ବାଲିଗୁଡ଼ା : କୋଟଗଡ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପଡିରହିଥିବା କଲେଜ ପଢୁଆ ଯୁବକର ମୃତଦେହ ଦେଖି ଦୁଃଖରେ ମର୍ମାହତ ଆତ୍ମୀୟସ୍ୱଜନ। କାନ୍ଦି କାନ୍ଦି କୋହ ସମ୍ଭାଳି ପାରୁନି ଭାଇ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋଟଗଡରେ। ସୂଚନା ମୁତାବକ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଦେଖି ପ୍ୟାରେଡ ପଡିଆରୁ ଦିନ ପ୍ରାୟ ଗୋଟାଏ ବେଳେ ଦୁଇ ସାଙ୍ଗ ସ୍ୱରୂପାନନ୍ଦ ପାଟମାଝି (ସାର୍ତ୍ତୁଲ) ଓ କର୍ନେଲ ମଲିକ ନାଡ଼ିବିଟିପଦର କୋଟଗଡ ବଜାର ଅଭିମୁଖେ ବାଇକରେ ଯାଉଥିଲେ। ସମ୍ମୁଖରୁ ଏକ ଅଜଣା ବାଇକ ଜୋରରେ ଆସୁଥିବା ଦେଖି ସିଡି ଡିଲକ୍ସ ବାଇକ ପଛରେ ବସିଥିବା ବାପୁଜୀ ମହାବିଦ୍ୟାଳୟର ଯୁକ୍ତଦୁଇର ପ୍ରଥମ ବର୍ଷର ଛାତ୍ର ସ୍ୱରୂପାନନ୍ଦ ରାସ୍ତା ରେ କଚାଡି ହୋଇ ପଡ଼ିଯାଇଥିଲେ। ଅପରପଟରୁ ଆସୁଥିବା ମାଲବାହୀ ଟ୍ରକ୍ ସିଧା ତାଙ୍କ ପେଟ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରକଟିକୁ ଛାଡି ଚାଳକ ଚମ୍ପଟ ମାରିଥିବା ଜଣାପଡିଛି। କ୍ଷତିପୂରଣ ଦାବିରେ ସାର୍ତ୍ତୁଲର ଗ୍ରାମବାସୀ ରାସ୍ତାରୋକ କରିଥିଲେ। କୋଟଗଡ ପୁଲିସ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା। ପୁଲିସ କେସ ନମ୍ବର ୧୧୬ରେ ମାମଲା ରୁଜୁ କରି ତୁମୁଡ଼ିବନ୍ଧ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ହରିଶ୍ଚନ୍ଦ୍ର ଯୋଜନାରୁ ୧୦,୦୦୦ ଓ ରେଡକ୍ରସ ତରଫରୁ ୨୦,୦୦୦ ଟଙ୍କା ପ୍ରଦାନ କରି ଘଟଣାର ଅନୁସନ୍ଧାନ କରାଯାଉଛି ବୋଲି କୋଟଗଡ ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି।
Popular Categories



