କାଉଣ୍ଟଡାଉନ ଆରମ୍ଭ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଡେସ୍କ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ୧୧ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ବେଳେ ପ୍ରମୁଖ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୩୧ରେ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନ ୩ରେ ଭୋଟ ଗଣତି ହେବ। ଏହି ଉପନିର୍ବାଚନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ଏହି ନିର୍ବାଚନ ନିମନ୍ତେ ନିଯୁକ୍ତ ନିରୀକ୍ଷକମାନେ ନିର୍ବାଚନ ମଣ୍ଡଳୀରେ ପହଂଚି ସାରିଛନ୍ତି।

ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଆଇଏଏସ ମାଧବୀ କଟାରିୟା ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଆଇଆରଏସ ଏନ. ଅଶୋକ ବାବୁଙ୍କୁ ନିଯୁକ୍ତ କରାଯାଇଛି। ଇତି ମଧ୍ୟରେ ଭୋଟର ତାଲିକା ଚୂଡାନ୍ତ ହୋଇଥିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୪ ହଜାର ୮୭୮ ରହିଛି। ଏଥିରେ ୩ ହଜାର ୫୨୦ ଜଣ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୮୦ ବର୍ଷରୁ ଉର୍ଦ୍ଧ୍ବ ୧ ହଜାର ୬୨୮ ଜଣ ଭୋଟର ଏବଂ ୨୧୪ ଜଣ ସର୍ଭିସ ଭୋଟର ଅଛନ୍ତି। ୧୩୩ ଜଣ ନୂଆ ଭୋଟର ସାମିଲ ହୋଇଥିବା ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି।

ଚଳିତ ଉପନିର୍ବାଚନ ପାଇଁ ୩୧୯ ବାଲଟ ୟୁନିଟ ଓ କଣ୍ଟ୍ରୋଲ ୟୁନିଟ ଏବଂ ୪୧୯ ଭିଭି ପାଟ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଗୋଟିଏ ବୁଥରେ ସର୍ବାଧିକ ୧୨୫୦ ଭୋଟର ଭୋଟ ଦେବାକୁ ଥିବା ବେଳେ ମୋଟ ୨୭୯ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରାଯିବ। ଏଥିରେ ୫ଟି ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି। ଚଳିତ ଥର ୩୦ଟି ମଡେଲ ବୁଥ ମଧ୍ୟ ରହିଛି। ୩୨୫ ଜଣ ଦିବ୍ୟାଙ୍ଗ ଓ ୮୦ ବର୍ଷ ବୟସରୁ ଅଧିକ ଭୋଟର ସେମାନଙ୍କ ଘରେ ରହି ମତଦାନ କରିବେ। ତେଣୁ ଆଜିଠାରୁ ସେମାନଙ୍କ ଠାରୁ ଭୋଟ ଗ୍ରହଣ ଆରମ୍ଭ ହେଉଛି। ଅନ୍ୟପକ୍ଷରେ ୨୧୪ ଜଣ ସର୍ଭିସ ଭୋଟରଙ୍କ ପାଖକୁ ବାଲଟ କାଗଜ ପଠାଯାଇ ସାରିଛି। ତେବେ ଜୁନ ୩ ସକାଳ ୮ଟା ସୁଦ୍ଧା ଭୋଟ ଗଣତି କେନ୍ଦ୍ରରେ ପହଂଚି ଥିବା ପୋଷ୍ଟାଲ ବାଲଟଗୁଡିକୁ ଗଣତିରେ ସାମିଲ କରାଯିବ।

ଏହି ଉପନିର୍ବାଚନରେ ୧ ହଜାର ୩୯୬ ଜଣ ପୁଲିଂ ଅଧିକାରୀ ନିଯୁକ୍ତ ହୋଇଥିବା ବେଳେ ସେମାନଙ୍କୁ ଝାରସୁଗୁଡା ଇଞ୍ଜିନିଅରିଂ ସ୍କୁଲରୁ ଭୋଟଗ୍ରହଣ କେନ୍ଦ୍ରକୁ ପଠାଯିବ। ସେହିଠାରେ ଷ୍ଟ୍ରଙ୍ଗ ରୁମ ରହିଛି ତେଣୁ ସେହିଠାରେ ଭୋଟ ଶେଷ ପରେ ଇଭିଏମ ମଧ୍ୟ ଗ୍ରହଣ କରାଯିବ। ଏଥିପାଇଁ ୩୮୦ଟି ବାହନ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ଉପନିର୍ବାଚନକୁ ଦୃଷ୍ଟିରେ ରଖି ୧୭୦ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜମା କରାଯାଇଥିବା ବେଳେ ୧୦୪୮ ଜଣଙ୍କୁ ଧାରା ୧୦୭ ଏବଂ ୧୧୬ରେ ନୋଟିସ ଜାରି କରାଯାଇଛି। ୭୧ ଜଣ ଜାମିନବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି ଏବଂ ୮୩୫ ଲିଟର ମଦ ଜବତ ହୋଇଥିବା ଜଣାପଡିଛି। ଭୋଟରଙ୍କ ସୁବିଧା ପାଇଁ ଟୋଲ ଫ୍ରି ନମ୍ବର ୧୯୫୦ କାର୍ଯ୍ୟକାରୀ କରାଯାଇଛି। ଏହି ଉପନିର୍ବାଚନରେ ୬୩ ଜଣ ମାଇକ୍ରୋ ଅବଜର୍ଭର ନିଯୁକ୍ତ କରାଯାଇଛି। ଶ୍ରୀ ଲୋହାନୀ କହିଛନ୍ତି, ୫୦% ଭୋଟଗ୍ରହଣ କେନ୍ଦ୍ରରେ ୱେବକାଷ୍ଟିଙ୍ଗ କରାଯିବ ଓ ଆବଶ୍ୟକ ପଡିଲେ ଭିଡିଓ ରେକର୍ଡିଙ୍ଗ ମଧ୍ୟ କରାଯିବ। ଇତିମଧ୍ୟରେ କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସର ୩ ୟୁନିଟ ପହଂଚି ସାରିଛନ୍ତି ଓ ସେମାନଙ୍କୁ ମୁତୟନ କରାଯାଇଛି। ସେ କହିଛନ୍ତି, ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ‘ମୁଁ ବି ଭୋଟ ଦେବି’ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଦିବ୍ୟାଙ୍ଗ ଭୋଟରଙ୍କୁ ନେବାଆଣିବା ପାଇଁ ଗାଡି ବ୍ୟବସ୍ଥା କରାଯିବ ସହିତ ବୁଥରେ ହ୍ୱିଲ ଚେୟାର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଭୋଟଗ୍ରହଣ ଦିନ ଅର୍ଥାତ ମେ’ ୩୧କୁ ବ୍ରଜରାଜନଗର ପାଇଁ ସରକାରୀ ଛୁଟି ଦିବସ ଘୋଷଣା କରାଯାଇଥିବା ବେଳେ ସରକାରୀ ଚାକିରିଆଙ୍କ ପାଇଁ ଭୋଟ ଗ୍ରହଣ ପୂର୍ବ ଓ ପରଦିନକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।

Comments are closed.