www.samajalive.in
Monday, December 8, 2025
24.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ୍‌ ପାଇଁ ୪ ମାସ ସମୟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ପାଇଁ ରୋଗୀଙ୍କୁ ୪ ମାସ ସମୟ ଦିଆଯାଉଛି। କେତେବେଳେ ଡାକ୍ତର ନାହାନ୍ତି କହୁଛନ୍ତି ତ ପୁଣି ମେସିନ୍‌ ଖରାପ କହି ଫେରାଇ ଦେଉଛନ୍ତି। ମୋ ସରକାର କାର୍ଯ୍ୟକ୍ରମ ପ୍ରଚଳନ ପ‌େ‌ର ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ସାଧାରଣ ଗରିବ ରୋଗୀ ଘରୋଇ ହସ୍ପିଟାଲକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ବିଶେଷ କରି ଗୋଟିଏ ‌ମେସିନ ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ଅନ୍ୟଟି ଅଲଟ୍ରାସାଉଣ୍ଡ୍‌ ବିଭାଗରେ ରହିଛି; କିନ୍ତୁ ରୋଗୀଙ୍କୁ ସେବା ମିଳୁନାହିଁ। ଏମିତି ପରିସ୍ଥିତି ହେଉଛି ରୋଗୀଙ୍କୁ ୪ ମାସ ସମୟ ଦିଆଯାଉଛି। ଶନିବାର ନୟାଗଡରୁ ଜନୈକ ରୋଗୀ ଅଲଟ୍ରାସାଉଣ୍ଡ ପାଇଁ ଆସିଥିବାବେଳେ ତାଙ୍କୁ ୪ମାସ ସମୟ ଦିଆଯାଇଥିଲା । ଏହାପରେ ବାଧ୍ୟ ହୋଇ ସେ ଏକ ଘରୋଇ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ କରିଥିଲେ। ହସ୍ପିଟାଲରେ ଗୋଟିଏ ମେସିନ୍‌ରେ ଅଲଟ୍ରାସାଉଣ୍ଡ୍‌ କରାଯାଉଥିବାବେଳେ ଅନେକ ରୋଗୀ ଏଥିରୁ ବଞ୍ଚିତ ହେଉଛନ୍ତି। ପ୍ରସୂତିଙ୍କଠାରୁ ଆରମ୍ଭ କରି ସାଧାରଣ ରୋଗୀଙ୍କୁ ମଧ୍ୟ ଘରୋଇ ହସ୍ପିଟାଲକୁ ଯିବାକୁ ଏକପ୍ରକାର ବାଧ୍ୟ କରାଯାଉଛି। ବହୁ କଷ୍ଟରେ ଘରୋଇ ହସ୍ପିଟାଲକୁ ଯାଇ ସେଠାରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରିପୋର୍ଟ ଆଣିବା ପରେ ଓପିଡି ସମୟ ସରିଯାଉଛି। ଯଦି ଡାକ୍ତର ଅସ୍ତ୍ରୋପଚାରରେ ଥିବେ ତେବେ ପୁଣି ଅନେକ ସମୟ ଅପେକ୍ଷା କରିବାକୁ ପଡୁଛି। ଘରୋଇ ହସ୍ପିଟାଲରେ ଅଲଟ୍ରସାଉଣ୍ଡ କଲେ ୮୦୦ରୁ ୫୦୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବାହାରୁ ଆସୁଥିବା ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରେଫରାଲ ହସ୍ପିଟାଲଭାବେ ଏଠାକୁ ହଜାର ହଜାର ଲୋକ ଆସୁଥିବାବେଳେ ଅଲଟ୍ରାସାଉଣ୍ଡ କରିପାରୁନାହାନ୍ତି। କେବଳ ସାଧାରଣ ରୋଗୀ ନୁହନ୍ତି ଶିଶୁ ଏବଂ ପ୍ରସୂତି ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ବର୍ତ୍ତମାନ ଜଣେ ରେଡିଓଲୋଜିଷ୍ଟ ଏବଂ ଆଟେଣ୍ଡାଣ୍ଟରେ ଅଲଟ୍ରାସାଉଣ୍ଡ କରାଯାଉଛି । ସେହିପରି ଏମ୍‌ସିଏଚ୍‌ରେ ଥିବା ଅଲଟ୍ରାସାଉଣ୍ଡ୍‌ ମେସିନରେ ପ୍ରତ୍ୟହ ୨୦ରୁ ଅଧିକ ପ୍ରସୂତି ଅଲଟ୍ରାସାଉଣ୍ଡ କରିଥାନ୍ତି। ଏହାବ୍ୟତୀତ ଅଲଟ୍ରାସାଉଣ୍ଡ ବିଭାଗ ପ୍ରତ୍ୟହ ୭୦ରୁ ଅଧିକ ରୋଗୀ ଅଲଟ୍ରାସାଉଣ୍ଡ ପାଇଁ ଆସିଥାନ୍ତି। ବର୍ତ୍ତମାନ ସଠିକ୍‌ ସେବା ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ କହିବା ଅନୁସାରେ ଭିତ୍ତିଭୂମି ସହିତ କର୍ମଚାରୀ, ଆବଶ୍ୟକ ଯନ୍ତ୍ରପାତି ସଠିକ୍‌ ସମୟରେ ଯୋଗାଇଦେବା ଦରକାର। ଏହାହେଲେ ସାଧାରଣ ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରିବେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories