www.samajalive.in
Monday, December 8, 2025
14.1 C
Bhubaneswar

ଆଉ ଦୂର ନୁହେଁ ଜହ୍ନ, ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ

ଡେସ୍କ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ ମହାକାଶ ଅଭିଯାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଆଜି ସନ୍ଧ୍ୟା ୬ ଘଣ୍ଟା ୦୪ ମିନିଟ ସମୟରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଏହି ସଫଳତା ପରେ ଭାରତ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ବିଶ୍ୱର ଚତୁର୍ଥ ଦେଶ ଭାବରେ ଇତିହାସ ପୃଷ୍ଠାରେ ନିଜକୁ ସାମିଲ କରିପାରିଛି। କେବଳ ସେତିକି ନୁହେଁ, ଚନ୍ଦ୍ରଯାନ-୩ର ସହଜ ଅବତରଣ ଭାରତର ମହାକାଶ ଶକ୍ତି ଓ ଭବିଷ୍ୟତରେ ଚନ୍ଦ୍ର ଅଭିଯାନରେ ଦେଶର ବୈଜ୍ଞାନିକ, ବୈଷୟିକ ଓ ମହାକାଶ ବିଜ୍ଞାନର ସଫଳତାକୁ ଦର୍ଶାଉଛି। ପୂର୍ବରୁ ଆମେରିକା, ରୁଷ ଓ ଚୀନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଥିଲେ ମଧ୍ୟ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହେବାର ଗୌରବ ହାସଲ କରିଛି। ଚନ୍ଦ୍ରଯାନ-୩ ମଧ୍ୟରେ ଥିବା ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜଳ, ଜୀବସତ୍ତା, ବାୟୁମଣ୍ଡଳ ଓ ଖଣିଜ ପଦାର୍ଥ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ।

ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ପରବର୍ତ୍ତୀ ଅଭିଯାନ ଯେଉଁଥିରେ ସୁରକ୍ଷିତ ଅବତରଣ ଏବଂ ଯେକୌଣସି ପରିସ୍ଥିତିରେ ଚନ୍ଦ୍ରପୃଷ୍ଠରେ ଗତି କରିବା କ୍ଷମତା ରହିଛି। ଚଳିତ ବର୍ଷ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଏକ ଲ୍ୟାଣ୍ଡର ରହିଥିଲା ଯେଉଁଥିରେ ଚନ୍ଦ୍ରପୃଷ୍ଠର ତାପମାତ୍ରା ଓ ଚନ୍ଦ୍ରଯାନ-୩ ଅବତରଣ ସ୍ଥାନ ଚାରିପାଖରେ ହେଉଥିବା କମ୍ପନକୁ ମାପିବା ସହ ସେଠାକାର ଘନତା ଏବଂ ଏହାର ପରିବର୍ତ୍ତନକୁ ଆକଳନ କରିବାକୁ ଯନ୍ତ୍ରାଂଶ ଖଞ୍ଜା ଯାଇଥିଲା। ସେହିପରି ରୋଭରରେ ଚନ୍ଦ୍ରପୃଷ୍ଠର ଅବତରଣସ୍ଥଳୀର ମୌଳିକ ସଂରଚନା ଅନୁଧ୍ୟାନ ନିମନ୍ତେ ଏକ୍ସ-ରେ ସ୍ପେକ୍ଟ୍ରୋମିଟର ଖଞ୍ଜା ଯାଇଛି।

- Advertisement -

ଆନ୍ତଃ ଧୃବୀୟ ଅଭିଯାନ ପାଇଁ ଆବଶ୍ୟକ ନୂତନ ବୈଷୟିକ ଜ୍ଞାନର ବିକାଶ ଏବଂ ପ୍ରଦର୍ଶନ ଉଦ୍ଦେଶ୍ୟ ନେଇ ଭାରତରେ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ୍, ପ୍ରପୁଲସନ୍ ମଡ୍ୟୁଲ୍ ଏବଂ ରୋଭରକୁ ନେଇ ପ୍ରସ୍ତୁତ ହୋଇଛି। ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠର ଏକ ନିର୍ଦ୍ଧିଷ୍ଟ ଅଂଚଳରେ ରୋଭର ସହାୟତାରେ ଚନ୍ଦ୍ରପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବ। ଚନ୍ଦ୍ରଯାନ-୩ ଅଭିଯାନର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ନିରାପଦ ଏବଂ ସହଜ ଅବତରଣ, ଚନ୍ଦ୍ରପୃଷ୍ଠରେ ରୋଭରର ଗତିଶୀଳତା ଓ ସେହି ସ୍ଥାନରେ ବୈଜ୍ଞାନିକ ପରୀକ୍ଷଣ କରିବା। ପୂର୍ବରୁ ଚନ୍ଦ୍ରଯାନ-୨ର ଆଂଶିକ ସଫଳତା ପରେ ଚନ୍ଦ୍ରଯାନ-୩ରେ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି। ଏହା ୨ ସପ୍ତାହ ଅର୍ଥାତ ୧୪ ଦିନ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟ କରିବ। ୩ ହଜାର ୯୦୦ ଗ୍ରାମ ଓଜନ ଓ ୨ ମିଟର ଲମ୍ବ ବିଶିଷ୍ଟ ଚନ୍ଦ୍ରଯାନ-୩ରେ ୨ ହଜାର ୧୪୮ ଗ୍ରାମ ଓଜନ ବିଶିଷ୍ଟ ପ୍ରପୁଲସନ ମୋଡ୍ୟୁଲ ରହିଥିବା ବେଳେ ୧ ହଜାର ୭୫୨ ଗ୍ରାମ ଓଜନର ଲ୍ୟାଣ୍ଡର ମୋଡ୍ୟୁଲ ଏବଂ ୨୬ କିଲୋଗ୍ରାମ ଓଜନର ରୋଭର ବିକ୍ରମ ରହିଛି। ତିନୋଟି ଯାକ ଯନ୍ତ୍ରାଂଶ ଶକ୍ତି ଉତ୍ପନ୍ନ ପାଇଁ ସକ୍ଷମ। ସ୍ୱୟଂକ୍ରିୟ ବ୍ୟବସ୍ଥାରେ ପ୍ରପୁଲସନ ମୋଡ୍ୟୁଲ ୭୫୮ ୱାଟ, ଲ୍ୟାଣ୍ଡର ମୋଡ୍ୟୁଲ ୭୩୮ ୱାଟ ଓ ରୋଭର ବିକ୍ରମ ୫୦ ୱାଟ ଶକ୍ତି ଉତ୍ପନ କରିପାରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ଅଭିଯାନରେ ବିଶେଷ ଭାବେ ଚନ୍ଦ୍ରଯାନ-୨ ସହ ଯୋଗାଯୋଗ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ଶ୍ରୀ ହରିକୋଟା ସ୍ଥିତ ଦ୍ଵିତୀୟ ଲଞ୍ଚ ପ୍ୟାଡ଼ରୁ ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇଥିଲା। ଜୁଲାଇ ୧୫ରେ ୧୭୩ କିଲୋମିଟର, ଜୁଲାଇ ୧୭ରେ ୨୨୬ ଓ ଜୁଲାଇ ୨୨ରେ ଏହାକୁ ୨୩୩ କିଲୋମିଟର କକ୍ଷପଥକୁ ନିଆଯାଇଥିଲା। ଅଗଷ୍ଟ ୧ରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଅଗଷ୍ଟ ୫ରେ ଏହା ସଫଳ ଭାବେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ପରେ ଚନ୍ଦ୍ରଯାନ-୩କୁ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରର ନିକଟତର କରାଯାଇଥିଲା। ଅଗଷ୍ଟ ୧୬ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ୧୫୩ କିଲୋମିଟର ନିକଟବର୍ତ୍ତୀ ହେବା ପରେ ଅଗଷ୍ଟ ୧୭ରେ ଲ୍ୟାଣ୍ଡର ମୋଡ୍ୟୁଲକୁ ପ୍ରପୁଲସନ ମୋଡ୍ୟୁଲ ଠାରୁ ଅଲଗା କରାଯାଇଥିଲା। ଅଗଷ୍ଟ ୨୦ରେ ଲ୍ୟାଣ୍ଡର ମୋଡ୍ୟୁଲ ଚନ୍ଦ୍ର ଠାରୁ ୨୫ କିଲୋମିଟର ଦୂର ଓ ୧୩୪ କିଲୋମିଟର ବ୍ୟାସାର୍ଦ୍ଧ କକ୍ଷପଥରେ ଭ୍ରମଣ କରୁଥିଲା।

ଚନ୍ଦ୍ରଯାନ-୩ର ଉତକ୍ଷେପଣ ଓ ସହଜ ଅବତରଣ ନେଇ ଭାରତ ଯେତିକି ଆଶାବାଦୀ ଥିଲା, ସାରା ବିଶ୍ୱ ମଧ୍ୟ ତାଠାରୁ ଅଧିକ ଆଶାବାଦୀ ଥିଲା। ଏହି ଯାନ ଚନ୍ଦ୍ରରେ ଜୀବନ ସତ୍ତା ସମ୍ଭବ କି ନୁହେଁ ସେ ନେଇ ବୈଜ୍ଞାନିକ ମାନଙ୍କୁ ଅଧିକ ତଥ୍ୟ ଯୋଗାଇ ଦେବ। ଏହି ଚନ୍ଦ୍ର ଅଭିଯାନରେ ଉତକ୍ଷେପଣ ପରଠାରୁ ଭାରତକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଥିଲା। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା – ଇସ୍ରୋ ଅଗଷ୍ଟ ୨୦ ରାତି ୧ଟା ୫୦ ମିନିଟରେ ଦ୍ଵିତୀୟ ତଥା ଅନ୍ତିମ ଡ଼ି-ବୁଷ୍ଟିଙ୍ଗ ପ୍ରକ୍ରିୟା ସମ୍ପନ୍ନ କରିଥିଲା। ସେହି ସମୟରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଠାରୁ ୧୩୪ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳ ମଧ୍ୟରେ ୨୫ କିଲୋମିଟର ଦୂରରୁ ପ୍ରଦକ୍ଷିଣ କରୁଥିଲା। ସେହିପରି ଅଗଷ୍ଟ ୧୭ରେ ‘ବିକ୍ରମ’ ଲ୍ୟାଣ୍ଡର୍ ମଡ୍ୟୁଲ୍, ପ୍ରପଲସନ ମଡ୍ୟୁଲ୍ ଠାରୁ ସଫଳତାର ସହିତ ପୃଥକ ହୋଇଥିଲା। ‘ବିକ୍ରମ’ ଲ୍ୟାଣ୍ଡର୍ ମଡ୍ୟୁଲ୍ ମଧ୍ୟରେ ରହିଛି ‘ପ୍ରଜ୍ଞାନ’ ଯାହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ବାହାରକୁ ଆସିଛି।

ଚନ୍ଦ୍ରଯାନ-୩ ଅବତରଣ କରିଥିବା ଅଂଚଳରେ ସୂର୍ଯ୍ୟାଲୋକ ପଡିବା ପରେ ଲ୍ୟାଣ୍ଡର ମୋଡ୍ୟୁଲ ଭିତରେ ଥିବା ଯନ୍ତ୍ରାଂଶ ଗୁଡିକର ଶେଷ ଥର ପାଇଁ ଯାଞ୍ଚ କରାଯାଇଥିଲା ଓ ଇସ୍ରୋ କେତେକ ଅପଡେଟ ମଧ୍ୟ କରିଥିଲା। ଚନ୍ଦ୍ରରେ ୧୪ ଦିନ ଅନ୍ଧକାର ଓ ୧୪ ଦିନ ଆଲୋକିତ ହୋଇଥାଏ। ଆଜି ଚନ୍ଦ୍ରରେ ସୂର୍ଯ୍ୟାଲୋକ ପଡିଛି।

ଭାରତର ଚନ୍ଦ୍ର ଅଭିଯାନ ଆରମ୍ଭ ହୋଇଥିଲା ୨୦୦୮ ମସିହା ଅକ୍ଟୋବର ୨୨ରେ। ସେହିଦିନ ଚନ୍ଦ୍ରଯାନ-୧ ଉତକ୍ଷେପଣ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ଅଂଚଳକୁ ନେଇ ଏକ ତ୍ରୀକୋଣୀୟ ଆଟଲାସ ପ୍ରସ୍ତୁତ କରିବା। ଚନ୍ଦ୍ରଯାନ-୧ ଚନ୍ଦ୍ରର କକ୍ଷ ପଥରେ ୩୧୨ ଦିନରେ ୩ ହଜାର ୪ ଶହ ଥର ପରିକ୍ରମା କରିବା ପରେ ୨୦୦୯ ମସିହା ଅଗଷ୍ଟ ୨୯ରେ କମାଣ୍ଡ ସେଣ୍ଟର ସହ ଏହାର ଯୋଗାଯୋଗ ବିଛିନ୍ନ ହୋଇଥିଲା। ତେବେ ଏହାର ବିଶେଷତ୍ୱ ଥିଲା ଯେ ଚନ୍ଦ୍ରଯାନ-୧ରେ ସ୍ୱଦେଶୀ ବିକଶିତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଥିଲା।

ପରେ ୨୦୧୯ ଜୁଲାଇରେ ଚନ୍ଦ୍ରଯାନ-୨ ଉତକ୍ଷେପଣ କରାଯାଇଥିଲା ଓ ସେଥିରେ ଭାରତକୁ ଆଂଶିକ ସଫଳତା ମିଳିଥିଲା। ସେହିବର୍ଷ ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅବତରଣ କରିବା ସମୟରେ ଚନ୍ଦ୍ରପୃଷ୍ଠର ଚଟାଣ ସହ ଧକ୍କା ଖାଇଥିଲା।

ତେବେ ଏହା ନିଶ୍ଚିତ ଯେ ଆଜିର ସଫଳତା ଭାରତକୁ ଆଗାମୀ ଦିନରେ ମହାକାଶ ଅଭିଯାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରିବାରେ ସହାୟକ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories