www.samajalive.in
Thursday, December 11, 2025
26.1 C
Bhubaneswar

ମନରେଗା ଯୋଜନାରେ ଅନିୟମିତତା: ଜିଆରଏସଙ୍କ ଲିଖିତ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ

ବଲାଙ୍ଗିର: ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକରେ ମନରେଗା ଯୋଜନାରେ ଚାଲିଥିବା ଅନିୟମିତତା ସାମ୍ନାକୁ ଆସିବା ପରେ ଏହି ଘଟଣାକୁ ଚପାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଉପରିସ୍ଥ ଅଧିକାରୀ ଯେଉଁ କାମକୁ ବନ୍ଦ କରିଥିଲେ ଅଧସ୍ଥନ କର୍ମଚାରୀ କିଭଳି ଏହାର ବିଲ କଲେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଏହି ଟଙ୍କା ହଡପ କରିବା ପାଇଁ ବହୁ ଦିନରୁ ମସୁଧା ଚାଲିଥିବା ଏବେ ସାମ୍ନାକୁ ଆସିଛି । ମନଇଚ୍ଛା ଏହି କାମର ବିଲ ଟଙ୍କା କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ଉଠାଇଥିବା ବେଳେ ବିଡିଓ, ଜିଆରଏସ, ଏପିଓ ଏହାର ଟେର ସୁଦ୍ଧା ପାଇନାହାନ୍ତି । ଅନ୍ୟପକ୍ଷରେ ଏହି ବିଲ ଟଙ୍କା ଉଠିବା ଘଟଣାକୁ ନେଇ ନିଜେ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ଏନେଇ ଜିଲାପାଳ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଲ୍ପ ନିର୍ଦ୍ଦେଶକ ଓ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପୂର୍ବରୁ ମଧ୍ୟ ସ୍ଥାନୀୟ ପଞ୍ଚାୟତର ନାଏବ ସରପଞ୍ଚ ଏନେଇ ଅଭିଯୋଗ କରିବା ସହିତ ଦୀର୍ଘ ଦିନ ଧରି ବଲାଙ୍ଗିର ଜିଲାପାଳ ସମ୍ମୁଖରେ ଅନଶନରେ ବସିଥିଲେ । ଘଟଣାର ତଦନ୍ତ ପାଇଁ ପ୍ରତିଶୃତି ମିଲିଥିବା ସତ୍ୱେ ତାହା ହୋଇନଥିବାରୁ ସେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ।
ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତରେ ଗତ କିଛି ବର୍ଷ ହେଲା ମନରେଗା ଯୋଜନାରେ ଅନେକ ଅନିୟମିତତା କରାଯାଉଥିବା ନେଇ ଅଭିଯୋଗ ରହିଥିଲା। ତେବେ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଲାଇନଜୁରୀ ନାଲା ଉପରେ ଏକ ଚେକଡ୍ୟାମ ନିର୍ମାଣ କରିବା ପାଇଁ କାମ କୋଡ ୨୪୦୯୦୧୦୦୦୪/ଡବ୍ଲୁସି/୧୩୭୮୫୦୦ରେ ମଞ୍ଜୁରି ମିଲିଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାୟ ୬ ଲକ୍ଷ ଟଙ୍କା ଅଟକଳ କରାଯାଇଥିଲା । କିନ୍ତୁ ଏହାର ମାତ୍ର କିଛି ମିଟର ଦୂରତାରେ ଏକ ଚେକଡ୍ୟାମ ଲୋଇସିଂହା ପଞ୍ଚାୟତ ତରଫରୁ ନିର୍ମାଣ କରାଯାଇଛି । ଫଳରେ ଏହାର କୈାଣସି ଅବଶ୍ୟକତା ନଥିବା, କାମ ସାରି ଟଙ୍କା ଉଠାଇବା ପାଇଁ ରାତିଅଧରେ କାମ କରିବା, ନିମ୍ନମାନର କାମ ଅଭିଯୋଗ ହେବା ପରେ ଏହି କାମ କୁ ଜିଲା ପ୍ରଶାସନ ବନ୍ଦ କରିଥିଲେ । ଏନେଇ ସ୍ଥାନୀୟ ବିଡିଓ ମଧ୍ୟ ସ୍ୱୀକାର କରିଛନ୍ତି । ୨୦୧୮ରେ ହୋଇଥିବା କାମର ଅଧା ବିଲ ୨୦୧୯ରେ ଉଠାଇନିଆଗଲା । କାମ ନକରି ଟଙ୍କା ଉଠାଇବା ଘଟଣାକୁ ନେଇ ସେହି ସମୟରେ ପଞ୍ଚାୟତର ନାଏବ ସରପଞ୍ଚ ଜିଲା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ । ତଥାପି ସରକାରୀ ବାବୁଙ୍କ ସହ ମିଶି ସଂପୃକ୍ତ ଠିକାଦାର ଜଣକ ଟଙ୍କା ଉଠାଇନେଇଥିଲେ।
ମିଲିଥିବା ସୂଚନା ଅନୁସାରେ ୨୦୧୯ ମସିହା ଏପ୍ରିଲ ୯ ତାରିଖରେ ବିଲ ନମ୍ବର ୫୨ରେ କାମରେ ଲାଗିଥିବା ସାମଗ୍ରୀ ବାବଦକୁ ୨ଲକ୍ଷ୧୮ହଜାର୬ଶହ ୯୪ ଟଙ୍କା ଉଠାଯାଇଛି । ସେହିପରି ସେହି ବର୍ଷ ଡିସେମ୍ବର ମାସରେ ୧୩୮ ଜଣ ଶ୍ରମିକଙ୍କୁ ୧ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି । ତେବେ ଯଦି କାମ ବନ୍ଦ ନଥିଲା ତେବେ ଶ୍ରମିକ ମାନେ ନିଜ ପ୍ରାପ୍ୟ ପାଇବାକୁ ବର୍ଷାଧିକ ସମୟ କେମିତି ଲାଗିଲା । ସାମଗ୍ରୀ ବିଲ ଉଠିବା ପରେ କେମିତି ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ କରାଗଲା? କିଛି ଏହିଭଳି ପ୍ରଶ୍ନ ଉଠିଥିବା ବେଳେ ଅସଲରେ କିନ୍ତୁ ଦୁର୍ନୀତି ଚପାଇବାକୁ ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ପକାଇ ଉଠାଇନିଆଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ପୁଣି ଚଳିତ ବର୍ଷ ଏପ୍ରିଲ ମାସ ୨୩ ତାରିଖରେ ୧ଲକ୍ଷ ୬୨ହଜାର ଟଙ୍କା ଉଠାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ନିଜେ ଗ୍ରାମ ରୋଜଗାର ସେବକ ପ୍ରଶ୍ନ ଉଠାଇ ତାଙ୍କ ଅଜାଣତ ଓ ବିନା ଶ୍ରମିକ ବିଲରେ ସାମଗ୍ରୀ ବିଲ କିଭଳି କରାଗଲା ଓ କୈାଣସି ଅତିରିକ୍ତ କାମ ନକରି ବିଲ କେମିତି ହେଲା ବୋଲି ସେ ମଧ୍ୟ ଚକିତ ହୋଇଛନ୍ତି । ସ୍ଥାନୀୟ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ଡିଜିଟାଲ ଦସ୍ତଖତ ବ୍ୟବହାର କରି ଏହି ଟଙ୍କା ଉଠାଇଥିବା ବିଡିଓ ରାମଚନ୍ଦ୍ର ଖାଡିଆ ସୂଚନା ଦେଇଛନ୍ତି । ଘଟଣାକୁ ଚପାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଏହି ଘଟଣା ବିଷୟରେ ବଲାଙ୍ଗିର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରାକଲ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁଙ୍କୁ ପଚାରିବାରୁ ସେ ନିଜେ ଏହି କାମ ବନ୍ଦ କରିଥିଲେ । ଆଗକୁ ଆଉ କାମ କରିବାକୁ ମନା କରିଥିଲେ । ତେବେ କେମିତି ଓ କେଉଁ ପରିସ୍ଥିତିରେ ଏହି ଟଙ୍କା ଉଠିଲା ତାହା ତଦନ୍ତ କରିବା ପାଇଁ ଲୋଇସିଂହା ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ଏହା ସହିତ ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଉଠିଥିବା ବିଲ ଟଙ୍କା ଫେରାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସ୍ୱାଇଁ ନିଜ ପ୍ରତିକ୍ରୀୟାରେ କହିଛନ୍ତି ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories