www.samajalive.in
Saturday, December 6, 2025
26.1 C
Bhubaneswar

ଚମ୍ପୁଆ ଆସନରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ: ଆଶାୟୀ ଓ ସମର୍ଥକଙ୍କୁ କରିଛି ନିରାଶ

କେନ୍ଦୁଝରଗଡ଼: ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଘୋଷଣା ନେଇ ରାଜନୈତିକ ମହଲରେ ସେତିକି ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। କେନ୍ଦୁଝର ସଂସଦୀୟକ୍ଷେତ୍ର ଅଧିନ ଜିଲାର ୬ ବିଧାନସଭା ଓ ପଡୋଶୀ ମୟୁରଭଞ୍ଜ ଜିଲାର କରଞ୍ଜିଆ ବିଧାନସଭା ଆସନ ସମେତ କେନ୍ଦୁଝର ଲୋକସଭା ଆସନ ପାଇଁ ଆସନ୍ତା ମେ ୨୫ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏଥିନିମନ୍ତେ ଅପ୍ରେଲ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ସେହିଦିନ ଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବାକୁ ଥିବାରୁ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା ନେଇ କସରତ ଆରମ୍ଭ କରିଛନ୍ତି। ଶାସକ ବିଜେଡି ପକ୍ଷରୁ ଘସିପୁରା ଓ ପାଟଣା ବିଧାନସଭା ଆସନ ପାଇଁ ଦୁଇ ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ଜଗନ୍ନାଥ ନାଏକଙ୍କ ନାମ ଘୋଷଣା କରିଥିବା ବେଳେ ଜିଲାର ଅନ୍ୟ ୪ ବିଧାନସଭା ଏବଂ ଏକମାତ୍ର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।

ସେହିଭଳି ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କେନ୍ଦୁଝରରୁ ଅନନ୍ତ ନାଏକଙ୍କୁ ଦଳ ପ୍ରାର୍ଥୀ କରିଛି। ମଙ୍ଗଳବାର ବିଜେପି ପକ୍ଷରୁ ରାଜ୍ୟର ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ସେଥିମଧ୍ୟରୁ କେନ୍ଦୁଝର ସଦର ଆସନ ପାଇଁ ବିଧାୟକ ମୋହନ ଚରଣ ମାଝୀ ଓ ଆନନ୍ଦପୁର ଆସନ ପାଇଁ ଗତଥରର ପ୍ରାର୍ଥୀ ଆଲୋକ କୁମାର ସେଠୀଙ୍କୁ ପୁଣିଥରେ ପ୍ରାର୍ଥୀ କରାଯାଇଛି। ତେବେ ଜିଲାର ଗୁରୁତ୍ୱପୂର୍ଣ୍ଣ ଚମ୍ପୁଆ ସମେତ ତେଲକୋଇ, ପାଟଣା ଓ ଘସିପୁରା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରିନାହିଁ। ଚମ୍ପୁଆର ପୂର୍ବତନ ସ୍ୱାଧିନ ବିଧାୟକ ସନାତନ ମହାକୁଡ ଚଳିତ ନିର୍ବାଚନରେ ସେ ବିଜେଡି କିମ୍ବା ବିଜେପିରୁ ଚମ୍ପୁଆ ଆସନରୁ ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ହେଉଛି। କିନ୍ତୁ ତାଙ୍କୁ କେଉଁ ଦଳ ଆପଣାଉଛି ସେ ନେଇ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଛକାପଞ୍ଛା ଲାଗି ରହିଛି।

- Advertisement -

ପୂର୍ବତନ ବିଧାୟକ ଶ୍ରୀ ମହାକୁଡ ଖୁବଶିଘ୍ର ବିଜେପିରେ ଯୋଗଦେଇ ନିଜେ ଚମ୍ପୁଆରୁ ପ୍ରାର୍ଥୀ ହେବାସହ ତେଲକୋଇ, ପାଟଣା, ଘସିପୁରା ଓ ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ଆସନ ପାଇଁ ତାଙ୍କ ସମର୍ଥୀତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ନେଇ ଦଳର ରାଜ୍ୟ ଶୀର୍ଷ ନେତୃତ୍ୱ ସହ ତାଙ୍କର ଭିତିରି ଆଲୋଚନା ଜାରି ରଖିଥିବା ବିଜେପି ଦଳୀୟ ମହଲରୁ ଜଣାପଡିଛି। ତେବେ ସନାତନ ଯଦି ବିଜେପିରେ ଯୋଗ ନଦିଅନ୍ତି ତାହାଲେ ଚମ୍ପୁଆରୁ ମୁରଲୀ ଶର୍ମା, ପାଟଣାରୁ ପୂର୍ବତନ ଜିଲାପରିଷଦ ସଭାପତି ମମିତା ନାଏକ ଓ ଗତ ନିର୍ବାଚନରେ ଦଳୀୟପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧିନ ପ୍ରାର୍ଥୀ ଅଖିଳ ନାଏକ, ତେଲକୋଇ ଆସନରୁ ଡାକ୍ତର ଫକୀର ଚରଣ ନାଏକ ଓ ପୁରୁଖା ନେତା ମାନସ ନାଏକ ଏବଂ ଘସିପୁରାରୁ ଗତଥରର ପ୍ରାର୍ଥୀ ପୃଥ୍ୱୀରାଜ କୁଅଁର, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂହ, ଯୁବନେତା ଯଜ୍ଞପ୍ରସାଦ ସାହୁ, ପୁରୁଖା ନେତା ଶମ୍ଭୁନାଥ ରାଉତ ପ୍ରମୁଖ ଦୌଡରେ ଥିବାବେଳେ ହାତୀ କାହା ମଣ୍ଡରେ ସୁନାକଳସ ଢ଼ାଳୁଛି ତାକୁ ନେଇ ଆଶାୟୀ ଓ ସମର୍ଥକଙ୍କ ମହଲରେ ଉତ୍କଣ୍ଠା ବେଶ ବଢ଼ିବାରେ ଲାଗିଛି।

ଅନ୍ୟପଟେ ସନାତନ ବିଜେଡିରେ ଯଦି ଯୋଗ ଦିଅନ୍ତି ତାହାଲେ ଜିଲାର ଏକମାତ୍ର ଲୋକସଭା ସମେତ ଅବଶିଷ୍ଟ ୪ ବିଧାନସଭା ଆସନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଆଲୋଚନା ଜୋର ଧରିଛି। ଶାସକ ବିଜେଡି ପୁଣିଥରେ ମହିଳା କାର୍ଡ ଖେଳି କେନ୍ଦୁଝରଗଡ ପୂର୍ବତନ ନଗରପାଳ ମୀନା ମାଝୀଙ୍କୁ ଲୋକସଭା ପ୍ରାର୍ଥୀ କରିବା ନେଇ ନୂଆ ଆଲୋଚନା ଆରମ୍ଭ ହୋଇଛି। ମୀନା ମାଝୀ ସଦର ବିଧାନସଭା ପାଇଁ ପ୍ରତିଦ୍ୱନ୍ଦିତା କରନ୍ତି ତାହାଲେ ତେଲକୋଇ ଆସନରୁ ଧନୁର୍ଜୟ ସିଦ୍ଦୁଙ୍କ ପ୍ରାର୍ଥୀତ୍ୱକୁ ଦଳୀୟ ବିରୋଧାଭାଷ ପରେ ତାଙ୍କୁ ବିଜେଡି ଲୋକସଭା ପ୍ରାର୍ଥୀ କରିବା ନେଇ ଦଳୀୟ ନେତାଙ୍କ ମଧ୍ୟରେ ଆଲୋଚନା ହେଉଛି। ସେହିଭଳି ତେଲକୋଇ ଆସନରୁ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସଦାନନ୍ଦ ନାୟକ, ବାଂଶାପାଳ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀ କିମ୍ବା ପୂର୍ବତନ ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ଦାସଙ୍କୁ, ଆନନ୍ଦପୁର ଆସନରୁ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ କିମ୍ବା ତାଙ୍କ ସ୍ୱାମୀ ଅଭିମନ୍ୟୁ ସେଠୀ, କେନ୍ଦୁଝର ସଦରରୁ ଗତଥରର ପ୍ରାର୍ଥୀ ମାଧବ ସର୍ଦ୍ଦାର ଏବଂ ଚମ୍ପୁଆରୁ ବିଧାୟିକା ମିନାକ୍ଷୀ ମହାନ୍ତ କିମ୍ବା ପୁରୁଖା ନେତା କୁଶ ଆପଟ୍ଟଙ୍କ ନାମକୁ ଦଳ ପକ୍ଷରୁ ଖୁବ୍‌‌ ଶିଘ୍ର ମୋହର ଲାଗିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ରାଜ୍ୟ କଂଗ୍ରେସର ଦୁଇ ହେଭିୱେଟ୍‌‌ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଜିଲା କେନ୍ଦୁଝରରେ କଂଗ୍ରେସର ଦୁର୍ଗ ଭୁଷୁଡି ପଡିଥିବା ବେଳେ ଦଳ ଚଳିତଥର ଲୋକସଭା ଓ ଜିଲାର ୬ ବିଧାନସଭା ଆସନ ପାଇଁ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ନେତା ଓ କର୍ମୀ ଆଶଙ୍କାରେ ଅଛନ୍ତି।

 

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories