www.samajalive.in
Thursday, December 11, 2025
13.1 C
Bhubaneswar

ବ୍ରହ୍ମପୁର ବଡ଼ମେଡିକାଲ: ଶିଶୁ ଶଲ୍ୟ ଚିକିତ୍ସା ବିଭାଗରେ ସେବା ବନ୍ଦ

ବ୍ରହ୍ମପୁର :  ଏମ୍‍କେସିିଜି ମେଡ଼ିକାଲ କଲେଜ ଓ ହସ୍‍ପିଟାଲ ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫେରାଲ ହସପିଟାଲ ହୋଇଥିଲେ ସୁଦ୍ଧା ଏହା ଅନେକ ଦିନରୁ ଅବହେଳାର ଶିକାର ହୋଇ ଆସୁଛି। କିଛିଦିନ ତଳେ ନ୍ୟୁରୋସର୍ଜରୀ ବିଭାଗ ଡାକ୍ତର ଓ ରୋଗୀ ଶୂନ୍ୟ ହେବାରୁ ତାହା ବନ୍ଦ ହୋଇଯାଇଛି। ଏବେ ନ୍ୟୁରୋସର୍ଜରୀ ବିଭାଗ ରାସ୍ତାକୁ ଆପଣାଇଛି ପେଡିଆଟ୍ରିକ ସର୍ଜରୀ ବା ଶିଶୁ ଶଲ୍ୟଚିକିତ୍ସା ବିଭାଗ। ୨ ମାସ ହେଲା ଶିଶୁ ଶଲ୍ୟ ବିଭାଗରେ ରୋଗୀଙ୍କୁ ସେବା ମିଳୁନଥିବା ବେଳେ ଆଉ ମାସେ ପରେ ବିଭାଗଟି ସମ୍ପୂର୍ଣ୍ଣ ବନ୍ଦ ହେବା ଅବସ୍ଥାକୁ ଯାଉଛି।
ବ୍ରହ୍ମପୁର, ଗଞ୍ଜାମ, ଗଜପତି, କନ୍ଧମାଳ ସହ ଆଖପାଖ ଜିଲାର ଥିବା ଶିଶୁଙ୍କୁ ସମସ୍ତ ପ୍ରକାର ଉନ୍ନତ ଚିକିତ୍ସା ସେବା ଯୋଗାଇବାକୁ ଏମକେସିଜି ମେଡିକାଲରେ ଥିବା ଶିଶୁ ଶଲ୍ୟ ବିଭାଗର ଅବସ୍ଥା ଆଜି ଦୟନୀୟ। ଏମକେସିଜିର ଶିଶୁ ବିଭାଗରେ ମାତ୍ରାଧିକ ରୋଗୀଙ୍କ ଚିିକିତ୍ସା କରାଯାଉଥିବା ବେଳେ ସେହି ବିଭାଗ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଶିଶୁ ଶଲ୍ୟ ବିଭାଗ ଭଳି ସୁପର ସ୍ପେସିଆଲିଟି ବିଭାଗରେ ସେବା ବନ୍ଦ ହୋଇଯାଇଛି। ଯେଉଁ ଶିଶୁଙ୍କୁ ସର୍ଜରୀ ଆବଶ୍ୟକ ହେଉଛି ତାକୁ ତୁରନ୍ତ କଟକ ବଡ଼ମେଡିକାଲ ପଠାଇ ଦିଆଯାଉଛି। ଏହି ବିଭାଗରେ ୩ ଜଣ ଡାକ୍ତର ପଦ ଥିଲେ ମଧ୍ୟ ବର୍ତ୍ତମାନ ଜଣେ ମାତ୍ର ଆସୋସିଏଟ ପ୍ରଫେସର କାର୍ଯ୍ୟରତ ଅଛନ୍ତି। ଆଉ ମାସେ ପରେ ଆସୋସିଏଟ ପ୍ରଫେସର ଜଣଙ୍କ ଅବସର ନେବେ। ହେଲେ କୌଣସି କାରଣରୁ ସୁପର ସ୍ପେସିଆଲିଟି କୋଠାର ତଳ ମହଲାରେ ଥିବା ଶିଶୁ ଶଲ୍ୟ ବିଭାଗଟି ଆଜକୁ ୨ ମାସ ହେଲା ବନ୍ଦ ହୋଇଯାଇଛି। ଆଉ ସେଠାରେ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଉ ନାହିଁ। ବିଭାଗଟିରେ ଡାକ୍ତର, ରୋଗୀ ଓ କର୍ମଚାରୀ ନଥିବାରୁ ସମ୍ପୂର୍ଣ୍ଣ ଶୂନ୍‍ଶାନ ଲାଗୁଛି। ଜଣେ ଡାକ୍ତର ଥିବାରୁ ଶିଶୁ ଶଲ୍ୟ ବିଭାଗ ପାଇଁ ସପ୍ତାହକୁ ୨ ଦିନ ମାତ୍ର ଆଉଟଡୋର କରାଯାଉଥିଲା। ହେଲେ ବର୍ତ୍ତମାନ ତାହା ମଧ୍ୟ ବନ୍ଦ ହୋଇଯାଇଛି।

ଏପଟେ ଅନ୍ୟସ୍ଥାନରୁ ବଦଳି ହୋଇ ଏହି ମେଡିକାଲକୁ ଜଣେ ସହକାରୀ ପ୍ରଫେସର ଆସିଛନ୍ତି ବୋଲି କର୍ତ୍ତୃପକ୍ଷ କହୁଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଫଳରେ ଦକ୍ଷିଣାଞ୍ଚଳର ବିଭିନ୍ନ ଜିଲାରୁ ଆସୁଥିବା ଶିଶୁ ଶଲ୍ୟ ରୋଗୀ ଏଠାରେ ସେବା ନପାଇ ବିଭିନ୍ନ ଘରୋଇ ହସପିଟାଲ ମୁହାଁ ହେଉଛନ୍ତି। ଜାନୁୟାରୀ ୨୪ ତାରିଖରେ ହିଞ୍ଜିଳିକାଟୁ ଅଞ୍ଚଳର ୨୨ ଦିନର ଶିଶୁ ସାହିଲ ଦାସ ଏମକେସିଜିରେ ଚିକିତ୍ସିତ ହେଉଥିବା ବେଳେ ତା’କୁ ସର୍ଜରୀର ଆବଶ୍ୟକତା ଥିବାରୁ ଏଠାକାର ଡାକ୍ତର ପିଲାଟିକୁ କଟକ ପଠାଇଥିଲେ। ଆଉ ସେହି ଶିଶୁ ଓ ତା’ ପରିବାର ବର୍ଗଙ୍କୁ ଆମ୍ବୁଲାନ୍ସ କର୍ମଚାରୀମାନେ ରାସ୍ତାରେ ଓହ୍ଲାଇ ଦେଇଥିଲେ। ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କେବଳ ଏତିକି ନୁହଁ ଏମକେସିଜିରେ ଅନେକ ବର୍ଷ ଧରି ଆବଶ୍ୟକୀୟ ଡାଏଲିସିସ୍‍ ମେସିନ ନାହିଁ। ଯେଉଁ କିଡନୀ ରୋଗୀଙ୍କୁ ୪ ଘଣ୍ଟା ଡାଏଲିସିସ୍‍ କରାଯିବା କଥା ସେମାନଙ୍କୁୁ ୨ରୁ ଅଢେଇ ଘଣ୍ଟା ମଧ୍ୟରେ ଛାଡି ଦିଆଯାଉଛି। ସେହିପରି ପୂର୍ବରୁ ଜଣେ ମାତ୍ର ଡାକ୍ତରରେ ଚାଲୁଥିବା ଅନ୍ୟ ଏକ ସୁପରସ୍ପେସିଆଲିଟି ବିଭାଗ ନ୍ୟୁରୋସର୍ଜରୀରେ କିଛିଦିନ ହେବ ସେବା ବନ୍ଦ ରହିଛି। ଜଣେ ଡାକ୍ତର ଥିବାରୁ ସପ୍ତାହକୁ ଥରେ ମାତ୍ର ଆଉଟଡୋର କରାଯିବା ସହ ଇନଡୋରରେ ରୋଗୀଙ୍କୁ ରଖି ଚିକିତ୍ସା କରାଯାଉଥିଲା। ହେଲେ ଜଣେ ମାତ୍ର ଡାକ୍ତରଙ୍କ କଟକ ବଦଳି ପରେ ବିଭାଗରେ ସେବା ବନ୍ଦ ହୋଇଯାଇଛି। ସେହି ଡାକ୍ତର ଜଣଙ୍କ ଚାଲିଗଲେ ଏମକେସିଜି ନ୍ୟୁରୋ ସର୍ଜରୀ ବିଭାଗରେ ସେବା ବନ୍ଦ ହୋଇଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାଣିଥିଲେ ସୁଦ୍ଧା କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ହୋଇ ମଧ୍ୟ ଏଠାରେ ୨ଟି ସୁପରସ୍ପେସିଆଲିଟି ବିଭାଗ ବନ୍ଦ ହେବା ଅବସ୍ଥାକୁ ଚାଲିଆସିବା ପ୍ରସଙ୍ଗ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜ୍ୟରେ ମୋ ସରକାର ଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଥିଲେ ମଧ୍ୟ ସରକାରୀ ଅବହେଳାରୁ ଲୋକମାନେ ତାହାର ସୁଫଳ ପାଇପାରୁ ନାହାନ୍ତି ବୋଲି ମାନବ ଅଧିକର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା କହିଛନ୍ତି। ଦୁଇ ଦୁଇଟି ସୁପର ସ୍ପେସିଆଲିଟି ବିଭାଗ ବନ୍ଦ ହେବା ଅବସ୍ଥାକୁ ଚାଲିଆସିଥିବା ବେଳେ ଏଥିପ୍ରତି ପଦକ୍ଷେପ ନିଆନଯିବା ଦୁଃଖର ବିଷୟ ବୋଲି ସମାଜସେବୀ ଶ୍ୟାମସୁନ୍ଦର ଖାଡଙ୍ଗା କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories