୨୮ରେ ରାଜ୍ୟବ୍ୟାପୀ ଔଷଧ ଦୋକାନ ବନ୍ଦ
ଭୁବନେଶ୍ୱର : ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଗଠନ ଏଆଇଓସିଡିର ଆହ୍ୱାନକ୍ରମେ ଆସନ୍ତା ୨୮ ତାରିଖ ଦିନ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଇ-ଫାର୍ମାସୀ ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ୨୪ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।
ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ବନୋଜ କୁମାର ଜେନା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନୀତି ଯୋଗୁ ଦେଶର ପ୍ରାୟ ୮ଲକ୍ଷ ବ୍ୟବସାୟୀ ପ୍ରଭାବିତ ହେଉଥିଲା ବେଳେ ଓଡିଶାରୁ ୧୮ହଜାର ଔଷଧ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ। ଇ-ଫାର୍ମାସୀ ଓ ଅନଲାଇନ ଔଷଧ ବ୍ୟବସାୟ ହେଲେ ପ୍ରକୃତ ଔଷଧ ରୋଗୀ ତଥା ସର୍ବସାଧାରଣ ଲୋକଙ୍କ ପାଖରେ ଠିକଣା ସମୟରେ ପହଞ୍ଚିପାରିବ ନାହିଁ। ଏହାଛଡା ଡ୍ରଗ୍ସ ଆଣ୍ଡ କସମେଟିକ୍ ଆଇନର ଉଲ୍ଲଂଘନ ହେବାର ଆଶଙ୍କା ରହିଛି। ଇ-ଫାର୍ମାସୀ ଯୋଗୁ ଜଣେ ବ୍ୟକ୍ତି ନିଜେ ପ୍ରେସକ୍ରିପସନ ପ୍ରସ୍ତୁତ କରି ଔଷଧ ମଗାଇପାରିବ।
ଫଳରେ ନିଶା ଔଷଧର ବହୁଳ ବ୍ୟବହାର ବଢିବାର ସମ୍ଭାବନା ରହିଛି। ସାଧାରଣ ବ୍ୟକ୍ତିଟିଏ ଔଷଧ ବ୍ୟବହାର ସମ୍ପର୍କରେ ଫାର୍ମାସିଷ୍ଟଠାରୁ ଯେଉଁ ପରାମର୍ଶ ପାଉଥିଲେ ସେଥିରୁ ମଧ୍ୟ ବଞ୍ଚିତ ହେବେ। ଏହି ବ୍ୟବସ୍ଥା ଲାଗୁ ହେଲେ ଔଷଧ ଦୋକାନୀ, ଏଥିରେ କାମ କରୁଥିବା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ପ୍ରଭାବିତ ହେବେ। ତେଣୁ କେନ୍ଦ୍ର ସରକାର ଇ-ଫାର୍ମାସୀ ଡ୍ରାଫ୍ଟ ରୁଲରେ ଔଷଧ ବ୍ୟବସାୟୀଙ୍କ ଅଭିଯୋଗକୁ ସ୍ଥାନିତ କରିବାକୁ ଦାବି କରାଯାଇଛି।