ଭୁଶୁଡିଲା ପୋଲ, ବାଲେଶ୍ୱର-ଭୁବନେଶ୍ୱର ସଂଯୋଗରେ ବାଧା

ବାରବାଟୀ/ରସୁଲପୁର: ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥର ରସୁଲପୁର ବ୍ଲକ ଛକ ନିକଟ ନୟନଜୋରି ଉପରେ ନିର୍ମିତ ପୋଲଟି ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ଅଚାନକ ଧସି ଯାଇଛି। ଫଳରେ ବାଲେଶ୍ବରରୁ ଭୁବନେଶ୍ୱରକୁ ସଂଯୋଗ ବିଛିନ୍ନ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ଟା ସମୟରେ ରାଜପଥର ପାଣିକୋଇଲିରୁ କୁଆଖିଆକୁ ସଂଯୋଗ କରୁଥିବା ରାସ୍ତାର ରସୁଲପୁର ଛକ ନିକଟ ନୟନଜୋରି ଉପରେ ଥିବା ପୋଲଟି ସଂଯୋଗସ୍ଥଳରୁ ଦୁଇ ଖଣ୍ଡ ହୋଇ ପ୍ରାୟ ୧୦ ଫୁଟ ତଳକୁ ଖସିପଡ଼ିଛି। ଘଟଣା ଘଟିବାର ଠିକ କିଛି ମୁହୂର୍ତ୍ତ ପୂର୍ବରୁ ଏକ ଯାତ୍ରୀବାହୀ ବସ ପୋଲକୁ ଅତିକ୍ରମ କରିଥିଲା। ପୋଲ ଧସିବାରୁ ଏକ ବଡ଼ ଶବ୍ଦ ହୋଇଥିଲା। ଯାହାକୁ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ସେ ବାଟେ ଆସୁଥିବା ଅନ୍ୟ ଗାଡିଗୁଡିକୁ ସେମାନେ ଅଟକାଇ ଥିଲେ। ରାସ୍ତା ଉପରେ ବାଲେଶ୍ବର ଆଡୁ କଟକ ପଟକୁ ଯାଉଥିବା ଶହ ଶହ ଗାଡି ଦୀର୍ଘ ସମୟ ଧରି ଅଟକି ରହିଥିଲା।

prayash

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/new-editor-of-the-samaja-2/482880.html

କୁଆଖିଆ ଥାନା ପୁଲିସ ଓ ରାଜପଥେ ପାଟ୍ରୋଲିଂ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ବିକଳ୍ପ ବାଟରେ ଗାଡିଗୁଡିକୁ ଛଡା ଯାଇ ରାଜପଥରୁ ଭିଡ଼ ହଟାଇ ଗାଡି ଚଳାଚଳ ସ୍ୱଭାବିକ କରାଯାଇଥିଲା। ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦେଶକ ଜେ.ପି ବର୍ମା ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ତ୍ରୁଟି ପାଇଁ ଏପରି ଘଟଣା ଘଟିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି। ବିଶେଷଜ୍ଞ ଦଳ ଘଟଣାର ତଦନ୍ତ କରି ପୋଲ ଧସିବାର କାରଣ ଖୋଜିବେ ବୋଲି ସେ କହିଛନ୍ତି। ୧୫ରୁ ୧୭ ବର୍ଷ ତଳେ ୪ ଥାକିଆ ରାସ୍ତା ନିର୍ମାଣ ସମୟରେ ହୋଇଥିବା ଏହି ପୋଲର ଖୁଣ୍ଟ ଓ ସ୍ପାମ ଭାଙ୍ଗିଯାଇଛି। ଏପରି ଘଟଣା ନିର୍ମାଣରେ ଥିବା ତ୍ରୁଟି ଓ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛି। ସେହି ସ୍ଥାନରେ ଦୀର୍ଘ ୫୦ ବର୍ଷ ତଳୁ ନିର୍ମାଣ ହୋଇଥିବା ପୋଲ ସୁରକ୍ଷିତ ଥିବା ବେଳେ ଅଳ୍ପ ବର୍ଷର ପୋଲଟି ଧସିବା ପଥଚାରୀଙ୍କୁ ବିଚଳିତ କରିଛି।

kalyan agarbati

Comments are closed.