ରେଙ୍ଗାଲିକେମ୍ପ: ଚୋରି ହୋଇଥିବା ବୋଲେରୋ, ପିକଅପ ସହ ୯ଟି ମଟରସାଇକେଲକୁ ଅତାବିରା ପୁଲିସ ଜବତ କରିଛି। ଏଥିସହ ଚୋରିରେ ସଂପୃକ୍ତ ଦଳର ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ସମ୍ବଲପୁର ଓ ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରୁ ଏହି ଚୋର ଦଳ ମଟରସାଇକେଲ ଚୋରି କରୁଥିବା ତଦନ୍ତବେଳେ ପୁଲିସ ଜାଣିବାକୁ ପାଇଛି। ମଙ୍ଗଳବାର ଏ ସଂକ୍ରାନ୍ତରେ ଅତାବିରା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଏନେଇ ଅତାବିରା ପୁଲିସ ୫ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲା ହୀରାକୁଦର ବିକାଶ ହରିପାଳ, ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଲହଣ୍ଡାର ବନମାଳି ପଞ୍ଚଭାୟା ଏବଂ ଅତାବିରା ଦୁର୍ଗାମନ୍ଦିର ଗଳିର ଶିବ ଦୀପ। ଏନେଇ ପୂର୍ବରୁ ବରଗଡ଼ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ ଏବଂ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ ଚାଲିଥିଲା। ପୁଲିସ ୟାମାହା, ହିରୋହୋଣ୍ଡା ଡ଼ିଲକ୍ସ, ବାଜାଜ ପ୍ଲାଟିନା, ବାଜାଜ ପଲସର, ହିରୋହୋଣ୍ଡା ସିଡ଼ି ଡ଼ନ, ହିରୋ ସ୍ପେଣ୍ଡର ପ୍ଲସ, ପଲସର, ହିରୋ ଏଚଏଫ ଡ଼ିଲକ୍ସ ମଟରସାଇକଲ, ଟିଭିଏସ ଜୁପିଟର ସ୍କୁଟି ଏବଂ ବୋଲେରୋ ମେକ୍ସି ଟ୍ରକ ସହ ୩ଟି ମୋବାଇଲ ଜବତ କରିଛି।
ଗତ ୧୫ ତାରିଖରେ ଜଣେ ଗୃହରକ୍ଷୀ ଡ଼୍ୟୁଟି ସାରି ଘରକୁ ଫେରୁଥିବାବେଳେ ଗୋଡ଼ଭଗା ସ୍ୱର୍ଗଦ୍ୱାରରେ କେତେକ ସନ୍ଦେହଜନକ ବ୍ୟକ୍ତି ବସିଥିବା ଦେଖିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସେ କାବୁ କରିଥିଲେ। ତାକୁ ଅତାବିରା ପୁଲିସ ପଚରାଉଚରା କରିବା ପରେ ଏହି ଘଟଣାର ପର୍ଦାଫାସ ହୋଇଥିବା ଜଣାଯାଇଛି।



