ପ୍ରବଳ ବର୍ଷାରେ ବୌଦ୍ଧ ସହରରେ ବେହାଲ, ଭୁଷୁଡିଲା ବାବା ବୈଦ୍ୟନାଥ ମନ୍ଦିର ପାଚେରୀ

ବୌଦ୍ଧ : ସମଗ୍ର ବୌଦ୍ଧ ଜିଲାରେ ଗତରାତ୍ରିରେ ହୋଇଥିବା ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ବର୍ଷା ଜଳ ଜମା ହୋଇ ଘର ମଧ୍ୟକୁ ପ୍ରବେଶ କରିଛି ତ, ଆଉ କେଉଁଠି ଜଳ ନିଷ୍କାସନ ହୋଇନପାରି ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷାରେ ଜିଲା ସାରା ଶହଶହ କଚାଘର ସବୁ ଭାଙ୍ଗିଯାଇଛି। ଅନେକ ସ୍ଥାନରେ ପକା କାନ୍ଥ ସବୁ ଭୁଷୁଡି ପଡିଥିବା ଦେଖାଯାଇଛି। ବୌଦ୍ଧ ସହରରେ ମାନବକୃତ ବନ୍ୟା ପରିସ୍ଥିତି ଯୋଗୁଁ ଶତାଧିକ ଘରେ ବର୍ଷା ଜଳ ପ୍ରବେଶ କରିଛି। ଉତ୍ୟକ୍ତ ଲୋକେ ୫୭ ନଂ ଜାତୀୟ ରାଜପଥକୁ ଦିର୍ଘ ସମୟ ଧରି ଅବରୋଧ କରିଥିଲେ। ରାଜ୍ୟ ରିଲିଫ କମିଶନର ଙ୍କ ପରାମର୍ଶ ଏବଂ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକର ନିଷ୍ପତି ପରେ ମଧ୍ୟ ବୌଦ୍ଧ ଏନ୍ଏସି ପକ୍ଷରୁ ସହରର ଜଳ ନିସ୍କାସନ ବ୍ୟବସ୍ଥା ର ସୁପରିଚାଳନା କରାନଯିବା ଫଳରେ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହିତ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ସହରର ଅନେକ ସ୍ଥାନରେ ରହିଥିବା ଡ୍ରେନ ଓ ଜଳ ନିସ୍କାସନ ପଥ ଉପରେ ଲୋକେ ଘର କରି ଅବରୋଧ କରିଥିବାରୁ ମଧ୍ୟ ଜଳ ନିସ୍କାସନ ହୋଇପାରିନାହିଁ। ଆଜି ସକାଳ ସୁଦ୍ଧା ବୌଦ୍ଧ ଅଂଚଳରେ ୧୭୭ ମିମି ବର୍ଷା ହୋଇଥିବା ବେଳେ କଂଟାମାଳ ଅଂଚଳରେ ୧୫୯ ମିମି ଓ ହରଭଂଗା ଅଂଚଳରେ ୩୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୌଦ୍ଧ ସହରର ବସଷ୍ଟାଣ୍ଡ, ଖଲିଆ ବଗିଚା, ଖଦାଳ ସାହି, ମୁସଲିମ ସାହି ଓ ବଗିଚା ସାହି ଆଦି ଅଂଚଳରେ ବର୍ଷା ଜଳ ଭରିଯିବାସହ ଘର ଗୁଡିକ ମଧ୍ୟରେ ଆଣ୍ଠୁଏ ପାଣି ହୋଇଯାଇଥିଲା।

ଅନେକ ସ୍ଥାନରେ ଲୋକେ ରାତିସାରା ନିଜ ଘର ଛାଡି ଉଚ୍ଚସ୍ଥାନରେ ରହିଥିଲେ। ପୁରାତନ ରାମ ମନ୍ଦିର ପରିସରରେ ବର୍ଷା ଜଳ ଭରିଯାଇଥିଲା। ଠାକୁରଙ୍କ ସିଂହାସନ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିବା ସୂଚନା ମିଳିଛି। ରାମଲୀଳାର ଅନେକ ବହି, ପୋଷାକ, ବାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ବନ୍ୟାଜଳରେ ବୁଡି ଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଅଛି। ବୌଦ୍ଧ ଜିଲା ସଦର ବ୍ଳକର କମିରା ଗ୍ରାମର ଜାମୁନାଳ ଉପରେ ୪ ଫୁଟ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ୪ ଟି ପଞ୍ଚାୟତ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇଛି। ଅନ୍ୟପକ୍ଷରେ ଜମଟାଙ୍ଗି ଓ ଡିଗି ଗ୍ରାମକୁ ସଂଯୋଗ କରୁଥିବା ମୋହାଣ ନାଳ ଉପରେ ୩ଫୁଟ ବନ୍ୟା ଜଳ ପ୍ରବାହିତ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମନୁପାଲି ଗ୍ରାମର ଆଦିବାସୀ ସାହିରେ ବର୍ଷାଜଳ ନିଷ୍କାସନ ହୋଇନପାରି ଘରମାନଙ୍କୁ ପ୍ରବେଶ କରିଥିବା ସୂଚନା ମିଳିଛି। ସରସରା ଗ୍ରାମରେ ବର୍ଷା ଜଳ ସାଙ୍ଗକୁ କେନାଲ ପାଣି ମିଶିଯିବା ଫଳରେ ବେହାଲ ଅବସ୍ଥା ସୃଷ୍ଟି ହୋଇଥିଲା। ଗ୍ରାମର ବାବା ବୈଦ୍ୟନାଥ ମନ୍ଦିର ପାଚେରି ମଧ୍ୟ ଭୁଷୁଡି ପଡିଯାଇଛି। ଜିଲାର ଅନେକ ଅଂଚଳରେ କଚାଘର ସବୁ ଭାଙ୍ଗି ଯାଇଥିବାରୁ ଶିଘ୍ର କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଯୋଗାଇଦେବାକୁ ଦାବୀ ହେଉଛି । ବୌଦ୍ଧ ସହରର ଜବର ଦଖଲ ହଟାଇବା ସହ ଜଳ ନିଷ୍କାସନ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦେବା ସହ ନିଜ ଦାୟିତ୍ୱ ସଂପାଦନରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି।
ଗୁରୁବାର ରାତିରେ ଭୀଷଣ ବର୍ଷା ଯୋଗୁଁ ହରଭଙ୍ଗା ବ୍ଲକ ସରସରା ବାବା ବୈଦ୍ୟନାଥ ମନ୍ଦିରର ପାଚେରୀର କିଛି ଅଂଶ ଭୁଷୁଡି ଯାଇଥିବା ଜଣାଯାଇଛି। ଏହି ପ୍ରସିଦ୍ଧ ମନ୍ଦିରଟି ଅଞ୍ଚଳବାସୀଙ୍କ ଆସ୍ଥାର ପ୍ରତୀକ ହୋଇଥିବାବେଳେ ପ୍ରତିଦିନ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ଜଳ ନିଷ୍କାସନର ବିଶେଷ ସୁବିଧା ନଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ପ୍ରବାହିତ ହେବା ସହିତ ଗ୍ରାମର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ମଧ୍ୟ ପାଣି ପ୍ରବେଶ କରିଥିବା ଜଣାଯାଇଛି। ତେବେ ଭୁଷୁଡି ପଡିଥିବା ମନ୍ଦିର ପାଚେରୀର ତୁରନ୍ତ ମରାମତି କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Comments are closed.