୩୦ ବର୍ଷ ମଧ୍ୟରେ ବଢ଼ିଛି କଳାଧନ ପ୍ରେରଣ
ନୂଆଦିଲ୍ଲୀ : ବିଦେଶୀ ବ୍ୟାଙ୍କରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଭାରତୀୟଙ୍କ କଳାଧନ ପରିମାଣ। ୧୯୮୦ରୁ ୨୦୧୦, ବିଗତ ୩୦ ବର୍ଷ ମଧ୍ୟରେ ବଢ଼ିଛି ଭାରତୀୟଙ୍କ ଦ୍ବାରା ବିଦେଶକୁ ପ୍ରେରିତ କଳାଧନର ମାତ୍ରା। ଏକ ଅଧ୍ୟୟନ ଅନୁଯାୟୀ, ବିଦେଶରେ ଭାରତୀୟଙ୍କର ଦ୍ବାରା ୩୪ ଲକ୍ଷ କୋଟିର କଳାଧନ ଗଚ୍ଛିତ ରହିଛି। ଏନ୍ଆଇପିଏଫ୍ପି, ଏନ୍ସିଏଇଆର୍ ଏବଂ ଏନ୍ଆଇଏଫ୍ଏମ୍ ଭଳି ତିନି ପ୍ରତିଷ୍ଠାନ ଦ୍ବାରା ଏହି ଅଧ୍ୟୟନ କରାଯାଇଛି। ରିଅଲ ଇଷ୍ଟେଟ୍, ଖଣିଜ, ଔଷଧ, ପାନ ମସଲା, ଖୁଟ୍ଖା, ଧୁଆଁପତ୍ର, ସୁନା, ଦ୍ରବ୍ୟ, ଶିକ୍ଷା ଏବଂ ଚଳଚ୍ଚିତ୍ର କ୍ଷେତ୍ରରୁ ଅଧିକ କଳାଧନ ଆସିଥିବା ଲୋକସଭାରେ ଉପସ୍ଥାପିତ ଅର୍ଥ ସମ୍ପର୍କିତ ଏକ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା କୁହାଯାଇଛି।
୧୯୮୦ରୁ ୨୦୧୦ ମଧ୍ୟରେ ବିଦେଶକୁ ଭାରତୀୟଙ୍କ ଦ୍ବାରା ୨୧୬.୪୮ ବିଲିୟନ୍ ଡଲାରରୁ ୪୯୦ ବିଲିୟନ୍ ଡଲାର ମଧ୍ୟରେ ରହିଥିବା ନ୍ୟାସନାଲ କାଉନ୍ସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ (ଏନ୍ସିଏଇଆର୍)ର ଅଧ୍ୟୟନରେ କୁହାଯାଇଛି। ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ (ଏନ୍ଆଇଏଫ୍ଏମ୍)ର ରିପୋର୍ଟ ଅନୁଯାୟୀ, ୧୯୯୦ରୁ ୨୦୦୮ ମଧ୍ୟରେ ଭାରତୀୟମାନେ ବିଦେଶକୁ ମୋଟ ୯,୪୧,୮୩୭ କୋଟି ଟଙ୍କା (୨୧୬.୪୮ ବିଲିୟନ୍ ଡଲାର)ର କଳା ଟଙ୍କା ପଠାଇଛନ୍ତି। ତେବେ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ପଲିସି ଆଣ୍ଡ୍ ଫାଇନାନ୍ସ (ଏନ୍ଆଇପିଏଫ୍ପି) ଆକଳନ ଅନୁଯାୟୀ, ୧୯୯୭ରୁ ୨୦୦୯ ମଧ୍ୟରେ ବେଆଇନ ଭାବେ ଭାରତୀୟଙ୍କ ଦ୍ବାରା ବିଦେଶକୁ ହୋଇଥିବା ଅର୍ଥ ପ୍ରେରଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର୦.୨%ରୁ ୭.୪% ମଧ୍ୟରେ ରହିଛି।
୨୦୧୧ ମାର୍ଚରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଉଭୟ ଦେଶ ଏବଂ ବିଦେଶରେ ବିଦେଶରେ ରହିଥିବା ଅଘୋଷିତ ଆୟ ଏବଂ ସମ୍ପତ୍ତି ଉପରେ ଅନୁଧ୍ୟାନ କରି ବା ଲାଗି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଉପରୋକ୍ତ ତିନି ପ୍ରତିଷ୍ଠାନକୁ କୁହାଯାଇଥିଲା। ଚଳିତବର୍ଷ ମାର୍ଚ ୨୮ରେ ଏ ସମ୍ପର୍କିତ ଗଠିତ କମିଟିର ଅଧ୍ୟକ୍ଷ ଏମ୍. ବୀରପ୍ପା ମୋଇଲି ଲୋକସଭାରେ ରିପୋର୍ଟ ଉପସ୍ଥାପନ କରିଥିଲେ।


