ବାରିପଦା: କଟକର ପୁରୀଘାଟ ଥାନା ନିକଟସ୍ଥ ଘରୋଇ ନର୍ସିଂହୋମ୍ ‘ତ୍ରିଶା’ରେ ଅଗ୍ନିକାଣ୍ଡ ଘଟଣାର ଦିନକ ପରେ ବାରିପଦା ସହରର କେନ୍ଦ୍ର ସ୍ଥଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ତେବେ ହସ୍ପିଟାଲରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ରହିଛନ୍ତି। ବାରିପଦାର ‘ସାଇ ହସ୍ପିଟାଲ’ରେ ସୋମବାର ଭୋର ୩ଟା ୫୫ ବେଳେ ଦ୍ୱିତୀୟ ମହଲାର ଡ୍ୟୁଟି ରୁମ୍ରେ ନିଆଁ ଲାଗି ଯାଇଥିଲା। କୋଠରୀଟି ହୁ ହୁ ଜଳିବା ସହିତ ଆଖପାଖ କୋଠରୀ ଓ ହସ୍ପିଟାଲ ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ଯାଇଥିଲା।
ଖବର ପାଇ ଅଗ୍ନିଶମ ବିଭାଗ ଅଧିକାରୀ ବିଶ୍ୱନାଥ ମୁଣ୍ଡାଙ୍କ ନେତୃତ୍ୱରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ବ୍ୟାପିଥିବା ଧୂଆଁକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ। ଏହି ଅଗ୍ନିକାଣ୍ଡରେ ସମସ୍ତ ରୋଗୀ ସୁରକ୍ଷିତ ରହିଛନ୍ତି ବୋଲି ହସ୍ପିଟାଲର ସତ୍ତ୍ୱାଧିକାରୀ ଲକ୍ଷ୍ମୀକାନ୍ତ ପତିଙ୍କଠାରୁ ପ୍ରକାଶ। ବାତାନୁକୂଳ ଯନ୍ତ୍ର (ଏସି)ରେ ବିଦ୍ୟୁତ୍ ବିଭ୍ରାଟ (ସର୍ଟ ସର୍କିଟ) ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଜଣାପଡିବ ବୋଲି ଶ୍ରୀ ମୁଣ୍ଡା କହିଛନ୍ତି।



