ଭୁବନେଶ୍ବର : ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ପୁଅର ଅପହର୍ତାଙ୍କୁ ମାତ୍ର ୩୬ ଘଣ୍ଟା ଭିତରେ କମିସନରେଟ୍ ପୁଲିସ ଉଦ୍ଧାର କରିଥିଲା। ୪ ଜଣ ଅପହର୍ତ୍ତାଙ୍କୁ ପୁଲିସ ଗିରଫ କରିଥିଲା। ଅଦାଲତ ଚାଲାଣ କରାଯିବା ପୂର୍ବରୁ ଅପହର୍ତ୍ତାଙ୍କୁ ପୁଲିସ ପଚରାଉଚରା କରି ଅନେକ ତଥ୍ୟ ପାଇଛି। ଅପହୃତ ଇଶାନ ଅଗ୍ରୱାଲ୍ଙ୍କୁ ଅପହରଣ କରିବା ପଛରେ ତାଙ୍କର ଜଣେ ପୁରୁଣା ବନ୍ଧୁର ହାତ ଥିଲା। ଗିରଫ ହୋଇଥିବା ନୟାଗଡ ଗୌଡପୁଟର ଧନେଶ୍ବର ପାତ୍ର ଏହି ଅପହରଣର ମୁଖ୍ୟ କାର୍ପଟଦାର। ସେ ଅପହରଣ ପାଇଁ ପ୍ରସ୍ତୁତ କରିଥିଲା ଏକ ନକ୍ସା।
ମିଳିଥିବା ସୂଚନା ମୁତାବକ ଅପହର୍ତ୍ତା ଧନେଶ୍ବର ଓ ଅପହୃତ ଇଶାନ ଦୁହେଁ ବନ୍ଧୁ। ୬ ବର୍ଷ ହେବ ସେମାନଙ୍କ ମଧ୍ୟରେ ବନ୍ଧୁତା ଥିଲା। ଦୁହେଁ ଏକାଠି ୧୦ମ ପରୀକ୍ଷା ଦେଇଥିଲେ। ଦୁହେଁ ପରସ୍ପରକୁ ଜାଣିଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ କଦବା କ୍ବଚିତ୍ କଥାବାର୍ତ୍ତା ହୁଅନ୍ତି। ଇଶାନ୍ ସମ୍ପର୍କେର ସବୁ କିଛି ତଥ୍ୟ ସଂଗ୍ରହ କରିଥିଲା ଧନେଶ୍ବର। ଇଶାନର ବାପା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାରୁ ତାକୁ ଅପହରଣ କରିବା ଲାଗି ଧନେଶ୍ବର ରଚିଥିଲା ନକ୍ସା। ନିଜେ ସାମ୍ନାକୁ ଆସି ନ ଥିଲେ ସୁଦ୍ଧା ଅନ୍ୟମାନଙ୍କ ସହିତ ମିଶି ଅପହରଣ କରିଥିଲା। ଏପରିକି ଇଶାନଙ୍କୁ ଅପହରଣ କରି ନିିଆଯାଇଥିବା କାର୍କୁ ସେ ଚଳାଉଥିଲା। ମୁହଁରେ ଏଭଳି ତୁଣ୍ଡି ବାନ୍ଧିଥିଲା ଯେ ଯେମିତି ଇଶାନ ତାକୁ ଚିହ୍ନି ପାରିବନାହିଁ। ଏପରିକି ସେ ଗାଡ଼ି ଚଳାଉଥିଲେ ବି ବାଟରେ ଆଦୌ କଥା ହୋଇ ନ ଥିଲା। ତେଣୁ ଇଶାନ ତା’ର ପୁରଣା ବନ୍ଧୁକୁ ଚିହ୍ନି ପାରି ନ ଥିଲା।
ଗିରଫ ହେବା ପରେ ଇଶାନ ଅଭିଯୁକ୍ତଙ୍କ ମଧ୍ୟରେ ତା’ର ପୁରୁଣା ବନ୍ଧୁ ଧନେଶ୍ବରକୁ ଚିହ୍ନିଥିଲା। ଏହା ପରେ ପୁଲିସ ତନାଘନା କରିବା ବେଳେ ସମସ୍ତ ଘଟଣା ପଦାକୁ ଆସିଥିଲା। ଇଶାନ ଅପହରଣରେ କେଉଁମାନଙ୍କର ଭୂମିକା କ’ଣ ହେବ ଏନେଇ ଧନେଶ୍ବର ସମସ୍ତ କ୍ଷେତ୍ର ପ୍ରସ୍ତୁତ କରିଥିଲା। ଇଶାନକୁ ଜଣେ ଲକ୍ଷ୍ମୀସାଗରର ଏକ ଚା’ ଦୋକାନ ନିକଟକୁ ଡକାଇଥିଲା। ଯୋଜନା ମୁତାବକ ସେଠାରେ କାର୍ ଧରି ପ୍ରସ୍ତୁତ ଥିବା ଅପହର୍ତ୍ତାମାନେ ତାଙ୍କୁ ବଳପୂର୍ବକ ଧରି କାର୍ରେ ଭର୍ତ୍ତି କରିନେଇ ଯାଇଥିଲେ। ଇଶାନଙ୍କ ମୁଣ୍ଡ ଜାମିନ୍ ବାବଦରେ ଅପହର୍ତାମାନେ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ଇଶାନଙ୍କ ବାପା ଏ ସମ୍ପର୍କରେ କମିସନରେଟ୍ ପୁଲିସକୁ ଜଣାଇବା ପରେ ପୁଲିସ ଅପହର୍ତ୍ତାଙ୍କୁ ପିଛା କରି େଶଷରେ ପୁଲିସ ଅପହରଣକାରୀଙ୍କୁ ନୟାଗଡ ରାଜସୁନାଖଳା ଚୁଡା ଜଙ୍ଗଲ ନିକଟରେ କାବୁ କରିବା ସହ ତାଙ୍କୁ ଉଦ୍ଧାର କରିଥିଲା।
ଅପହର୍ତ୍ତାଙ୍କର କାରାଗାରରେ ଚିହ୍ନଟ ପରେଡ୍ କରାଯିବ। ଏ ସମ୍ପର୍କରେ ଭୁବନେଶ୍ବର ଉପାୟୁକ୍ତ ଡ. ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି ଯେ ଅଦାଲତରେ ଆବେଦନ କରାଯାଇଛି। ଅଦାଲତଙ୍କଠାରୁ ଅନୁମତି ମିଳିବା ପରେ ଖୁବ୍ଶୀଘ୍ର ଏହି ଚିହ୍ନଟ ପରେଡ କରାଯିବ। ଏହା ପରେ ଅଭିଯୁକ୍ତଙ୍କୁ ଜିମାରେ ଅଣାଯିବା ଲାଗି ପୁନର୍ବାର ଅଦାଲତରେ ଆବେଦନ କରାଯିବ। ଏହି ଅପହରଣରେ ଆଉ ୩ ଜଣ ସାମିଲ୍ ଥିବା ଜଣାପଡିଛି।
ସ୍ବତନ୍ତ୍ର ଦଳର ଅଧିକାରୀଙ୍କୁ ସମ୍ମାନିତ କଲେ ଉପାୟୁକ୍ତ
ମାତ୍ର ୩୬ ଘଣ୍ଟା ମଧ୍ୟରେ ଅପହର୍ତ୍ତାଙ୍କ କବଳରୁ ଅପହୃତ ଇଶାନଙ୍କୁ ଉଦ୍ଧାର କରିବା ଲାଗି କମିସନରେଟ୍ ପୁଲିସର ୪ ଦଳ ଗଠନ କରାଯାଇଥିଲା। ତେବେ ଏସବୁ ଦଳର ନିୟନ୍ତ୍ରଣ ଦାୟିିତ୍ବରେ ଥିଲେ ସହକାରୀ ଆୟୁକ୍ତ ସଞ୍ଜୀବ ଶତପଥୀ। ଭୁବନେଶ୍ବର ଉପାୟୁକ୍ତ ଏହି ଦଳରେ ସାମିଲ ଥିବା କର୍ମଚାରୀଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ।



