www.samajalive.in
Saturday, December 6, 2025
26.1 C
Bhubaneswar

ବିଜୁ ବାବୁଙ୍କ ପ୍ରିୟ ଡାକୋଟା ଆଣିବାକୁ ଭୁଲିଗଲେ ରାଜ୍ୟ ସରକାର; ହେମନ୍ତ ପଣ୍ଡା

ବଲାଙ୍ଗୀର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନ କଲିକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିଷ୍କ୍ରିୟ ଭାବେ ପଡି ରହିଥିବା ତଥ୍ୟ ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗୀରର ବରିଷ୍ଠ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ କଲିକାତା ବିମାନ ବନ୍ଦର ଜନ ସୂଚନା ଅଧିକାରୀ ସି.ଭି ଦୀପକ ପ୍ରଦାନ କରିଛନ୍ତି । ତଥ୍ୟରୁ ଜଣାପଡିଛି ଯେ, ଓଡିଶାର ଗୁଜୁରାଟ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ୱର୍ଗତ ଗୁରୁ ପ୍ରସାଦ ମହାପାତ୍ର ଭାରତୀୟ ବିମାନ ବନ୍ଦର ପ୍ରଧୀକରଣର ଅଧ୍ୟକ୍ଷ ଥିବା ବେଳେ ୨୦୧୭ ମସିହା ଡିସେମ୍ବର ୧୩ରେ ପତ୍ର ମାଧ୍ୟମରେ ଓଡିଶାର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ପ୍ରଥମେ ଜଣାଇଥିଲେ ଯେ, ଓଡିଶାର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକ ଅତୀତରେ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାରଲାଇନ୍ସରେ ପ୍ରାୟ ଏକ ଡଜନ ବିମାନ ରହିଥିଲା ଏବଂ ବିଜୁ ପଟ୍ଟନାୟକ କଳିଙ୍ଗ ଏୟାରଲାଇନ୍ସର ମୁଖ୍ୟ ପାଇଲଟ ଥିଲେ ।

ଏହି ବିମାନ ଗୁଡିକ ମଧ୍ୟରୁ ଭିଟି-ଏୟୁଆଇ ରେଜିଷ୍ଟ୍ରସନ ରହିଥିବା ବିମାନରେ ବିଜୁ ପଟ୍ଟନାୟକ ନିଜେ ପାଇଲଟ ଭାବେ ଇଣ୍ଡାନେସିଆର ତତ୍କାଳୀନ ଉପ ରାଷ୍ଟ୍ରପତି ଏମଡି ହାତ୍ତା ଓ ପ୍ରଧାନମନ୍ତ୍ରୀ ସୁତାନ ସାହାରିରଙ୍କୁ ଉଦ୍ଧାର କରି ଆଣିଥିଲେ ଏବଂ ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ଭୂମିପୁତ୍ର ପ୍ରଦାନ କରାଯାଇଥିଲା । ବିଶେଷ ଐତିହାସିକ ମହତ୍ତ୍ୱ ରଖିଥିବା ଏହି ବିମାନକୁ କଲିକତା କିମ୍ବା ଭୁବନେଶ୍ୱର ବିମାନ ବନ୍ଦର କିମ୍ବା କୌଣସି ସଂଗ୍ରହାଳୟରେ ରଖାଗଲେ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ଓ ଓଡିଶା ସରକାର କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ ଏହାକୁ ନେବା ପାଇଁ ଚାହିଁଲେ ବିମାନ ବନ୍ଦର ପ୍ରାଧୀକରଣ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ମହାପାତ୍ର ଚିଠିରେ ଉଲ୍ଲେଖ କରିଥିଲେ ।

- Advertisement -

ପରବର୍ତ୍ତୀ ସମୟରେ ତଥା ୨୦୧୮ ମସିହାରେ ଓଡିଶା ପାଇଁ ଗର୍ବ ଓ ଗୌରବ ବହନ କରୁଥିବା ଏହି ବିମାନ ପରିତ୍ୟକ୍ତ ଅବସ୍ଥାରେ କଲିକତା ବିମାନ ବନ୍ଦରରେ ପଡିଥିବା ତଥ୍ୟ ସୂଚନା କର୍ମି ପଣ୍ଡା ପ୍ରଦାନ କରି ବିମାନକୁ ଓଡିଶା ଆଣିବା ପଇଁ ଗଣମାଧ୍ୟମ ଜରିଆରେ ଦାବି ଉପସ୍ଥାପନ କରିଥିଲେ । ପଣ୍ଡାଙ୍କ ଯୁକ୍ତି ଥିଲା ଯେ, ଏହି ବିମାନ କେବଳ ଓଡିଶା ପାଇଁ ନୁହେଁ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବାର୍ତ୍ତା ବହନ କରେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ୧୯୪୭ ମସିହାରେ ଇଣ୍ଡୋନେସିଆର ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ବିଜୁବାବୁ ବିରଳ ସାହସିକତା ପ୍ରଦର୍ଶନ କରି ଉଦ୍ଧାର କରିଥିଲେ । ଏହି ଐତିହାସିକ ବିମାନ ପଣ୍ଡିତ ନେହେରୁ ଏବଂ ବିଜୁ ବାବୁଙ୍କ ମଧ୍ୟରେ ନିବିଡ ସମ୍ପର୍କର ବାର୍ତ୍ତା ମଧ୍ୟ ବହନକରେ । ଏହା ପରେ ଓଡିଶା ସରକାର ୨୦୨୦ ମସିହା ଜନୁଆରୀ ୨୧ତାରିଖ ଦିନ ଏହି ବିମାନକୁ ରାଜ୍ୟକୁ ଆଣିବା ପାଇଁ ବିଧିବଦ୍ଧ ଭାବେ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷଙ୍କୁ ଜଣାଇଥିଲେ ।

ଏହି ବର୍ଷ ଅକ୍ଟୋବର ୮ ଦିନ ରାଜ୍ୟର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ବିମାନକୁ ଆଣି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ପରିସର ମଧ୍ୟରେ ସ୍ଥାନୀତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଡାକୋଟା ବିମାନ ମଧ୍ୟରେ ବିଜୁଙ୍କ ଫଟୋଚିତ୍ର ଓ କିଛି ଭିଡିଓ ଚିତ୍ରର ନବୀକରଣ କରାଯାଇ ପ୍ରଦର୍ଶିତ ହେବ ଓ ଏହା ମଧ୍ୟକୁ ଦର୍ଶକ ଯାଇ ସବୁ ଦେଖି ପାରିବେ । ଏଭଳି ଆକର୍ଷଣୀୟ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ତଥ୍ୟ ସୂଚନା କର୍ମି ପଣ୍ଡାଙ୍କ ହସ୍ତଗତ ହୋଇଛି  । ତତ୍କାଳୀନ ମୁଖ୍ୟ ଶାସନ ସଚିବ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ କୃଷି ଉତ୍ପାଦନ ଆୟୁକ୍ତ ରାଜ କୁମାର ଶର୍ମା, ସାଧାରଣ ପ୍ରଶାସନ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ବାଣିଜ୍ୟ ପରିବହନ ପ୍ରମୁଖ ସଚିବ ମଧୁସୂଦନ ପାଢୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ କେ.କେ ମୀନା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରମୁଖ ସଚିବ ବିଷ୍ମୁପଦ ସେଠୀ, ପର୍ଯ୍ୟଟନ ସଚିବ ବିଶାଳ କୁମାର ଦେବ, ବାଣିଜ୍ୟ ପରିବହନ ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର, ପୂର୍ତ୍ତ ସଚିବ କ୍ରିଷନ କୁମାର, ଭରବଙ୍କନଶ୍ୱର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ, ବାଣିଜ୍ୟ ପରିବହନ ଯୁଗ୍ମ ସଚିବ ଦେବଦତ୍ତ ସୁରଞ୍ଜିତ ଜେନା ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ଭିଭି ରାଓ ଉପସ୍ଥିତ ଥିବା ତଥ୍ୟରେ ଉଲ୍ଲେଖ ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଡାକୋଟା ବିମାନକୁ କଲିକତାରୁ ଆଣି ଭୁବନେଶ୍ୱର ବିମାନବନ୍ଦର ପରିସରରେ ଲୋକଙ୍କ ପାଇଁ ପ୍ରଦର୍ଶିତ କରିବାକୁ ୩ରୁ ୪ ମାସ ଲାଗିବ ବୋଲି ଏହି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ହେଲେ ୨ ବର୍ଷ ବିତି ଗଲାଣି ଉକ୍ତ ଐତିହାସିକ ବିମାନ କଲିକତା ବିମାନ ବନ୍ଦରରେ ପଡି ରହିଛି । ଫଳରେ ରାଜ୍ୟର ଉଚ୍ଚସ୍ତରୀୟ ଅଧିକାରୀ ମାନେ ନେଇଥିବା ନିଷ୍ପତ୍ତି ମୂଲ୍ୟହୀନ ହୋଇଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି  ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବିଜୁ ବାବୁ ଓ ଓଡିଶାର ବୀରଗାଥା ବହନ କରୁଥିବା ଡାକୋଟା ବିମାନକୁ ସର୍ବଶାଧାରଣରେ ପ୍ରଦର୍ଶନ କରିବାକୁ ସୂଚନା କର୍ମି ହେମନ୍ତ ପଣ୍ଡା ଦାବି କରିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories