-ମହାକାଶକୁ ମାନବ ଅଭିଯାନ ପଠାଇବା ଉଦ୍ଦେଶ୍ୟରେ ବୈଷୟିକ ସମନ୍ୱୟ ପ୍ରତିଷ୍ଠା ଲକ୍ଷ୍ୟ
-ରୁଷ ଓ ପଡ଼ୋଶୀ ରାଷ୍ଟ୍ରର ମହାକାଶ ଏଜେନ୍ସି ସହ ଏକାଠି କାର୍ଯ୍ୟ କରିବ ଏହି ୟୁନିଟ୍
ନୂଆଦିଲ୍ଲୀ : ରୁଷର ମସ୍କୋଠାରେ ଇସ୍ରୋ ବୈଷୟିକ ସହାୟକ ୟୁନିଟ (ଆଇଟିଏଲୟୁ) ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଆଇଟିଏଲୟୁରେ କର୍ମଚାରୀଙ୍କ ଦରମା, କାର୍ଯ୍ୟାଳୟ ଖର୍ଚ୍ଚ, ଭଡା ଓ କର ବାବଦରେ ବାର୍ଷିକ ପାଖାପାଖି ୧.୫୦ କୋଟି ଟଙ୍କା ବ୍ୟୟ ହେବ।
ଇସ୍ରୋ ବୈଷୟିକ ସହାୟକ ୟୁନିଟ (ଆଇଟିଏଲୟୁ) ମାଧ୍ୟମରେ ରୁଷ ଓ ପଡୋଶୀ ଦେଶ ସହ ଯଥା ସମୟରେ ଇସ୍ରୋର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିବିଧ ବିଷୟ ଉପରେ ଫଳପ୍ରଦ ଭାବେ ବୈଷୟିକ ସମନ୍ୱୟ ରକ୍ଷା କରାଯାଇପାରିବ। ଆଇଟିଏଲୟୁରେ ନିଯୁକ୍ତ ସମନ୍ୱୟ ଅଧିକାରୀ ସମ୍ପୃକ୍ତ ଦେଶରେ ବିଭିନ୍ନ ଗବେଷଣା, ପ୍ରଯୁକ୍ତି ବିଦ୍ୟା ଓ ଗବେଷକ, ସରକାରୀ ଏଜେନ୍ସି ଏବଂ ଶିଳ୍ପାନୁଷ୍ଠାନ ସହ ହୋଇଥିବା ବୈଠକରୁ ମିଳିଥିବା ବୈଷୟିକ ସୂଚନା ପ୍ରଦାନ କରିବେ। ମହାକାଶ ପ୍ରଯୁକ୍ତି ବିଦ୍ୟା ଉପରେ ଚାଲିଥିବା ଦ୍ୱିପାକ୍ଷିକ କାର୍ଯ୍ୟକ୍ରମକୁ ସେମାନେ ସମର୍ଥନ କରିବେ ଏବଂ ଇସ୍ରୋ ପକ୍ଷରୁ ଏନେଇ କାର୍ଯ୍ୟ କରିବେ। ପାରସ୍ପରିକ ପଦକ୍ଷେପ ଓ ଫଳାଫଳ ନେଇ ଇସ୍ରୋ ରୁଷ ଏବଂ ଅନ୍ୟାନ୍ୟ ପଡୋଶୀ ଦେଶର ମହାକାଶ ଏଜେନ୍ସି ଓ ଶିଳ୍ପ ସହ ଏକାଠି କାର୍ଯ୍ୟ କରିପାରିବ।
ଇସ୍ରୋର ମହାକାଶଯାନ କାର୍ଯ୍ୟକ୍ରମ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା ଓ ସ୍ୱତନ୍ତ୍ର ସୁବିଧା ନିର୍ମାଣ କରିବାର ଆବଶ୍ୟକତା ରହିଛି, ଯାହାକି ମହାକାଶରେ ଜୀବନଧାରଣ କରିବାରେ ସହାୟକ ହେବ। ୧୫ ଅଗଷ୍ଟ, ୨୦୨୨ ସୁଦ୍ଧା ମହାକାଶକୁ ମାନବ ଅଭିଯାନ ପଠାଇବାର ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ପାଇଁ ଆନ୍ତର୍ଜାତିକ ମହାକାଶ ଏଜେନ୍ସି ଠାରୁ ବୈଷୟିକ ସହାୟତା ନେବା ଆବଶ୍ୟକ ହେବ। ଏହି ସଂସ୍ଥାଗୁଡିକ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବୈଷୟିକ ପାରଦର୍ଶିତା ପ୍ରଦର୍ଶିତ କରିସାରିଛନ୍ତି। ମହାକାଶ ବିଜ୍ଞାନ କ୍ଷେତ୍ରରେ ରୁଷ ଏକ ଉନ୍ନତ ରାଷ୍ଟ୍ର ହୋଇଥିବାରୁ ବିଭିନ୍ନ ପ୍ରାସଙ୍ଗିକ କ୍ଷେତ୍ରରେ ଏହି ଦେଶ ସହିତ ବ୍ୟାପକ ଭାବେ ସଂଯୁକ୍ତ ହେବାପାଇଁ ଲକ୍ଷ୍ୟ ରଖାଯାଇଛି।
ମସ୍କୋରେ ପ୍ରତିଷ୍ଠା ହେବାକୁ ଥିବା ଆଇଟିଏଲୟୁ ଜଣେ ଇସ୍ରୋ ବୈଜ୍ଞାନିକ/ଇଂଜିନିୟରଙ୍କ ଦ୍ୱାରା ପରିଚାଳିତ ହେବ, ଯାହାଙ୍କୁ ମହାକାଶ ପରାମର୍ଶଦାତା କୁହାଯିବ। ସେ ଇସ୍ରୋ ଦ୍ୱାରା ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ଏଠାରେ ନିଯୁକ୍ତ ହେବେ। ତାଙ୍କୁ ଜଣେ ଆଂଚଳିକ
ଷ୍ଟାଫ୍ ସହାୟତା କରିବେ। ଅନୁମୋଦନର ୬ ମାସ ମଧ୍ୟରେ ଏହି ପ୍ରକ୍ରିୟାର କାର୍ଯ୍ୟାନ୍ୱୟନ ଶେଷ ହେବ।
ଆଇଟିଏଲୟୁରେ ନିଯୁକ୍ତ ସମନ୍ୱୟ ଅଧିକାରୀ ସମ୍ପୃକ୍ତ ଦେଶରେ ବିଭିନ୍ନ ଗବେଷଣା, ପ୍ରଯୁକ୍ତି ବିଦ୍ୟା ଓ ଗବେଷକ, ସରକାରୀ ଏଜେନ୍ସି ଏବଂ ଶିଳ୍ପାନୁଷ୍ଠାନମାନଙ୍କ ସହ ହୋଇଥିବା ବୈଠକରୁ ମିଳିଥିବା ବୈଷୟିକ ସୂଚନା ପ୍ରଦାନ କରିବେ। ମହାକାଶ ପ୍ରଯୁକ୍ତି ବିଦ୍ୟା ଉପରେ ଚାଲିଥିବା ଦ୍ୱିପାକ୍ଷିକ କାର୍ଯ୍ୟକ୍ରମକୁ ସେମାନେ ସମର୍ଥନ କରିବେ ଏବଂ ଇସ୍ରୋ ପକ୍ଷରୁ ଏନେଇ କାର୍ଯ୍ୟକରିବେ।



