www.samajalive.in
Tuesday, December 9, 2025
16.1 C
Bhubaneswar

ହାତରେ ୫ ଦିନ ; ୧୬ଟି ରାୟକୁ ଅପେକ୍ଷା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଆଉ ମାତ୍ର ଏକ ସପ୍ତାହ ବାକି ରହିଛି। ଅକ୍ଟୋବର ୨ରେ ଜଷ୍ଟିସ ମିଶ୍ର ଅବସରଗ୍ରହଣ କରିବେ। ଅବସରଗ୍ରହଣର ଏହି ଏକ ସପ୍ତାହ ମଧ୍ୟରେ ରହିଛି ମାତ୍ର ୫ଟି କାର୍ଯ୍ୟ ଦିବସ। ଜଷ୍ଟିସ ମିଶ୍ରଙ୍କ ହାତରେ ମାତ୍ର ୫ଦିନ ବାକି ଥିବାବେଳେ ତାଙ୍କ ନେତୃତ୍ୱ ପୀଠ ଦ୍ୱାରା ଶୁଣାଣି ହୋଇଥିବା ୧୬ଟି ଗୁରତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ ଅପେକ୍ଷାରେ ରହିଛି। ମଙ୍ଗଳବାର ଠାରୁ ଏହିସବୁ ମାମଲାର ରାୟ ପର୍ଯ୍ୟାୟକ୍ରମେ ପ୍ରକାଶ ପାଇବାର ସମ୍ଭାବନା ରହିଛି।
୧- ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ପୀଠ ଦ୍ୱାରା ଶୁଣାଣି ହୋଇଥିବା ପ୍ରମୁଖ ମାମଲା ମଧ୍ୟରେ ରହିଛି ଆଧାରର ସାମ୍ବିଧାନିକ ବୈଧତା। ଦେଶରେ ନାଗରିକ ପରିଚୟ ଯାଞ୍ଚ ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ଆଧାର ନମ୍ବରର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଦାୟର ପିଟିସନ ଉପରେ ଜଷ୍ଟିସ ମିଶ୍ରଙ୍କ ନେତୃତ୍ୱ ସାମ୍ବିଧାନିକ ପୀଠ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ମେ’ ୧୦ରେ ଏହି ପିଟିସନ ଉପରେ ଶୁଣାଣି ଶେଷ କରିଥିବା ବେଳେ ରାୟକୁ ସଂରକ୍ଷିତ ରହିଛି।
୨- ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ମାମଲା ହେଉଛି ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାର। ମହିଳାଙ୍କ ପ୍ରତି ବାଛ ବିଚାରକୁ ଚାଲେଞ୍ଜ କରି ଦାୟର ପିଟିସନ ଉପରେ ଜଷ୍ଟିସ ମିଶ୍ରଙ୍କ ନେତୃତ୍ୱ ସାମ୍ବିଧାନିକ ପୀଠ ଅଗଷ୍ଟ ୧ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରହିଛି।
୩- ବ୍ୟଭିଚାରକୁ ଅପରାଧ ବିବେଚନା କରୁଥିବା ଆଇପିସି ଧାରା ୪୯୭କୁ ଅବୈଧ ଘୋଷଣା ପୂର୍ବକ ଦାୟର ପିଟିସନ ଉପରେ ରାୟ ପ୍ରକାଶ ପାଇବାକୁ ରହିଛି। ଧାରା ୪୯୭କୁ ଅବୈଧ ଘୋଷଣା ସହିତ ବ୍ୟଭିଚାରକୁ ଅପରାଧ ମୁକ୍ତ ଲାଗି ପିଟିସନରେ ଦାବି କରାଯାଇଛି। ଅଗଷ୍ଟ ୮ରେ ଜଷ୍ଟିସ ମିଶ୍ରଙ୍କ ନେତୃତ୍ୱ ସାମ୍ବିଧାନିକ ପୀଠ ଏହି ପିଟିସନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରହିଛି।
୪-ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସରକାରୀ ଚାକିରିଆଙ୍କୁ ସଂରକ୍ଷଣ ଭିତ୍ତିକ ପଦୋନ୍ନତି ଦେବା ଉପରେ ପୁନଃବିଚାର ପାଇଁ ଦାୟର ପିଟିସନ ଉପରେ ଜଷ୍ଟିସ ମିଶ୍ରଙ୍କ ପୀଠ ଅଗଷ୍ଟ ୩୦ରେ ଶୁଣାଣି ଶେଷ କରିଥିବାବେଳେ ଏହାର ରାୟ ପ୍ରକାଶ ପାଇବାକୁ ରହିଛି।
୫- ଅଯୋଧ୍ୟା ସମ୍ପର୍କିତ ଏକ ମାମଲାକୁ ବୃହତ ପୀଠକୁ ସ୍ଥାନାନ୍ତର ପାଇଁ ହୋଇଥିବା ଏକ ଆବେଦନ ଉପରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ତିନିଜଣିଆ ବିଚାରପତି ପୀଠ ଜୁଲାଇ ୨୦ରେ ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି। ୧୯୯୪ରେ ସୁପ୍ରିିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଇସମାଇଲ ଫାରୁକି-ଭାରତ ସରକାର ମାମଲାରେ ଦେଇଥିବା ରାୟକୁ ସମୀକ୍ଷା ପାଇଁ ବୃହତ୍ତର ପୀଠକୁ ସୁପାରିସ ଲାଗି ନିବେଦନ କରାଯାଇଛି। ୧୯୯୪ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅଯୋଧ୍ୟା ବାବ୍ରି ମସଜିଦ ବିବାଦକୁ ପ୍ରଭାବିତ କରିବା ସମ୍ଭାବନା ରହିଛି।
୬-ଫୌଜଦାରୀ ମାମଲାରେ ଅଭିଯୁକ୍ତ ରାଜନେତାମାନେ ନିର୍ବାଚନ ଲଢିପାରିବେ କି ନାହିଁ ତା’ ଉପରେ ସୁପ୍ରିମକୋର୍ଟ ବିଚାର କରିଥିବାବେଳେ ଏହାର ରାୟ ପ୍ରକାଶ ପାଇବାକୁ ଅଛି। ଫୌଜଦାରୀ ମାମଲାରେ ଅଭିଯୁକ୍ତ ବିଧାୟକ ଓ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏପରି ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବାରୁ ଦୂରେଇ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅପେକ୍ଷା କରାଯାଇଥିବାବେଳେ ମଙ୍ଗଳବାର ଏହାର ରାୟ ପ୍ରକାଶ ପାଇବ।
୭-ଭୀମା କୋରେଗାଓଁ ହିଂସାକୁ ନେଇ ୫ଜଣ ବାମପନ୍ଥୀ ସମର୍ଥକ ସାମାଜିକ କର୍ମୀଙ୍କୁ ଗିରଫ କରାଯିବା ଘଟଣାର ଅଦାଲତଙ୍କ ତତ୍ତ୍ୱାବଧାନରେ ସ୍ୱାଧୀନ ସଂଗଠନ ଦ୍ୱାରା ତଦନ୍ତ କରିବାକୁ ଆବେଦନ ହୋଇଛି। ଏହି ଆବେଦନ ଉପରେ ସେପ୍ଟେମ୍ବର ୨୧ରେ ପ୍ରଧାନ ବିଚାରପତି ନେତୃତ୍ୱ ପୀଠ ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି।
୮- ଅଦାଲତରେ ଶୁଣାଣି ହେଉଥିବା ବିଭିନ୍ନ ମାମଲାର ଭିଡିଓ ସିଧା ପ୍ରସାରଣ କରାଯିବ କି ନାହିଁ ତା ଉପରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ। ଅଗଷ୍ଟ ୨୪ରେ ଜଷ୍ଟିସ ମିଶ୍ରଙ୍କ ନେତୃତ୍ୱ ପୀଠ ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଥିଲେ।
୯-ଧାର୍ମିକ ଗୋଷ୍ଠୀ ଦ୍ୱାରା ହେଉଥିବା ହିଂସାକୁ ନିୟନ୍ତ୍ରଣ ପାଇଁ କୋଡୁଙ୍ଗାଲୁର ଫିଲ୍ମ ସୋସାଇଟ ପକ୍ଷରୁ ହୋଇଥିବା ମାମଲା ଉପରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ତିନି ଜଣିଆ ପୀଠ ଅଗଷ୍ଟ ୧୦ରେ ଶୁଣାଣି ଶେଷ କରିଥିବା ବେଳେ ଏହାର ରାୟ ପ୍ରକାଶ ପାଇବା ଅପେକ୍ଷାରେ ରହିଛି। ଏହି ପିଟିସନକୁ କେନ୍ଦ୍ର ସରକାର ସମର୍ଥନ କରିଛନ୍ତି।
୧୦- ଅସିର ଜମାଲ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଏକ ମାମଲା ଉପରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ପୀଠ ଶୁଣାଣି କରି ଜୁଲାଇ ୫ରେ ରାୟ ସଂରକ୍ଷଣ ରଖିଛନ୍ତି। ଏହି ମାମଲାରେ ଜମାଲ ଆରଟିଆଇ ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ଲାଗି ଗାଇଡଲାଇନ ଧାର୍ଯ୍ୟ କରିବାକୁ ଦାବି କରିଛନ୍ତି।
୧୧-ସାଂସଦ ଓ ବିଧାୟକଙ୍କୁ ଓକିଲାତି ବୃତ୍ତିରୁ ଦୂରେଇ ରଖିବା ଲାଗି ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ପୀଠ ଜୁଲାଇ ୯ରେ ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି। ସାଂସଦ ଓ ବିଧାୟକମାନେ ସରକାରଙ୍କ ଠାରୁ ଦରମା ନେଉଥିବାବେଳେ ସେମାନଙ୍କୁ ଓକିଲାତିରୁ ଦୂରେଇ ରଖିବାକୁ ଦାବି ହୋଇଛି।
୧୨-କଂଗ୍ରେସ ନେତା ଅହମ୍ମଦ ପଟେଲ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଚାଲେଞ୍ଜ କରି ବଲୱନ୍ତ ସିଂହ ରାଜପୁତ ଦାୟର କରିଥିବା ପିଟିସନର ଉପରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ୩ଜଣିଆ ପୀଠଙ୍କ ସେପ୍ଟେମ୍ବର ୧୮ରେ ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି।
୧୩-ଭାରତ ସରକାର ଓ ହାର୍ଡି ଏକ୍ସପ୍ଲୋରେସନ ମଧ୍ୟରେ ହୋଇଥିବା ଏକ ବିବାଦ ଉପରେ ସେପ୍ଟେମ୍ବର ୫ରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷଣ ରହିଛି।
୧୪-ଉତ୍ତରାଡି ମଠ ଓ ରାଘବେନ୍ଦ୍ର ମଠ ମଧ୍ୟରେ ଦେଖାଯାଇଥିବା ଏକ ଧାର୍ମିକ ବିବାଦ ଉପରେ ସେପ୍ଟେମ୍ବର ୭ରେ ଶୁଣାଣି ଶେଷ ହୋଇଛି।
୧୫-ଭାରତ ସରକାର ଓ ଇ କୃଷ୍ଣରାଓଙ୍କ ମଧ୍ୟରେ ଚାକିରି ବିବାଦକୁ ନେଇ ଦାୟର ମାମଲା ଉପରେ ଅଗଷ୍ଟ ୭ରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି।
୧୬- କୋଲ ଇଣ୍ଡିଆ ଲିମିଟେଡ ଓ ନବୀନ କୁମାର ସିଂହଙ୍କ ମଧ୍ୟରେ ଚାଲିଥିବା ଏକ ମାମଲାକୁ ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ପୀଠ ଫେବୃଆରୀ ୧୯ରେ ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories