୬୭ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

କଟକ: ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ସେ କହିଥିଲେ, ବୃତ୍ତିଗତ ପ୍ରତିଯୋଗିତାର ଆୟୋଜନ ଦ୍ୱାରା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରବୃତ୍ତି ସୃଷ୍ଟି ହୋଇଥାଏ ଏବଂ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୋଲିସ ବିଭାଗରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଅଧିକାରୀଙ୍କ ମଧ୍ୟରେ ତଦନ୍ତ ଦକ୍ଷତା ଓ କ୍ଷମତା ବୃଦ୍ଧି କରିବା ଓ ଦୋଷୀ ସାବ୍ୟସ୍ତ ହାରରେ ଉନ୍ନତି ଆଣିବା।

ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟ ପୋଲିସର ଉଦ୍ୟମ ଫଳରେ ଦୋଷୀ ସାବ୍ୟସ୍ତ ହାରରେ ବୃଦ୍ଧି ଘଟିଛି। ରାଜ୍ୟରେ ସାମଗ୍ରିକ ଭାବରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଶାନ୍ତିପୂର୍ଣ୍ଣ ରହିଛି ଏବଂ କୌଣସି ବଡ ଧରଣର ହିଂସା ଘଟିନାହିଁ। ମାଓ ଦମନ କ୍ଷେତ୍ରରେ ଆମକୁ ଭଲ ସଫଳତା ମିଲିଛି। ମହିଳା ମାନଙ୍କ କ୍ଷେତ୍ରରେ ଘଟିଥିବା ହିଂସାରେ ଜଡିତ ବ୍ୟକ୍ତିଙ୍କୁ ତତ୍‌କାଳ ଗିରଫ କରାଯାଇ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୋଲିସ ସଫଳ ହୋଇଛି। ଆଗାମୀ ଦିନରେ ଓଡିଶା ପୋଲିସ ବୈଷୟିକ ଜ୍ଞାନ କୌଶଳର ଉଚିତ୍ ବ୍ୟବହାର କରି ବୃତ୍ତିଗତ ଦକ୍ଷତାରେ ଉନ୍ନତି ଆଣିବା ସହ ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି।

Comments are closed.