ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରକୁ ବୋମାମାଡ

0

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶନିବାର ରାତି ପ୍ରାୟ ୭ଟା ୫୦ରେ ଦୁଇଟି ବୋମାମାଡ଼ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଭୁବନାନନ୍ଦ ତ୍ରିପାଠୀଙ୍କ ଏତଲାକ୍ରମେ ପୁଲିସ ଦୁଇଜଣଙ୍କୁ ଗିରଫ କରି ଘଟଣାର ଅନୁସନ୍ଧାନ ଚଳାଇଛି। କାର୍ଯ୍ୟାଳୟ ପରିସରରେ କିଛି ଲୁହା କଣ୍ଟା ଓ ଗୋଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତ ଦ୍ୱୟ ହେଲେ ପିନାକ ମହାନ୍ତ ଓ ବିଶ୍ୱଜିତ ମଲ୍ଲିକ।
କାର୍ଯ୍ୟାଳୟର ସୁରକ୍ଷା କର୍ମୀ ପ୍ରଦୀପ କୁମାର ସାହୁ ଏବଂ ମହମ୍ମଦ ଫଜଲଙ୍କ କହିବା ଅନୁ୍‍ଯାୟୀ, ପିନାକୀ ଓ ତା’ର ସାଥୀ ସନ୍ଧ୍ୟାବେଳେ ବିଜେପି କାର୍ଯ୍ୟାଳୟଠାରେ ପହଞ୍ଚି ଗାଳିଗୁଲଜ କରିବା ସହ ଗୋଟିଏ ବୋମା ପକାଇଥିଲେ। ପ୍ରଥମ ବୋମାଟି ନଫୁଟିବାରୁ ସେମାନେ ଆଉ ଏକ ବୋମା ପକାଇଥିଲେ। ଦ୍ୱିତୀୟଟି ଫୁଟିବା ପରେ ଗେଟ ଭିତରେ ପଶି ପ୍ରଥମ ବୋମାକୁ ଆଣି ଆଉଥରେ ଫୋଫାଡ଼ିିଥିଲେ। ଶବ୍ଦଶୁଣି ସୁରକ୍ଷା କର୍ମୀ ଓ ଦଳୀୟ କର୍ମକର୍ତ୍ତା ବାହାରକୁ ଦୌଡି ପଳାଇଥିଲେ। ଖାରବେଳନଗର ଥାନାକୁ ଖବର ଦିଆଯାଇଥିଲା। ଏହାର କିଛି ସମୟ ପରେ ଅଭିଯୁକ୍ତ ଦ୍ୱୟ ଥାନାକୁ ଯାଇ ଆତ୍ମସର୍ମପଣ କରିଥିଲେ। ଅଭିଯୁକ୍ତ ଦ୍ୱୟ ଗଣମାଧ୍ୟରେ ହାଇଲାଇଟ ହେବାକୁ ଏପରି କରିଥିବା ପୁଲିସ ପଚରାଉଚରା ସମୟରେ ଜାଣିବାକୁ ପାଇଛି।
ଘଟଣାର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଏନେଇ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ଏହି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ। ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି। ଏସଂକ୍ରାନ୍ତରେ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଗତ କିଛି ମାସ ପୂର୍ବରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ କାର୍ଯ୍ୟାଳୟ ପରିସରରେ ପିନାକୀ ମହାନ୍ତ ନକଲି ବନ୍ଧୁକ ଦେଖାଇ ଗିରଫ ହୋଇଥିଲା।
ଏସମ୍ପର୍କରେ ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ବିଜେପି କାର୍ଯ୍ୟାଳୟ ଉପରେ ଏଭଳି ଆକ୍ରମଣ କିଛି କମ୍‍ କଥା ନୁହେଁ। ରାଜ୍ୟରେ ଆଇନ ଶୃଙ୍ଖଳା କିଭଳି ବିପର୍ଯ୍ୟସ୍ତ ହୋଇପଡିଛି ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି।

Leave A Reply