରେ ସଂଶୋଧନ ଅଣାଯିବାକୁ ବିଭାଗ ଉଦ୍ୟମ କରୁଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସବୁ ରାଜସ୍ବ ସେବା ଅନଲାଇନରେ ମିଳିବ। ମାତ୍ର ଜମି କିଣାବିକା ବେଳେ ପଞ୍ଜୀକରଣ ପାଇଁ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି ଆବଶ୍ୟକ ଥିବାରୁ ଲୋକଙ୍କୁ କାର୍ଯ୍ୟାଳୟକୁ ଆସିବାକୁ ପଡିବ।
କାର୍ଯ୍ୟକ୍ରମରେ ୫-ଟି ସଚିବ ଭି କେ ପାଣ୍ଡିଆନ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ରାଜସ୍ବ ସେବା ଯୋଗାଇଦେବାରେ ଜିଲାପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିବା ସହିତ ଅତି କମରେ ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ୫୦ ପ୍ରତିଶତ ଲୋକଙ୍କୁ ଭେଟନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଦୁର୍ନୀତି ହେବାର ସମ୍ଭାବନା ଯେଉଁଠି ରହିଛି ତାକୁ ଖୋଜି ବାହାର କର। ଲୋକେ ଯେଭଳି ପ୍ରଶାସନର ଦୁଆରକୁ ନମାଡିବେ ତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥାକୁ ସଜାଡିବାକୁ ପଡିବ। ବ୍ୟବସ୍ଥା ଭିତରେ ୩ରୁ ୪ପ୍ରତିଶତ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ସେମାନେ ଯଦି ନସୁଧୁରିଲେ ଏବଂ ସରକାରଙ୍କ ହାତରେ ଧରାପଡିଲେ ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଅବସରରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତହସିଲଦାର ଓ ସବରେଜିଷ୍ଟ୍ରାରମାନଙ୍କଠାରୁ ରାଜସ୍ବ ସେବାରେ ‘ମୋ- ସରକାର’ ଭୂମିକା କ’ଣ ତାହା ଶ୍ରୀ ପାଣ୍ଡିଆନ ପରଖିଥିଲେ। ରାଜସ୍ବ ସେବାକୁ ଲୋକଙ୍କ ନିକଟତର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିନା ଦ୍ବିଧାରେ ଉତ୍ତମ ପ୍ରସ୍ତାବ ଦେବାକୁ ଶ୍ରୀ ପାଣ୍ଡିଆନ ଅଧିକାରୀମାନଙ୍କୁ କହିଥିଲେ। ୫-ଟି ଆଧାରରେ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଲୋକଙ୍କୁ କିଭଳି ସ୍ବଚ୍ଛତାର ସହିତ ରାଜସ୍ବ ସେବା ମିଳିପାରିବ ଏବଂ ସେମାନେ ସରକାରଙ୍କଠାରୁ ନିରାଶ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହିତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories