କେନାଲ ପାଣି ଅପହଞ୍ଚ, ଚାଷ ଜମି ଫାଟି ଆଁ: ବିଭାଗୀୟ ଅବହେଳାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ

ବିନିକା : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ତହସିଲ ଅଞ୍ଚଳରେ କେନାଲ ବିଭାଗର ଅହେତୁକ ଅବହେଳା ଯୋଗୁଁ ଦୁଇ ସପ୍ତାହ ହେଲା ତଳ ମୁଣ୍ଡ ଅଞ୍ଚଳରେ ପାଣି ଅପହଞ୍ଚ ସମସ୍ୟା ଦେଖା ଦେଇଛି। ଫଳରେ ଏପରି ସ୍ଥିତିରେ ପାଣି ଅଭାବ ଯୋଗୁଁ ଚାଷ ଜମି ମାଟି ଫାଟି ଆଁ କରିଥିବା ନେଇ ଚାଷୀ ମହଲରେ ଅଭିଯୋଗ ହେଉଛି। ପାଣି ପହଞ୍ଚାଇବା ନେଇ ଚାଷୀଙ୍କ ବାରମ୍ବାର ଦାବି ସତ୍ତ୍ୱେ କେନାଲ ବିଭାଗ ଅଧିକାରୀ ଆଦୌ ଆନ୍ତରିକତା ପ୍ରକାଶ କରୁ ନଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଥିଯୋଗୁଁ ବିଶେଷକରି କେନାଲ ତଳ ମୁଣ୍ଡ ଅଞ୍ଚଳରେ ଚାଷ ଜମି ମାଟି ଫାଟି ଆଁ କରିଥିବା ପରିଲକ୍ଷିତ ହେଉଛି। ତଳ ମୁଣ୍ଡ ଅଞ୍ଚଳକୁ ଦୀର୍ଘଦିନ ଧରି ପାଣି ଅପହଞ୍ଚ ସମସ୍ୟା ସମ୍ପର୍କରେ କେନାଲ ବିଭାଗ କତୃପକ୍ଷ ସମ୍ପୂର୍ଣ୍ଣ ଅବଗତ ଥିଲେ ସୁଦ୍ଧା ଏନେଇ କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ମାଟିଫଟା ଚାଷ ଜମିକୁ ପାଣି ପହଞ୍ଚାଇ ପାରୁ ନ ଥିବାରୁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏବେ ଚାଷ ଜମିରେ ଆବଶ୍ୟକ ସାର ଓ କୀଟନାଶକ ଔଷଧ ଇତ୍ୟାଦି ପ୍ରୟୋଗର ଆବଶ୍ୟକତା ଥିବାରୁ କୃଷି କ୍ଷେତ୍ରରେ ପର୍ଯ୍ୟାପ୍ତ ପାଣିର ଆବଶ୍ୟକତା ଥିବା ବେଳେ ପାଣି ଅଭାବ ଯୋଗୁଁ ମାଟି ଫାଟି ଆଁ କରିଥିବା ଚାଷ ଜମିକୁ ଦେଖି ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି।

prayash

କେନାଲରେ ପାଣି ଆସୁ କିମ୍ବା ନଆସୁ ସପ୍ତାହକ ମଧ୍ୟରେ କେବଳ ଦିନେ ଦୁଇ ଦିନ ତଳ ମୁଣ୍ଡ ଅଞ୍ଚଳକୁ ଆସି ବିଭାଗୀୟ କର୍ମଚାରୀ ମାନେ ପାଣି ପହଞ୍ଚାଇବା ଲାଗି ଛିଟା ମେଣ୍ଟାଇ ଦେଉଥିବାରୁ ଫୁଲମୁଠୀ ମୌଜାର ଚାଷୀ ଏବେ ପାଣି ଅଭାବ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। କୃଷି ଓ କୃଷକର ବିକାଶ ଲକ୍ଷ୍ୟରେ ସରକାର ପ୍ରତିବର୍ଷ ଅନେକ ଯୋଜନା କାର୍ୟ୍ୟକାରୀ କରି କେନାଲ ଉନ୍ନତି ଦିଗରେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଥିବା କହୁଥିବା ବେଳେ ତଳ ମୁଣ୍ଡ ମରୁଡ଼ି ପରିସ୍ଥିତି ଅଞ୍ଚଳ କୁହା ଯାଉଥିବା ଫୁଲମୁଠୀ ମୌଜାର ଶୋଚନୀୟ କେନାଲର ଅବସ୍ଥା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି। ଏପରି ସ୍ଥିତିରେ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ମାନେ ଅଫିସରେ ବସି କେବଳ କାଗଜକଲମରେ ପାଣି ପହଞ୍ଚାଇବା ନେଇ ଯେତେ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ବିଫଳ ହେଉଥିବା ଅଭିଯୋଗ ହେଉଛି। ଯେକୌଣସି ସମୟରେ ଦରକାର ପଡ଼ିଲେ ସରକାର ଚାଷୀଙ୍କଠାରୁ ତାଙ୍କର ଆବଶ୍ୟକ କେନାଲ ଜଳକର ଓ ଧାର୍ଯ୍ୟ ରାଜସ୍ବ ନେଉଛନ୍ତି। କିନ୍ତୁ ପାଣିର ଦରକାର ପଡ଼ୁଥିବା ସମୟରେ ବିଭାଗ ଚାଷୀଙ୍କ ସମସ୍ୟା ବୁଝୁ ନଥିବାରୁ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରି ସ୍ଥିତିରେ ବିନିକା ତହସିଲ ଅନ୍ତର୍ଗତ ମୌଜା ଫୁଲମୁଠୀ ଗ୍ରାମର ଅଧିକାଂଶ ଚାଷ ଜମି କେନାଲ ପାଣି ଅପହଞ୍ଚ ଯୋଗୁଁ ମାଟି ଫାଟି ଆଁ କରିଥିବା ବେଳେ ଅନ୍ୟପଟେ ସମସ୍ୟା ଜାଣି ବିଭାଗ ଅଧିକାରୀ ନୀରବଦ୍ରଷ୍ଟା ସାଜି ଥିବାରୁ ଚାଷୀମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ତେଣୁ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ କେନାଲ ତଳ ମୁଣ୍ଡ ଅଞ୍ଚଳ ଶଙ୍କରା କେନାଲ ସବ ମାଇନର ଅଧିନ ଫୁଲମୁଠୀ ମୌଜାର ମାଟି ଫଟା ଚାଷ ଜମିଗୁଡ଼ିକୁ ପାଣି ପହଞ୍ଚାଇବାକୁ ଦାବି ହେଉଛି।

kalyan agarbati

Comments are closed.