ଧବଳେଶ୍ଵର ପୀଠକୁ ମୋଟରସାଇକେଲ ମନାଥିବାବେଳେ ଗଲା ବସ୍, ତଦନ୍ତ ଦାବି

ଗୁରୁଡିଝାଟିଆ : ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ଵରକୁ ଦୈନିକ ଶହଶହ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି। ମହାନଦୀରେ ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁ ଉପରେ ଶ୍ରଦ୍ଧାଳୁମାନେ ପାଦରେ ଚାଲି ଚାଲି ପୀଠକୁ ଯାଉଛନ୍ତି। ଏପରି କି ଏକ ବ୍ୟାଟେରୀ ତିନି ଚକିଆ ଗୋଟିଏ ଗାଡି ଶ୍ରଦ୍ଧାଳୁଙ୍କୁ ନେବା ଆଣିବା କରିଥାଏ ,ହେଲେ ମୋଟର ସାଇକେଲ କିମ୍ବା ବସ ଆଦି ଯିବା ଆସିବାକୁ ବାରଣ କରାଯାଇଛି। ହେଲେ ଗତକାଲି ପୂର୍ବାହ୍ନରେ ଏକ ଯାତ୍ରୀବାହୀ ବସ ସେତୁ ଦେଇ ପୀଠ ଯାଇଥିଲା। ଏହାକୁ ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ବହୁ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଶିଶୁମାନେ ବହୁ କଷ୍ଟରେ ପୀଠକୁ ଦର୍ଶନ ପାଇଁ ଯାଉଥିବାବେଳେ କାହା ନିର୍ଦ୍ଦେଶରେ ପୀଠକୁ ସେତୁ ଦେଇ ବସ ଯାଇଥିଲା ବୋଲି ପ୍ରଶ୍ନ ଉଠିଛି । ଏ ସଂପର୍କରେ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ କି, ଦେବୋତ୍ତର ବିଭାଗର ନିର୍ଦ୍ଦେଶ ପାଇଁ ବସକୁ ପୀଠକୁ ଛଡାଯାଇଛି। ହେଲେ ଦେବୋତ୍ତର ବିଭାଗର କିଏ ସେହି କ୍ଷମତାଶାଳୀ କର୍ମଚାରୀ ଯାହାଙ୍କ ପାଇଁ ସବୁ ନିୟମ ତୁଚ୍ଛ ବୋଲି ଏବେ ଆଲୋଚନା ହେଉଛି। ଘଟଣା ସମ୍ପର୍କରେ ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ପଚାରିବାରୁ ସେ କହିଥିଲେ କି, ପ୍ରଶାସନ ଓ ଜରୁରୀ କାର୍ଯ୍ୟରେ ନିୟୋଜିତ ଗାଡ଼ିକୁ ବାଦ୍ ଦେଲେ ସର୍ବସାଧାରଣ ଗାଡ଼ିକୁ ଚଳାଚଳ ପାଇଁ ବାରଣ କରାଯାଇଛି। ବସ ପୀଠକୁ ବେଆଇନ ଭାବେ ଯାଇଛି ବୋଲି ସେ କହିଥିଲେ। ତେବେ ପୁଲିସ କାହା ନିର୍ଦ୍ଦେଶରେ ବସକୁ ପୀଠକୁ ସେତୁ ଦେଇ ଛାଡ଼ିଲା ସେନେଇ ତଦନ୍ତ ପାଇଁ ଦାବି ହୋଇଛି।
Comments are closed.