www.samajalive.in
Sunday, December 7, 2025
13.1 C
Bhubaneswar

କେନ୍ଦୁଝରରେ ଭାରତ ବନ୍ଦର ଆଂଶିକ ପ୍ରଭାବ

କେନ୍ଦୁଝରଗଡ଼: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ଦିଆଯାଇଥିବା ୧୨ଘଣ୍ଟିଆ ଭାରତ ବନ୍ଦ ଡାକରାର କେନ୍ଦୁଝର ଜିଲାରେ ଆଂଶିକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସହରରେ କାଁ ଭାଁ ଦୋକାନ ବଜାର ବନ୍ଦ ରହିଥିବାବେଳେ କୋର୍ଟ, କଚେରୀ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ଖୋଲା ରହିବା ସହ ଜିଲାର ଅନ୍ୟ କୌଣସି ସ୍ଥାନରେ ବନ୍ଦର ସେଭଳି ପ୍ରଭାବ ଦେଖିବାକୁ ମିଳି ନାହିଁ। ବନ୍ଦ ଡାକରା ଯୋଗୁଁ ଘରୋଇ ଯାତ୍ରୀବାହୀ ବସ୍‌‌ ଚଳାଚଳ ମଧ୍ୟାହ୍ନସୁଦ୍ଧା ବନ୍ଦ ଥିବାବେଳେ ସରକାରୀ ବସ୍‌‌ ସାଙ୍ଗକୁ ଯାତ୍ରୀବାହୀ ରେଳ ଚଳାଚଳ ସ୍ୱାଭାବିକ ରହିଥିବାରୁ ଯାତ୍ରୀ ସେବା ମଧ୍ୟ ସେଭଳି ବିଶେଷ ପ୍ରଭାବିତ ହୋଇନାହିଁ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝରର ଆବାହକ ତଥା ପୂର୍ବତନ ସଦର ବିଧାୟକ ଇଂ ସୁବର୍ଣ୍ଣ ନାଏକଙ୍କ ନେତୃତ୍ୱରେ କମିଟିର କେତେକ ନେତା ଓ କର୍ମୀ ସକାଳୁ କେନ୍ଦୁଝର ସହରର ଗାନ୍ଧୀ ଛକ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରି ବସିଥିଲେ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆସିଥିବା ରାୟକୁ ବିରୋଧ କରି ବନ୍ଦ ପାଳନ କରିବା ସହିତ ଏହି ରାୟକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସାମ୍ବିଧାନିକ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ। ସମ୍ବିଧାନର ଧାରା-୩୪୧ ଅନୁସୂଚିତ ଜାତି ଏବଂ ଧାରା-୩୪୨ ଅନୁସୂଚିତ ଜନଜାତିକୁ ବିରୁଦ୍ଧାଚରଣ କରୁଛି ବୋଲି ସେ ଅଭିଯୋଗ କରିଛନ୍ତିି।

ଚଳିତ ମାସ ୧ ତାରିଖ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକତରଫା ଭାବେ ସଂରକ୍ଷଣ ଭିତରେ ସଂରକ୍ଷଣ ଏବଂ ବର୍ଗୀକରଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାଦ୍ୱାରା ମୂଳ ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କୁ ଅପମାନ ସହିତ ଆଦିବାସୀ ଓ ଦଳିତ ସମାଜର ଏକତାକୁ ଦୁର୍ବଳ କରିବା ଏବଂ ଭାଇଚାରାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି ବୋଲି ମିଳିତ ଆଦିବାସୀ କଲ୍ୟାଣ ସମାଜ ସଭାପତି ଜନାର୍ଦ୍ଦନ ନାଏକ ଅଭିଯୋଗ କରିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସଂରକ୍ଷଣକୁ ଗୋଟିଏ ପୀଢ଼ିରେ ସିମୀତ ରଖିବା ଏବଂ ସଂରକ୍ଷଣକୁ ପରୋକ୍ଷ ଭାବରେ ବନ୍ଦ କରିବା ଭଳି ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଆଦିବାସୀ ନେତା ନିର୍ମଳ ଚନ୍ଦ୍ର ନାୟକ ଅଭିଯୋଗ କରିଛନ୍ତି। ଏହି ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ବନ୍ଦ ଡାକରାକୁ ସମର୍ଥନ କରି ଆଦିବାସୀ ନେତା ପ୍ରାଣବଲ୍ଲଭ ନାଏକ, ବିନୋଦବିହାରି ନାଏକ, ପ୍ରତିଭାମଞ୍ଜରୀ ନାଏକ, ରାମରାୟ ମୁନ୍ଦୁୟା, ସୁଡଢ଼ଳ ସେଠୀ, ଶରତ ଚନ୍ଦ୍ର ପାତ୍ର, ବାବାଜୀ ଚରଣ ପାତ୍ର, ଜୀବନ ସିଂ ମୁଣ୍ଡା, ସମରା ଟୁଡୁ, ଶ୍ରୀନିବାସ ମୁଖୀ, ରଞ୍ଜନ ସେଠୀ, ନୀରୋଦ ବେହେରା, ରମାକାନ୍ତ ପାତ୍ର, ଦିଲ୍ଲୀପ ସେଠୀ, ବିଭୂତି ବେହେରା, କୈଳାଶ ନାଏକ, କୁମରମଣୀ ପାତ୍ର, ପୂର୍ଣ୍ଣ ଦାସ, ଅଲେଖ ଚନ୍ଦ୍ର ପାତ୍ର, ରମେଶ ସେଠୀ, ପଞ୍ଚାନନ ସେଠୀ, ରାଜୁ ପାତ୍ର, ନିର୍ମଳ ବେହେରା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories