ଚୌଦ୍ୱାର: କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟରୁ ଧାନକିଣାରେ କାଟ ଓ ଚାଉଳ କାଟର ପ୍ରତିବାଦରେ ଚୌଦ୍ୱାର-କଟକ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ପଞ୍ଚାୟତରେ ପ୍ରତିବାଦ କରାଯିବା ସହିତ କେନ୍ଦ୍ର ସରକାରଙ୍କ ଏହି ଜନ ମାରଣ ନୀତିର ବିରୋଧ କରା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର କୟଳପଡ଼ା, ଇନ୍ଦ୍ରାଣୀପାଟଣା, ବାଣୀପଦା, ଆଗ୍ରାହାଟ ଓ ନଖରା ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଜନ ସାଧାରଣ, ରାଜନେତା ଓ ଦଳୀୟ କର୍ମୀ ମାନେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ନୀତିର ବିରୋଧ କରିଥିଲେ। କେନ୍ଦ୍ର ସରକାର ବଜେଟରେ ଧାନକିଣା ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିବା ଏବଂ ଓଡ଼ିଶାରୁ କିଣାଯାଉଥିବା ଉଷୁନା ଚାଉଳ ୧୮ ଲକ୍ଷ ମେଟ୍ରିକ୍ ଟନ୍ରୁ ୪ଲକ୍ଷ ମେଟ୍ରିକ୍ ଟନ୍କୁ ହ୍ରାସ କରିବା ଫଳରେ ଓଡ଼ିଶାର କୃଷକ ମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବେ ବୋଲି ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଥିଲେ। ଏଥି ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ପ୍ରଦାନ କରାଯାଉଥିବା ୫କିଲୋ ଚାଉଳ ବନ୍ଦ କରାଯାଇଥିବାରୁ ଏହା ଗରିବ ମାନଙ୍କୁ ବହୁ ମାତ୍ରାରେ ବାଧିବ ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରି କେନ୍ଦ୍ର ଯଦି ତୁରନ୍ତ ଏହାର ସୁବିଚାର ନକରନ୍ତି ତେବେ ଓଡ଼ିଶାବାସୀଙ୍କ ସ୍ୱାର୍ଥପାଇଁ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ଏସମ୍ପର୍କିତ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଟାଙ୍ଗୀ-ଚୌଦ୍ୱାର ବିଡ଼ିଓ ଆଶୁତୋଷ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଜିଲା ପରିଷଦ ସଦସ୍ୟା ଜ୍ୟୋତ୍ସାରାଣୀ ସୁବୁଦ୍ଧିରାୟ, ବିଜେଡ଼ି ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା,ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ସରପଞ୍ଚ ଶୈଳବାଳା ନାୟକ, ସଂଧ୍ୟାରାଣୀ ରାଉତ, ଦିଲ୍ଲିପ ଭୋଇ, ତୀର୍ଥାନନ୍ଦ ସୁବୁଦ୍ଧିରାୟଙ୍କ ସମେତ ସମସ୍ତ ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ୱାର୍ଡ଼ ସଭ୍ୟ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Popular Categories



