ବେଜିଂ: କରୋନା ମହାମାରୀ ବ୍ୟାପିଥିବା ନେପାଳରୁ ପର୍ବତାରୋହୀଙ୍କ ଦ୍ୱାରା କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଚୀନ ଏଭରେଷ୍ଟ ଶୃଙ୍ଗ ଉପରେ ଏକ ପୃଥକିକରଣ ରେଖା ସ୍ଥାପନ କରିବ। ଏଭରେଷ୍ଟ ଶୃଙ୍ଗର ମୂଳ ଶିବିରରେ ଏକାଧିକ ପର୍ବତାରୋହୀ ଅସୁସ୍ଥ ହୋଇପଡିବା ପରେ ଚୀନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଏଠାକାର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ୨୦୧୯ ଶେଷଭାଗରେ ଚୀନରେ କରୋନା ଭୂତାଣୁ ପ୍ରଥମେ ଠାବ କରାଯିବା ପରେ ଦେଶର ସରକାର ଏକାଧିକ ତାଲାବନ୍ଦ ଏବଂ ସୀମାରେ କଟକଣା ଜାରି କରି ତାହାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିଥିଲେ। ତେବେ ଗତ କିଛି ସପ୍ତାହ ମଧ୍ୟରେ ନେପାଳ ପଟୁ ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ରହିଥିବା ମୂଳ ଶିବିରରୁ ୩୦ରୁ ଅଧିକ ଅସୁସ୍ଥ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯିବା ପରେ ପର୍ବତାରୋହଣର ଭିଡ ସମୟରେ ଏହା ଅଧିକ ଭୟଙ୍କର ରୂପ ନେଇପାରେ ବୋଲି ଚୀନ ଆଶଙ୍କା କରିଛି।
ଇତିମଧ୍ୟରେ ତିବ୍ୱତ କର୍ତ୍ତୃପକ୍ଷ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ କହିଛନ୍ତି ଯେ ସେମାନେ ମହାମାରୀକୁ ଏଡାଇବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବେ। ଏଭରେଷ୍ଟର ଉତ୍ତର, ଦକ୍ଷିଣ ଏବଂ ଶିଖର ଭାଗରେ ପର୍ବତାରୋହୀଙ୍କ ମଧ୍ୟରେ ସଂପର୍କ ଏଡାଇବାକୁ ପଦକ୍ଷେପ ନିଆଯିବ। ସେଥିପାଇଁ ପର୍ବତାରୋହୀଙ୍କୁ ଆରୋହଣ ପାଇଁ ଅନୁମତି ଦିଆଯିବା ପୂର୍ବରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗ ନିର୍ଦ୍ଧାରଣ କରାଯିବ। ଏଥିସହିତ ପୃଥକିକରଣ ରେଖା ମଧ୍ୟ ସ୍ଥାପନ କରାଯିବ। ତେବେ ଏହା କିଭଳି କରାଯିବ ତାହା ସେମାନେ ସ୍ପଷ୍ଟ କରିନଥିଲେ। ଚଳିତ ବର୍ଷ ୨୧ ଜଣ ଚୀନ ପର୍ବତାରୋହୀଙ୍କୁ ଏଭରେଷ୍ଟ ଆରୋହଣ କରିବାକୁ ଅନୁମତି ଦିଆଯାଇଛି। ସେମାନେ ଏପ୍ରିଲରୁ ତିବ୍ୱତରେ ଏକାନ୍ତବାସରେ ଅଛନ୍ତି।
କୋଭିଡ ଭୟ : ଏଭରେଷ୍ଟ ଶୃଙ୍ଗରେ ‘ପୃଥକିକରଣ ରେଖା’ ସ୍ଥାପନ କରିବ ଚୀନ
Popular Categories



