www.samajalive.in
Friday, December 5, 2025
27.1 C
Bhubaneswar

କୋରାପୁଟ ହେବ ‘ବ୍ରାଣ୍ଡ୍‌ କୋରାପୁଟ’ : ଧର୍ମେନ୍ଦ୍ର

କୋରାପୁଟ : ୨୦୩୬ ମସିହା ସୁଦ୍ଧା ଅବିଭକ୍ତ କୋରାପୁଟ ଜିଲାର ମୌଳିକ ପରିର୍ବତ୍ତନ ହେଉଛି ଆମର ସଂକଳ୍ପ। ଏହି ଜିଲାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ଅନୁଷ୍ଠାନ ନୁହେଁ ବରଂ କୋରାପୁଟ ଏବଂ ଜନଜାତି ଯୁବଶକ୍ତିଙ୍କ ପାଇଁ ସୁଯୋଗ ଓ ସମ୍ଭାବନାର ଏକ ନୂଆ ଦିଗନ୍ତ । ଭାରତ ସରକାର ଏହି ବିଶ୍ୱବିଦ୍ୟାଳୟର ସ୍ଥାୟୀ ଭିତ୍ତିଭୂମି ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ନିବେଶ କରିଛନ୍ତି ବୋଲି ଶନିବାର ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ଭିତ୍ତିଭୂମିର ବିକାଶ ପାଇଁ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଭୂମିପୂଜନ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଓଡ଼ିଶାର ୬ଟି ଅଗ୍ରଣୀ କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଅବସରରେ ସେ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ-କୋରାପୁଟ, ଆଇଆଇଟି- ଭୁବନେଶ୍ୱର, ଏନଆଇଟି- ରାଉରକେଲା, ଆଇଆଇଏମ- ସମ୍ବଲପୁର, ଆଇଜର- ବ୍ରହ୍ମପୁର ଏବଂ ଶ୍ରୀ ସଦାଶିବ କ୍ୟାମ୍ପସ (କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ)- ପୁରୀ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ଏମଓୟୁ ଜାତୀୟ ଶିକ୍ଷା ନୀତି -୨୦୨୦ର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି। ଜନଜାତି ସମୁଦାୟକୁ ସଶକ୍ତ କରିବା, ସ୍ଥାୟୀ ଏବଂ ଡିଜିଟାଲ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ନବସୃଜନ ଏବଂ ଉଦ୍ୟମିତାକୁ ସମର୍ଥନ କରିବା ଏବଂ ଶୈକ୍ଷିକ ଏବଂ ଗବେଷଣା ଭିତ୍ତିଭୂମିର ଆଦାନପ୍ରଦାନ ଦିଗରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଲୋକାର୍ପିତ ଓ ଭୂମିପୂଜନ ହୋଇଥିବା ପ୍ରକଳ୍ପ ସହ ଓଡ଼ିଶାର ଅଗ୍ରଣୀ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ସହ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର କୋରାପୁଟକୁ ଏକ ‘ବ୍ରାଣ୍ଡ୍ କୋରାପୁଟ’ରେ ପରିଣତ କରିବ ବୋଲି ସେ କହିଛନ୍ତି।
ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବିଶ୍ୱବିଦ୍ୟାଳୟରେ କୃଷିଭିତ୍ତିକ, ଲଜିଷ୍ଟିକ୍ସରେ ୟୁଜି ଓ ପିଜି ପାଠ୍ୟକ୍ରମ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତାବର୍ଷ ଠାରୁ ଏଠାରେ ଡିପ୍ଲୋମା ପାଠ ପଢିବାର ବ୍ୟବସ୍ଥା କରାଯିବ । ଡିପ୍ଲୋମା ଇଞ୍ଜିନିୟରିଂ କେବଳ ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ ଭଳି ନୁହେଁ ବରଂ ବିଶ୍ୱସ୍ତରରେ ପରିବର୍ତ୍ତିତ ପାଠ୍ୟକ୍ରମର ଅବସ୍ଥିତି ଦେଖି ଏଠାରେ ଏଆଇ, ମେସିନ ଲର୍ଣ୍ଣିଂ, ଏଭିଏସନ ମେଣ୍ଟେନାନ୍ସ, ଉଦ୍ୟମିତା, ହେଲଥ୍ ସାଇନ୍ସ ଭଳି ବିଷୟରେ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଯୋଜନା ହେବ । ଓଡ଼ିଶା ଗଠନରେ କୋରାପୁଟର ତ୍ୟାଗ, ବଳିଦାନ ଓ ପରିଶ୍ରମ ଅତୁଳନୀୟ । ୨୦୩୬ ସୁଦ୍ଧା ଅବିଭକ୍ତ କୋରାପୁଟ ଜିଲାର ମୌଳିକ ପରିବର୍ତ୍ତନ କରିବା ଆମର ସଂକଳ୍ପ । ବିଶ୍ୱବିଦ୍ୟାଳୟରେ ଥିବା ଖାଲି ପଦ ପୂରଣ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।
ଭୂମିପୂଜନ ହୋଇଥିବା ପ୍ରକଳ୍ପଗୁଡ଼ିକ ହେଉଛି ବହୁମୁଖୀ ଏକାଡେମିକ ବିଲଡିଂ, ଅତ୍ୟାଧୁନିକ ଛାତ୍ରାବାସ, ଅତ୍ୟାଧୁନିକ ଅଡିଟୋରିୟମ୍, ଜିମ, ଇନଡୋର ସ୍ପୋର୍ଟ୍ସ କମ୍ପଲେକ୍ସ, ଷ୍ଟୁଡେଣ୍ଟ୍ କାଫେଟେରିଆ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅତିଥି ଭବନ । ଲୋକାର୍ପିତ ପ୍ରକଳ୍ପଗୁଡ଼ିକ ହେଲା ଶୈକ୍ଷିକ ଭବନ, କୁଳପତି ବାସଭବନ, ଅଧିକାରୀ ଏବଂ କର୍ମଚାରୀ ବାସଗୃହ । ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯୋଗଦେଇ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମବେତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସଚିବ ତଥା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡ. ବିନୀତ ଯୋଶୀ, ଅତିରିକ୍ତ ସଚିବ ସୁନିଲ କୁମାର ବର୍ଣ୍ଣାଲ ଉପସ୍ଥିତ ଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories