ବୌଦ୍ଧ: ସୋମବାର ଦିନ ବୌଦ୍ଧ ବ୍ଲକ ଅର୍ନ୍ତଗତ ଆମ୍ବଝରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ସାଧାରଣଲୋକଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣୀ ସାରିବାପରେ ଅଚାନକ ବୌଦ୍ଧ ବ୍ଲକର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଜିଲାପାଳ ଏବଂ ସମସ୍ତ ଅଧିକାରୀମାନେ ପ୍ରଥମେ ତିର୍ଚିପଡ଼ା ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ତଦାରଖ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଖାଦ୍ୟରେ ଦିଆଯାଉଥିବା ନିମ୍ନ ମାନର ଡାଲି ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ।
ପରେ ଆମ୍ବଝରୀ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ଓ ଶଗଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥଲେ। ପ୍ରତିଦିନ ସ୍ୱାସ୍ଥ୍ୟ କେନ୍ଦ୍ର ଦୁଇଟିରେ ଅଧାଦିନ ତାଲା ପଡୁଥିବା ଅଭିଯୋଗ ପାଇବାପରେ ପ୍ରତିଦିନ ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ଡାକ୍ତର ଯଦି ପ୍ରତିଦିନ ନଆସନ୍ତି ତେବେ ଉକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସେଠାରୁ ଶଗଡ଼ା ଫାଣ୍ଡି ବୁଲିବାପରେ ବାଉଁଶୁଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ। ବାଉଁଶୁଣୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନୁତନ ଗୃହର ସୁବିନିଯୋଗ କରିବା ସହ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦେବା ସହ ଶୌଚାଳୟକୁ ପରିଷ୍କାର ପରିଛନ୍ନ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ବାଉଁଶୁଣୀ ଚିକିତ୍ସାଳୟ ସମ୍ମୁଖରେ ରାସ୍ତାକଡରେ ଥିବା ଦୋକାନଗୁଡିକୁ ତୁରନ୍ତ ହଟେଇବାକୁ ଉପଜିଲାପାଳ,ତହସିଲଦାର ଓ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ଜିଲାପାଳ ଶ୍ରୀ ସାହୁ ବାଉଁଶୁଣୀ ୫ ଟି ସ୍କୁଲ ପରିଦର୍ଶନ କରିବା ସହ ତଦାରଖ କରିଥିଲେ। ବିଦ୍ୟାଳୟର ପରିମଳ ବ୍ୟବସ୍ଥା ନେଇ ଅସନ୍ତୋଷ ବ୍ୟକ୍ତ କରିବାସହ ଲାଇବ୍ରେରୀର କ୍ୟାଟଲଗ ହୋଇନଥିବା ଜାଣିବାପରେ ପ୍ରଧାନଶିକ୍ଷକ ଓ ଲାଇବ୍ରେରିଆନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ବୌଦ୍ଧକୁ ଫେରି ୧୦ ନମ୍ବର ୱାର୍ଡରେ ବାଉଁଶ କାରିଗରୀ ଓ ଟେରାକୋଟା ତାଲିମ ଶିବିରକୁ ଜିଲାପାଳ ଶ୍ରୀଯୁକ୍ତ ସାହୁ ଉଦଘାଟନ କରିଥିଲେ। ଜିଲାପାଳଙ୍କ ଅଚାନକ ପରିଦର୍ଶନ ଯୋଗୁଁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ଦେଖାଦେବା ସହିତ ସେମାନେ ନିଜର ଦାୟିତ୍ୱ ନେଇ ସଚେତନ ହୋଇଥିବା ସାଧାରଣରେ ଆଲୋଚନା ହେଉଛି।



