ବୌଦ୍ଧ : ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ପାଇଁ ସାରା ବିଶ୍ୱରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଥିବାବେଳେ ଦେଶରେ ଏକମାତ୍ର ଜିଲା ଭାବରେ ବୁଦ୍ଧ ନାମରେ ନାମିତ ହୋଇ ବୌଦ୍ଧଜିଲା ମଧ୍ୟ ସ୍ୱତନ୍ତ୍ର ପରିଚୟ ଲାଭ କରିପାରିଛି। ପବିତ୍ର ବୁଦ୍ଧ ଜୟନ୍ତୀ ଅବସରରେ ରାଜ୍ୟ ସରକାର ବୌଦ୍ଧଜିଲାରେ ସରକାରୀ ଛୁଟି ଘୋଷଣା କରିବା ଦ୍ୱାରା ଏହାର ଗୁରୁତ୍ୱ ଅଧିକ ବୃଦ୍ଧି ପାଇଛି। ଜିଲାରେ ଯେକୌଣସି ସଭାସମିତିରେ ଦେବାଦେବୀଙ୍କ ସହ ବୁଦ୍ଧଙ୍କୁ ମଧ୍ୟ ସ୍ଥାନ ଦିଆଯାଇଥିବାବେଳେ ପ୍ରଶାସନ ପକ୍ଷରୁ ଜିଲା ମହୋତ୍ସବ ହେଉ କି ସାଧରଣଲୋକଙ୍କ ଘରେ ବିବାହ ବ୍ରତ ସବୁସ୍ଥାନରେ ବୁଦ୍ଧଙ୍କୁ ଅଗ୍ରପୂଜ୍ୟ ହିସାବରେ ପୂଜାର୍ଚ୍ଚନା କରାଯାଇଥାଏ। ତେଣୁ ବୁଦ୍ଧଙ୍କ ଅବସ୍ଥିତିକୁ ନେଇ ଜିଲାବାସୀ ସବୁବେଳେ ଗର୍ବିତ ଅନୁଭବ କରିଥାନ୍ତି। ଭଗବାନ ବୁଦ୍ଧଙ୍କ ମହାନ ଅହିଂସା ବାଣୀକୁ ମନେ ରଖିବା ପାଇଁ ବୁଦ୍ଧ ଜୟନ୍ତୀ କମିଟିର ଅନୁରୋଧକ୍ରମେ ଆଜି ବୌଦ୍ଧ ସହରରେ ଜୀବ ହତ୍ୟା ବନ୍ଦ କରାଯିବା ସହିତ ମାଛ ମାଂସ ବିକ୍ରି ବନ୍ଦ ରଖାଯାଇଥିଲା। ପବିତ୍ର ବୁଦ୍ଧ ଜୟନ୍ତୀ ଅବସରରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ବୁଦ୍ଧ ଜୟନ୍ତୀ ପାଳନ କମିଟିର କର୍ମକର୍ତ୍ତା ଓ ଅନ୍ୟାନ୍ୟ ପଦାଧିକାରୀ, ସହରର ବୁଦ୍ଧଜିବୀମାନେ ରାଜପ୍ରାସାଦ ନିକଟରେ ରହିଥିବା ପ୍ରସିଦ୍ଧ ବୌଦ୍ଧପୀଠରେ ପହଞ୍ଚି ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଐତିହାସିକ ରାମନାଥ ମନ୍ଦିର ପରିସରରେ ପୂଜା ପାଉଥିବା ଭଗବାନ ବୁଦ୍ଧ, ପରଗଳପୁର ଓ ଶ୍ୟାମସୁନ୍ଦପୁର ଠାରେ ରହିଥିବା କୀର୍ତ୍ତିରାଜୀ ସମେତ ମହାନଦୀ ପାର୍କରେ ରହିଥିବା ବୁଦ୍ଧ ପ୍ରତିମର୍ତ୍ତି, ବୌଦ୍ଧ ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ପରିସରରେ ରହିଥିବା ପ୍ରତିମୂର୍ତ୍ତିରେ ପୁଜା ଅନୁଷ୍ଠିତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଏନ୍.ସି. ଜ୍ୟୋତି ରଞ୍ଜନ ନାଏକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ, ଏନ୍.ଏ.ସି. ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାସ ଓ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଳକଣ୍ଠ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଏବଂ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଆବାହକ ଦେବାଶିଷ ପୁରୋହିତ ଓ ସତ୍ୟନାରାୟଣ ହୋତା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଶ୍ୱ ଶାନ୍ତି ଓ କରୋନା ମହାମାରୀରୁ ରକ୍ଷା ନିମନ୍ତେ ସନ୍ଧ୍ୟାରେ ଜିଲାର ସମସ୍ତ ଗ୍ରାମ ଓ ସହରରେ ଜନସାଧାରଣଙ୍କ ପକ୍ଷରୁ ଘର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୮ ଫୁଟ ଉଚ୍ଚତାର ଏକ ବୁଦ୍ଧ ମୂର୍ତ୍ତି ସ୍ଥାପନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାଯାଇଛି। ଆଜି ଜିଲାର ବୌଦ୍ଧପୀଠ ଗୁଡିକ ବୁଲିବା ଅବସରରେ ବିଭିନ୍ନ କମିଟି ସହିତ ଆଲୋଚନା କରି କିର୍ତ୍ତିରାଜୀ ଗୁଡିକର ସୁରକ୍ଷା ଓ ଏହାର ପାରିପାଶ୍ୱିର୍କ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ବିଭିନ୍ନ ସମୟରେ ଆଲୋଚନା ଚକ୍ର ଓ ସେମିନାର ଆୟୋଜନ କରି ଜିଲାର ପ୍ରାଚୀନ ଇତିହାସ ଲୋକ ଲୋଚନକୁ ଆଣିବା ପାଇଁ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା।



