ଗୋଟିଏ ଆଦିବାସୀ ସଂଘ ନାମରେ ପୃଥକ ପୃଥକ ଭାବେ ସହିଦ୍ ରେଣ୍ଡୋମାଝୀଙ୍କ ୧୬୬ ତମ ସହିଦ୍ ଦିବସ ପାଳିତ
ଭବାନୀପାଟଣା : ଗୋଟିଏ ଆଦିବାସୀ ସଂଘ ନାମରେ ପୃଥକ ପୃଥକ ଭାବେ ସହିଦ୍ ରେଣ୍ଡୋମାଝୀଙ୍କ ୧୬୬ ତମ ସହିଦ୍ ଦିବସ ପାଳିତ । ଆଦିବାସୀମାନଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଥିବା ଓ ଆଦିବାସୀଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ଦଳବଦ୍ଧ ହୋଇ ଆଦିବାସୀମାନେ ଲଢେଇ କରିବାର ସମୟ ଆସିଛି। ଆଦିବାସୀଙ୍କ ଜାତି, ଧର୍ମ ଓ ସଂସ୍କୃତି ପ୍ରତି ଅସମ୍ମାନ କରୁଥିବା ଏବଂ ମାଓବାଦୀ ନାମରେ ନିରିହ ଆଦିବାସୀଙ୍କୁ ନିର୍ଯ୍ୟାତନା ଦେବା, ହତ୍ୟା କରିବା ଏବଂ ଜିଲ୍ଲାର ଶାନ୍ତିପ୍ରିୟ ଆଦିବାସୀମାନଙ୍କ ମଧ୍ୟରେ ଆଜି ଭେଦଭାବରେ ଯେଉଁ ବିଷମଞ୍ଜି ବୁଣି ଦେଇଥିବା ବ୍ୟକ୍ତିବିଶେଷ, ଲୋକପ୍ରତିନିଧି ଏବଂ ସଙ୍ଗଠନମାନଙ୍କୁ ଆଦିବାସୀ ସମୂହ କୌଣସି ଉପାୟରେ କ୍ଷମାଦେବ ନାହିଁ ବୋଲି ଶୁକ୍ରବାବାର ଦିନ ଭବାନୀପାଟଣା ଠାରେ କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ତରଫରୁ ପୃଥକ ପୃଥକ ଭାବେ ସହିଦ୍ ରେଣ୍ଡୋମାଝୀଙ୍କ ୧୬୬ ତମ ସହିଦ୍ ଦିବସ ଅବସରରେ ଉପସ୍ଥିିତ ଆଦିବାସୀ ନେତାମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ମଦନପୁର ରାମପୁର ବ୍ଲକ୍ ର ଉର୍ଲାଦାନୀ, ଥୁ.ରାମପୁର, ଜୁନାଗଡ ଆଦି ସ୍ଥାନରେ ମଧ୍ୟ ରେଣ୍ଡୋମାଝୀଙ୍କ ସହିଦ୍ ଦିବସ ପାଳିତ ହୋଇଯାଇଛି।
ଘୁମ୍ସର କନ୍ଧମେଳି ସମୟରେ ମ.ରାମପୁର-ଉର୍ଲାଦାନୀ ଅଞ୍ଚଳରେ କନ୍ଧ ସମାଜର ପ୍ରତିନିଧିତ୍ୱ କରି ପରାକ୍ରମ ଇଂରେଜ ସେନା ସହିତ ସାହାସର ସହ ଲଢେଇକରି ସହିଦ୍ ହୋଇଥିବା ଆଦିବାସୀ ନେତା ସହିଦ୍ ରେଣ୍ଡୋମାଝୀଙ୍କର ୧୬୬ ତମ ଶହିଦ୍ ଦିବସ ଅବସରରେ ଭବାନୀପାଟଣା ଠାରେ କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ନାମରେ ପୃଥକ ପୃଥକ ଭାବେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ନିକଟରେ ଥିବା ରେଣ୍ଡୋମାଝୀ ସହିଦ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ନାମରେ ସଂଘର ସଭାପତି ରାମଚନ୍ଦ୍ର ମାଝୀ, ମହାସଚୀବ ରାଜେନ୍ଦ୍ର କୁମାର ମାଝୀ, ସୁକଦେବ ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଆଦିବାସୀ ନେତା ଏବଂ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ନିଜର ପାରମ୍ପରିକ ଅସ୍ତ୍ର ଶସ୍ତ୍ର ସହିତ ବାଜା ବଜାଇ ନକଟିଗୁଡା-ପରଦେଶୀପଡା-ଜେଲଛକ-ବ୍ୟାଙ୍କ ଛକ-ପୁରୁଣା ବସଷ୍ଟାଣ୍ଡ -ଘୋଡାଘାଟଛକ ଦେଇ ଏକ ଶୋଭାଯାତ୍ରାରେ ନୂତନ ବସଷ୍ଟାଣ୍ଡକୁ ଆସି ରେଣ୍ଡୋମାଝୀ ସହିଦ ସ୍ମୃତି ପୀଠ ପୁଷ୍ପାମାଲ୍ୟ ଦେବା ସହିତ ସେଠାରେ ଆଦିବାସୀମାନେ ପାରମ୍ପରିକ ବାଜା ବଜାଇ ଓ ଅସ୍ତ୍ରଶସ୍ତ୍ର ସହିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ମହାସଂଘ ମହାସଚୀବ ନିରଞ୍ଜନ ବିଶି ଏବଂ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ଉପସଭାପତି ପରମାନନ୍ଦ ମାଝୀ, ରୂପକେଶରୀ ଦଳେଇ ପ୍ରମୁଖ ଯୋଗଦେଇଥିଲେ।
ଠିକ୍ ସେହିପରି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ନାମରେ ଆଉ ଏକ ଗୋଷ୍ଠୀ ସଭାପତି ପ୍ରକାଶ ମାଝୀ, ସାଧାରଣ ସଂପାଦକ ରୁତୁରାଜ ମାଝୀ ଓ ସଂଗଠନ ସଂପାଦକ ଲଖଣ ଭୋଇଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଦିବାସୀ ନେତା ମାନେ କଲେଜ ଛକରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ବାଜା ବଜାଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ନୂତନ ବସଷ୍ଟାଣ୍ଡ ନିକଟରେ ଥିବା ରେଣ୍ଡୋମାଝୀ ସହିଦ ସ୍ମୃତି ପୀଠ ଏବଂ ଜେଲ ଛକରେ ଥିବା ରେଣ୍ଡୋ ମାଝି ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟ ଦେବା ସହିତ ଟ୍ରେଜେରି କାର୍ଯ୍ୟାଳୟ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଯୋଗଦେଇଥିଲେ। ଏହି ଦୁଇ ପୃଥକ ପୃଥକ ସଭାରେ ଉପସ୍ଥିତ ଆଦିବାସୀ ନେତାମାନେ ପ୍ରକାଶ କରିଥିଲେ ଯେ, କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ନିରୀହ ଆଦିବାସୀମାନଙ୍କୁ ବ୍ୟବହାର କରୁଛନ୍ତି। କିଛି ଆଦିବାସୀ ନେତା ନିଜର ସ୍ୱାର୍ଥ ପାଇଁ ପଥଭ୍ରଷ୍ଟ ହୋଇ ଆଦିବାସୀ ବିରୋଧି କାର୍ଯ୍ୟ କରିବା ଘଟଣାକୁ ତୀବ୍ର ଭର୍ତ୍ସନା କରିଥିଲେ।
ଆଜି ସାରା ଓଡିଶାରେ ଆଦିବାସୀଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ଗତି କରୁଛି। ଯେଉଁମାନେ ଆଦିବାସୀ ସମାଜ, ଜାତି, ଧର୍ମ ଓ ସଂସ୍କୃତି ଏବଂ ପରମ୍ପରାକୁ ଅସମ୍ମାନ କରୁଛନ୍ତି ସେପରି ବ୍ୟକ୍ତିବିଶେଷ, ସଙ୍ଗଠନ, ଏବଂ ରାଜନୈତିକ ଦଳକୁ କୌଣସି ଉପାୟରେ ଆଦିବାସୀ ସଂଘ କ୍ଷମାଦେବନାହିଁ। ତେଣୁ ଜିଲ୍ଲାର ସମସ୍ତ ଆଦିବାସୀ ଏକ ହୋଇ ବର୍ତ୍ତମାନ ଶାନ୍ତପ୍ରିୟ ଜିଲ୍ଲାରେ କିଛି ବ୍ୟକ୍ତିଙ୍କ ଦ୍ୱାରା ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଓ ସଂସ୍କୃତିକୁ ଧ୍ୱଂସ କରିବାର ଯେଉଁ ପ୍ରୟାସ କରାଯାଉଛି ତାହା ବିରୋଧ କରିବାର ସମୟ ଆସିଛି ବୋଲି ପ୍ରକାଶ କରିଥିଲେ। ଆଦିବାସୀମାନଙ୍କର ପୁଅ ଝିଅ ମାନେ ଚାକିରି ଓ ସରକାରୀ ସୁବିଧା ପାଉନଥିବାବେଳେ ପ୍ରଶାସନ ଅଢୁଆଳରେ ରହି ଶହ ଶହ ନକଲି ଆଦିବାସୀ ମାନେ ଅସଲି ଆଦିବାସୀ ନାମରେ ସମସ୍ତ ସରକାରୀ ସୁବିଧା ପାଇବା ସହିତ ସରକାରୀ କାର୍ଯ୍ୟାଳୟରେ ଚାକିରି କରିବା ଫଳରେ ମୂଳ ଆଦିବାସୀମାନେ ଆଜି ସବୁ ସୁବିଧା ଓ ଅଧିକାରରୁ ବଞ୍ଚିତ ହେଉଛନ୍ତି।
ତୁରନ୍ତ ସରକାର ଓ ଜିଲ୍ଲାପ୍ରଶାସନ ସଂଘ ଦେଇଥିବା ନକଲି ଆଦିବାସୀ ତାଲିକାକୁ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଦିବାସୀମାନଙ୍କ ଭିତରେ କୋହଳୁଥିବା ଅସନ୍ତୋଷ ଆଗାମୀ ଦିନରେ କେଉଁ ମୁହୁର୍ତ୍ତରେ ଉଗ୍ର ରୁପ ନେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏଠାରେ ପ୍ରକାଶ ଥାଉ ଯେ ଗୋଟିଏ ଆଦିବାସୀ ସଂଘ ନାମରେ ପୃଥକ ପୃଥକ ଭାବେ ରେଣ୍ଡୋ ମାଝୀ ଶହିଦ ଦିବସ ପାଳନ କରାଯିବା ଓ ନୂତନ ବସଷ୍ଟାଣ୍ଡ ନିକଟରେ ଥିବା ରେଣ୍ଡୋ ମାଝିଶହିଦ୍ ସ୍ମୃତିପୀଠକୁ ନିଜର ସଂଗଠନର ବୋଲି ଦାବି କରିଥିବା ଯୋଗୁଁ କାଳେ କୌଣସି ପ୍ରକାର ଅପ୍ରିତିକ ସୃଷ୍ଟି ହୋଇପାରେ ସେଥିପାଇଁ ପୁଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ କୌଣସି ପ୍ରକାର ଗଣ୍ଡଗୋଳ ନକରି ଶାନ୍ତିପ୍ରିୟ ଭାବେ ଶହିଦ୍ ଦିବସ ପାଳନ କରିବାକୁ ଦୁଇପକ୍ଷକ ଭବାନୀପାଟଣା ଟାଉନ ଥାନା ଆଇଆଇସି ପ୍ରଦୀପ ଧରୁଆ ଅନୁରୋଧ କରିଥିଲେ।
Comments are closed.