ବଲାଙ୍ଗିର: ବଲାଙ୍ଗିର ଆନନ୍ଦ ନଗରରେ ଅଭାବନୀୟ ଘଟଣା । ସୋମବାର ସଂଧ୍ୟା ସମୟରେ ପାରିଶ୍ରମିକ ମାଗିବାରୁ ମହିଳା ଶ୍ରମିକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି । ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଭିମସାରକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି।
ସୂଚନା ଅନୁସାରେ, ମନ୍ଦାର ଧରୁଆ ନାମକ ବିଧବା ମହିଳା ଆନନ୍ଦ ନଗରରେ ଦୁଇ ସନ୍ତାନକୁ ନେଇ ରହନ୍ତି । ରୋଷେୟା ମାନସ ମିଶ୍ରଙ୍କ ସହ ଯାଇ ବିଭିନ୍ନ ଭୋଜିଭାତ କାର୍ୟ୍ୟକ୍ରମରେ ରୋଷେୟାଙ୍କୁ ସହାୟତା କରୁଥିଲେ।
ସୋମବାର ରୋଷେୟା ଶ୍ରୀ ମିଶ୍ରଙ୍କ ସହ ଏକ ଭୋଜିକୁ ରାନ୍ଧିବାକୁ ଯାଇଥିଲେ ମନ୍ଦାର । ଫେରିବା ସମୟରେ ମନ୍ଦାର ରୋଷେୟାଙ୍କୁ ପାରିଶ୍ରମିକ ମାଗିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରୋଷେୟା ଶ୍ରୀ ମିଶ୍ର ତାଙ୍କୁ ଘର ସାମ୍ନାରେ ପେଟ୍ରୋଲ ଢାଳି ମାରିଦେବାକୁ ଉଦ୍ୟମ କରିଥିବା କୁହାଯାଉଛି। ସ୍ଥାନୀୟ ଲୋକେ ମନ୍ଦାରଙ୍କୁ ଉଦ୍ଧାର କରି ବିବିଏମସିଏଚକୁ ଆଣି ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ବୁର୍ଲା ପଠାଯାଇଥିବା ସୂଚନା ମିଳିଛି ।



