ସନ୍ଥ କବୀରଙ୍କ ନିକଟକୁ ଏକଦା ଜଣେ ଗୃହସ୍ଥ ଆସିଲେ। ମୁଖମଣ୍ଡଳରୁ ବିଷଣ୍ଣ ଭାବ ବାରି ହୋଇପଡ଼ୁଥିଲା। ଏହା ଲକ୍ଷ୍ୟ କରି କବୀର ପଚାରିଥିଲେ,‘କ’ଣ ଏତେ ଚିନ୍ତାଗ୍ରସ୍ତ ଯେ ? ବୋଧହୁଏ କୌଣସି ସଂଗିନ ସମସ୍ୟାରେ ଫସି ଯାଇଛନ୍ତି। ଆଗନ୍ତୁକ ନମ୍ର ଭାବରେ କହିଥିଲେ- ‘ହଁ ମହାଭାଗ ନିରାଟ ସତ କଥା। ପତ୍ନୀଙ୍କ ସହ ସୁସମ୍ପର୍କ ନାହଁି। ସୁଖୀ ଦାମ୍ପତ୍ୟ ଜୀବନର ସୂତ୍ର ଜାଣିବା ପାଇଁ ମୁଁ ଆପଣଙ୍କ ନିକଟକୁ ଆସିଛି। ମୋର ପାରିବାରିକ ଜୀବନରେ ପ୍ରତ୍ୟହ ନାନା ସମସ୍ୟା ଦେଖାଯାଉଛି।’
କବିର ଏହା ଶୁଣି କହିଥିଲେ- ‘କିଛି ସମୟ ଅପେକ୍ଷା କରନ୍ତୁ। ମୁଁ ଆପଣଙ୍କୁ ଏହାର ସୂତ୍ର ବତାଇ ଦେବି। ବେଶ୍ କିଛି ସମୟ ଅତିବାହିତ ହୋଇଗଲା। କବୀର ନିଜ ପତ୍ନୀଙ୍କ ଉଦ୍ଦେଶ୍ୟରେ କହିଲେ- ‘ଅନ୍ଧାରରେ କିଛି ଦେଖାଯାଉନି। ଦୀପ ଲଗାଇ ଆଣ ତ।’ ପତ୍ନୀ କିଛି କ୍ଷଣ ପରେ ବିନା ପ୍ରତିବାଦରେ ଜଳୁଥିବା ଦୀପ ଆଣି ଚୌକାଠ ଉପରେ ରଖି ଚାଲି ଯାଇଥିଲେ। ଆଗନ୍ତୁକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏଇଥି ପାଇଁ ଯେ ପରିଷ୍କାର ଦିବାଲୋକରେ ଦୀପର କ’ଣ ବା ଆବଶ୍ୟକତା ଥିଲା? ସ୍ତ୍ରୀ ମଧ୍ୟ ବିନା ବାକ୍ୟବ୍ୟୟରେ ରଖିବା ଦେଖି ଆହୁରି ଆଶ୍ଚର୍ଯ୍ୟ ହୋଇଥିଲେ। ଆଗନ୍ତୁକ ଅତିଥିଙ୍କୁ ତାଙ୍କ ସହ ଭୋଜନ କରିବାକୁ କହିଥିଲେ କବୀର।
କିଛି କ୍ଷଣ ପରେ ପତ୍ନୀ ଦୁହିଁଙ୍କ ପାଇଁ ଭୋଜନ ସାମଗ୍ରୀ ବାଢ଼ିଥିଲେ। ଦୁହେଁ ଖାଇବାକୁ ଆରମ୍ଭ କଲେ। ପତ୍ନୀ କବୀରଙ୍କୁ ପଚାରିଥିଲେ- ଖାଇବା ଠିକ୍ ଅଛି ତ? କେଉଁଥିରେ କିଛି କମ୍ ବେଶୀ ହୋଇନି ତ? କବୀର ହସିହସି କହିଥିଲେ- ‘ବିଲ୍କୁଲ ନୁହେଁ। ସବୁ ଠିକ୍ ଅଛି। ଅତି ଉତ୍ତମ ବହୁତ ସ୍ବାଦିଷ୍ଟ ଖାଇବା ହୋଇଛି।’ ଆଗନ୍ତୁକ ଏବେ ଆହୁରି ଚକିତ ହୋଇଥିଲେ ଏଇଥି ପାଇଁ ଯେ ତରକାରିରେ ଲୁଣ କମ୍ ହୋଇଥିଲା, ଭଜାରେ ଲୁଣ ଆଦୌ ପଡ଼ିନଥିଲା। ତଥାପି କବୀର ଖାଦ୍ୟର ପ୍ରଶଂସା କରି ଏହା ଉତ୍ତମ ହୋଇଛି ବୋଲି କହୁଛନ୍ତି। ଏବେ ସନ୍ଥ କବୀର ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ କହିଥିଲେ- ମୁଁ ଭାବୁଛି ବର୍ତ୍ତମାନ ତୁମେ ବୁଝି ପାରିଥିବ ସୁଖୀ ଦାମ୍ପତ୍ୟ ଜୀବନର ରହସ୍ୟ, ସୂତ୍ର କ’ଣ? ଏହାର ଏକମାତ୍ର ସରଳ ମାର୍ଗ ହେଉଛି- ପରସ୍ପର ସହ ତାଳମେଳ ରଖି କାର୍ଯ୍ୟ କରିବା। ଯଦି ସୁବୁଝାମଣା ନ ରହିଲା, ମତଭେଦ ସୃଷ୍ଟି ହେଲା, ତେବେ ମନୋମାଳିନ୍ୟ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେବା ସ୍ବାଭାବିକ। ଜଣେ ଅନ୍ୟର ଦୋଷତ୍ରୁଟି ଦର୍ଶାଇ ତାକୁ ହୀନ, ଅଯୋଗ୍ୟ ପ୍ରତିପାଦିତ କରିବା ଭଳି ମାନସିକତା ତ୍ୟାଗ କରି ଯଦି ତାଙ୍କଠାରେ ଥିବା ଗୁଣ (ଦୋଷ ନୁହେଁ)କୁ ପ୍ରଶଂସା କରାଯାଏ, ଗୃହ, ତପୋବନରେ ପରିଣତ ହୋଇଯିବ।



