ସମସ୍ୟା ଘେରରେ କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟ 

କଳାପଥର:କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୫୭ ମସିହାରେ ପ୍ରତିଷ୍ଠିତ। ଏହି ବିଦ୍ୟାଳୟରେ ଆଖପାଖ ୧୦ଟି ପଞ୍ଚାୟତର ପ୍ରାୟ ୨୩୫ଛାତ୍ର ଏବେ ପାଠ ପଢୁଛନ୍ତି।ଏକ ବହୁ ପୁରାତନ ବିଦ୍ୟାଳୟ ହିସାବରେ ଗୁଣବତ୍ତା ଶିକ୍ଷାଦାନ ଯୋଗୁଁ ଏହି ବିଦ୍ୟାଳୟଟିର ସମଗ୍ର ରାଜ୍ୟରେ ବହୁ ସୁନାମ ରହିଅଛି।ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ତଥା ସରକାରୀ ଉଦାସୀନତା ଯୋଗୁଁ ବିଦ୍ୟାଳୟଟି ଅବହେଳିତ ହୋଇଚାଲିଛି ବୋଲି ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।ବିଦ୍ୟାଳୟଟିରେ ଆବଶ୍ୟକ ସଂଖ୍ୟକ ପକ୍କା ଛାତ ଶ୍ରେଣୀଗୃହ ନାହିଁ। ତେଣୁ,ନବମ ଶ୍ରେଣୀର ୩ଟିଯାକ ସେକ୍ସନ ଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଟିଣ ଛାତ ଘରେ ଚାଲୁଅଛି। ଜରାଜୀର୍ଣ ଅବସ୍ଥାରେ ଥିବା ଆଜବେଷ୍ଟ ଗୃହ ରେ ବାଧ୍ୟ ହୋଇ ଶିକ୍ଷଦାନ ଦିଆଯାଉଛି।  ଶିକ୍ଷା ର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବ ଶିକ୍ଷା ଅଭିଯାନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗୋଟିଏ ପୁରାତନ ଶିକ୍ଷାନୁଷ୍ଠାନ ପ୍ରତି କାହାର ଦୃଷ୍ଟି ପଡୁନଥିବା ଆଶ୍ଚର୍ଯ୍ୟ ର ବିଷୟ। ଗତ ୨୦୨୨-୨୩ ବର୍ଷରେ  ୫-ଟି ରେ ୪୫ଲକ୍ଷ ଟଙ୍କା ବିଦ୍ୟାଳୟର ଉନ୍ନତୀକରଣ ତଥା ଖେଳପଡିଆ ଉନ୍ନତୀକରଣ ପାଇଁ ମଞ୍ଜୁର ହୋଇଥିଲା। ମଞ୍ଜୁର ଅର୍ଥରେ ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ପରିବର୍ତ୍ତେ ପ୍ରଶାସନ ଦ୍ବାରା ଅନାବଶ୍ୟକ ଭାବେ ବିଦ୍ୟାଳୟ ଶ୍ରେଣୀଗୃହ ଚଟାଣରେ ଟାଇଲ ପକା,କିଛି ବିଦ୍ୟୁତିକରଣ କାର୍ଯ୍ୟ ସହ ରଙ୍ଗ ସାଜସଜ୍ଜା ଓ କିଛି ବେଞ୍ଚ ଯୋଗାଣ କାର୍ଯ୍ୟ କରାଗଲା। ବିଦ୍ୟାଳୟ ଉନ୍ନୟନ ଓ ଶିକ୍ଷା କମିଟିରେ ସ୍ଥାନୀୟ ସରପଞ୍ଚ କମଳା ସ୍ୱାଇଁ,ପୂର୍ବତନ ସରପଞ୍ଚ ମିର୍ଯ୍ୟା ସର୍ଦ୍ଦାର ଅଲ୍ଲୀ ବେଗ, ଶିକ୍ଷାବିତ୍ ଧରମୁଧର ଯୁଝାରସିଂଙ୍କ ସହ ଯୁବନେତା ନରେଶ କୁମାର ସାହୁ,ପ୍ରତାପ କୁମାର ମହାପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବିମାନେ ସଦସ୍ୟ ଥିବାବେଳେ ଏ ସଂକ୍ରାନ୍ତରେ ସେମାନଙ୍କୁ ପଚାରିବାରୁ ଏହି ସମସ୍ତ କାର୍ଯ୍ୟ ଶିକ୍ଷା ଓ ଉନ୍ନୟନ କମିଟିର ଅଜ୍ଞାତସାରରେ ବ୍ୟୟ କରାଯାଇଥିବାର ସେମାନେ ମତପ୍ରକାଶ କରିଥିଲେ। ବିଦ୍ୟାଳୟ ଦଖଲରେ ଥିବା ସରକାରୀ ଜମିଗୁଡ଼ିକୁ  ବହୁ ଚେଷ୍ଟା ପରେ ମଧ୍ୟ ଏଯାଏ ବିଦ୍ୟାଳୟ ନାମରେ ରେକର୍ଡଭୁକ୍ତ କରାଯାଇ ନଥିବାରୁ ବହୁ ଜବରଦଖଲକାରୀମାନେ ଏହାର ସୁଯୋଗ ନେଇ ରାସ୍ତାକଡ ମୂଲ୍ୟବାନ ଜାଗା ଚତୁଃପାର୍ଶ୍ଵରୁ ମାଡିବସି ଶହ ଶହ ଦୋକାନଘରମାନ ନିର୍ମାଣ କରିଚାଲିଛନ୍ତି।  ଏ କ୍ଷେତ୍ରରେ ବିଦ୍ୟାଳୟ ପରିଚାଳନା ତଥା ଉନ୍ନୟନ କମିଟି ତରଫରୁ ବହୁବାର ବୋଲଗଡ଼ ତହସିଲଦାର ତଥା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। କିଛି ଅସାଧୁ କର୍ମଚାରୀ ଜବରଦଖଲକାରୀଙ୍କୁ ଭିତିରି ସହଯୋଗ କରିବା ଫଳରେ  ଅସାମାଜିକ ଲୋକଙ୍କ ଦ୍ୱାରା ଏକ ମିଥ୍ୟା ଘଟଣାରେ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ସଦସ୍ୟମାନଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ଏକପାଖିଆ ଶୁଣାଣି କରାଗଲା।ଏଥିପାଇଁ  ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବାକୁ ପଡ଼ିଲା। ଶୁଣାଣୀ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ କିଛି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତଥା ବୋଲଗଡ଼ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ଉପରେ ଏଯାଏ ପ୍ରଶାସନ କିଛି ପଦକ୍ଷେପ ନେଇନାହିଁ ବୋଲି ମତପ୍ରକାଶ ପାଇଛି।

Comments are closed.