www.samajalive.in
Wednesday, December 10, 2025
18.1 C
Bhubaneswar

ବେଲପଡ଼ା କଲେଜର ପୂର୍ବତନ ଅଧ୍ୟକ୍ଷ ଡ.ନୀଳାଚଳ ମିଶ୍ରଙ୍କ ପରଲୋକ

ବଲାଙ୍ଗିର:ବଲାଙ୍ଗିର ଜିଲାର ସୁସାହିତ୍ୟିକ ତଥା ବେଲପଡ଼ା କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ.ନୀଳାଚଳ ମିଶ୍ରଙ୍କର ପାଟଣାଗଡ ସ୍ଥିତ କାଦୋପଡ଼ା ବାସଭବନରେ ପରଲୋକ ହୋଇଯାଇଛି। ୮୧ ବର୍ଷୀୟ ସ୍ୱର୍ଗତ ଡ.ମିଶ୍ର ଜିଲାର ବିଭିନ୍ନ କଲେଜରେ ଅଧ୍ୟାପନା କରିଥିବା ବେଳେ ବିଭିନ୍ନ ସାହିତ୍ୟ ସଂଗଠନ, ଆକାଶବାଣୀ ସହ ଗବେଷଣାତ୍ମ ସନ୍ଦର୍ଭ ରଚନାରେ ନିଜକୁ ନିୟୋଜିତ ରଖିଥିଲେ। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲାଙ୍ଗିର ଜିଲା ସହ ପଶ୍ଚିମ ଓଡ଼ିଶାର ସାହିତ୍ୟ ଅନୁରାଗୀ ଏବଂ ଛାତ୍ରଛାତ୍ରୀ ଶୋକପ୍ରକାଶ କରିଛନ୍ତି।

 

- Advertisement -

୧୯୩୯ ଏପ୍ରିଲ ୧୭ରେ ବଲାଙ୍ଗିର ସଦର ମିର୍ଦ୍ଧାପାଲି ପଞ୍ଚାୟତର ତୁଲୁଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ।୧୯୬୧ ଜୁଲାଇରୁ ୧୯୬୯ ପର୍ଯ୍ୟନ୍ତ ଜିଲାର ବିଭିନ୍ନ ହାଇସ୍କୁଲ ଓ ଏମ୍ଇ ସ୍କୁଲରେ ସହକାରୀ ଶିକ୍ଷକ, ପ୍ରଧାନଶିକ୍ଷକ ଭାବେ ୧୯୬୮ରେ ପାଟଣାଗଡ ସ୍ଥିତ ଜବାହରଲାଲ କଲେଜରେ ଓଡ଼ିଆ ବିଭାଗ ଅଧ୍ୟାପକ ଓ ପ୍ରାଧ୍ୟାପକ ଭାବେ ୧୯୯୬ ଯାଏ କାର୍ଯ୍ୟ କରିଥିଲେ। ଏହାପରେ ଟିଟିଲାଗଡ ଡିଏଭି କଲେଜରେ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଓ ବେଲପଡ଼ା କଲେଜରୁ ଅଧ୍ୟକ୍ଷ ଭାବେ ସେ ୧୯୯୯ ମସିହାରେ ଅବସର ନେଇଥିଲେ। ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସିନେଟ, କଳା ଓ ଶିକ୍ଷା ବିଭାଗ ତଥା କଲେଜ ଉନ୍ନୟନ ପରିଷଦର ସଦସ୍ୟ ରହିଥିଲେ। ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ବୋର୍ଡ ଅଫ୍ ଷ୍ଟଡିଜ୍ ଓ ବୋର୍ଡ ପରୀକ୍ଷା ପରିଚାଳନା କମିଟିର ସଦସ୍ୟ ଦାୟିତ୍ୱ ତୁଲାଇଥିଲେ।
ପାଟଣାଗଡ କାଦୋପଡ଼ାରେ ଘର କରି ଅବସ୍ଥାନ କରୁଥିବା ଡ.ମିଶ୍ର କେବଳ ଅଧ୍ୟାପନାରେ ସେ ସୀମିତ ନଥିଲେ। ପାଟଣାଗଡର ପୂର୍ବ ସାହିତ୍ୟ ଅନୁଷ୍ଠାନ ରବିବାସରୀୟ ସାହିତ୍ୟଚକ୍ରର ସଭାପତି, ପାଟଣାଗଡ ସଂସ୍କୃତି ପରିଷଦର ସଭାପତି ଭାବେ ଦୀର୍ଘ ୩୦ ବର୍ଷ, ଅଶୋକ ଚନ୍ଦନ ସ୍ମୃତି କମିଯିର ଉପ ସଭାପତି ତଥା ପାଟଣେଶ୍ୱରୀ ସାହିତ୍ୟ ସଂସଦର ସଭାପତି ଥିଲେ। ତାଙ୍କର ବହୁ ପ୍ରବନ୍ଧ, ଆଲୋଚନା, ସମାଲୋଚନା, ସାକ୍ଷାତକାର ସହ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସିତ ହୋଇଥିଲା। ଓଡ଼ିଶା ମିନି ସାହିତ୍ୟ ଆନ୍ଦୋଳନର ପ୍ରମୁଖ ସଦସ୍ୟ ରହିଥିବା ଡ.ମିଶ୍ର ପାଟଣାଗଡରୁ ପ୍ରକାଶିତ ମିନି ସାହିତ୍ୟ ପତ୍ରିକା କୋଶଳିକାର ସଂପାଦନା, ହରିଶଙ୍କର ପତ୍ରିକାର ଉପଦେଷ୍ଟା ତଥା ପାଟଣା ସୌରଭର ମୁଖ୍ୟ ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ସମ୍ବଲପୁର ଆକାଶବାଣୀ ତଥା ବଲାଙ୍ଗିର ଆକାଶବାଣୀ କେନ୍ଦ୍ର ଜରିଆରେ ତାଙ୍କ ଆଲୋଚନା, ସାକ୍ଷାତକାର, ଶୁଣିମା ହେଉ କାର୍ଯ୍ୟକ୍ରମରେ ତାଙ୍କ ଲେଖା ପ୍ରସାରିତ ହୋଇଥିଲା। କବିତା ସଂକଳନ ‘ହେ ସାରଥୀ ଲେଉଟାଅ ରଥ‘ ପ୍ରକାଶିତ ହୋଇଥିବା ବେଳେ ଗବେଷଣାତ୍ମକ ସନ୍ଦର୍ଭ ‘କାହ୍ନୁଚରଣଙ୍କ ଉପନ୍ୟାସର ଚରିତ୍ରାନୁଶୀଳନ’ ଅପ୍ରକାଶିତ ରହିଛି।
ସୂଚନାଯୋଗ୍ୟ ଯେ, ବୟସାଧିକ୍ୟ କାରଣରୁ ଡ.ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା। ସେ ଶର୍ଯ୍ୟାଶାୟୀ ଥିଲେ ଓ କାଦୋପଡ଼ା ଘରେ ଚିକିତ୍ସା ଚାଲିଥିଲା। ଗୁରୁବାର ସକାଳେ ତାଙ୍କ ପରଲୋକ ହୋଇଥିଲା। ବଡ ପୁଅ ତଥା ‘ସମାଜ’ର ପାଟଣାଗଡ ପ୍ରତିନିଧି ଲକ୍ଷ୍ମୀକାନ୍ତ ମିଶ୍ର, ଶ୍ରୀକାନ୍ତ ମିଶ୍ର, ବୋହୂ ଅନୁପମା, ଅଞ୍ଚଳି, ଝିଅ ସାଧନା, ଜ୍ୱାଇଁ, ନାତି ନାତୁଣୀଙ୍କ ସହ ସଂପର୍କୀୟମାନେ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ବହୁ ଶୁଭେଚ୍ଛୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପାଟଣାଗଡ ହନୁମାନ ମନ୍ଦିର ସମ୍ମୁଖ ଶ୍ମଶାନରେ ଡ.ମିଶ୍ରଙ୍କ ଶେଷକୃତ୍ୟ କରାଯାଇଥିଲ। ବଡ ପୁଅ ଲକ୍ଷ୍ମୀକାନ୍ତ ମୁଖାଗ୍ନି ଦେଇଥିଲେ। ଡ.ମିଶ୍ରଙ୍କ ବିୟୋଗରେ, ଜିଲା ସାମ୍ବାଦିକ ସଂଘ, ପାଟଣାଗଡ ସାମ୍ବାଦିକ ସଂଘ, ସାହିତ୍ୟ ଅନୁରାଗୀ, ବନ୍ଧୁ, ଛାତ୍ରଛାତ୍ରୀମାନେ ଶୋକ ପ୍ରକାଶ କରିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories