ବଲାଙ୍ଗିର: ନୟାଗଡ ଜିଲାର ପରୀ ଅପହରଣ ଓ ମୃତ୍ୟୁ ମାମଲାରେ ଟାର୍ଗେଟ ହୋଇଛନ୍ତି ରାଜ୍ୟ ସରକାର। ବିଜେପି, କଂଗ୍ରେସ ଭଳି ବିଭିନ୍ନ ରାଜନୈତିକ ଦଳ ମେଳି ବାନ୍ଧିଛନ୍ତି। ଶାସକଦଳର ମନ୍ତ୍ରୀଙ୍କ ସହ ପୁଲିସ ଆଭିମୁଖ୍ୟ ଉପରେ ଅଙ୍ଗୁଳି ଉଠାଇଛନ୍ତି। ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ ଶାସକ ଦଳ ବଶୀକରଣ କରିବାରେ ଓସ୍ତାଦ। ତେଣୁ ବିଭିନ୍ନ ସମୟରେ ଶାସକଦଳ ଉପରେ ଉଠୁଥିବା ଅଭିଯୋଗକୁ ପ୍ରସଙ୍ଗ ଆଳରେ ଏଡେଇ ଦେବାରେ ସିଦ୍ଧହସ୍ତ ବିଜେଡି ନେତାଏ। ଆଉ ବିରୋଧୀ ଅତୀତରୁ ଆଜି ଯାଏ ଅସ୍ତ୍ରଶୂନ୍ୟ। ବିଧାନସଭା ଶୀତକାଳୀନ ରାଜନୈତିକ ତାତି ଦେଖାଯାଇଥିବା ବେଳେ ବଲାଙ୍ଗିର କଂଗ୍ରେସକୁ ନେଇ ଜୋରଦାର ଚର୍ଚ୍ଚା। ଗୋଟିଏ ଦଳରୁ ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା ବିଧାୟକ ଭାବେ ବଲାଙ୍ଗିର ଜିଲାରୁ ପ୍ରତିନିଧିତ୍ୱ କରୁଛନ୍ତି। ବିଧାୟକ ଶ୍ରୀ ସାଲୁଜା ଶ୍ରୀ ମିଶ୍ରଙ୍କୁ ତେର୍ଚ୍ଛା ଆକ୍ରମଣ କରୁଥିବା ବେଳେ ନରସିଂହ ନୀରବ। ଶ୍ରୀ ସାଲୁଜାଙ୍କ ପ୍ରକରଣରେ ଆଦୌ ପଦୁଟିଏ କହୁ ନାହାନ୍ତି। ବିଧାନସଭାରେ ବଲାଙ୍ଗିର କଂଗ୍ରେସ ରାଜନୀତିକୁ ନେଇ ଜିଲାରେ ଆରମ୍ଭ ହୋଇଛି ଆଲୋଚନା, ତର୍ଜମା।
ବଲାଙ୍ଗିର କଂଗ୍ରେସ ଗୋଟିଏ ପଟେ ପୂର୍ବସାଂସଦ ଶରତ ପଟ୍ଟନାୟକ ଓ ସମର୍ଥକ ତ ଆରପଟରେ ନରସିଂହ ମିଶ୍ର ଓ ଓଗେର। କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା ପୂର୍ବ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ। ସବୁଠି ନିଜ ବୁଦ୍ଧି ଲଗାଇ ଉପସ୍ଥିତି ଜାହିର କରିବାରେ ମାହିର ବିଧାୟକ ଶ୍ରୀ ମିଶ୍ର। ସବୁବେଳେ ବିଧାୟକ ଶ୍ରୀ ମିଶ୍ର ଓ ବିଧାୟକ ଶ୍ରୀ ସାଲୁଜାଙ୍କ କଥାବାର୍ତ୍ତାରେ ଭିନ୍ନ ମତ। ଏପିରିକି ଗଣମାଧ୍ୟମରେ ସିଧାସଳଖ ନହେଲେ ବି ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ଆଭିମୁଖ୍ୟକୁ ନେଇ କଣ୍ଟାବାଞ୍ଜି ବିଧାୟକ ସମାଲୋଚନା କରି ଆସିଛନ୍ତି। କଂଗ୍ରେସ ହେଉଛି ବିଜେଡିର ‘ବି ଟିମ୍’ କହିବାକୁ ପଛେଇ ନାହାନ୍ତି ସେ।
ଏଥର ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବୈଠକ ହୋଇଥିଲା। ପରୀ ପ୍ରସଙ୍ଗକୁ ଆୟୁଧ କରି ଦଳ ଜୋରଦାର ମତ ରଖିବ ଓ ସରକାରୀକଳକୁ ଦୋହଲାଇବାକୁ ନିଷ୍ପତ୍ତି କରାଯାଇଥିଲା। କଂଗ୍ରେସ ବିଧାନସଭାରେ ତୁମ୍ବି ତୋଫାନ କଲା। ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା, ହାଇକୋର୍ଟଙ୍କ ଅଧୀନରେ ଏସ୍ଆଇଟି ତଦନ୍ତ ଦାବି ଉଠାଇଲା କଂଗ୍ରେସ। ହେଲେ ଶାସକ ଦଳ ସୁଯୋଗ ଦେଲେନି। ସଂଖ୍ୟାଗରିଷ୍ଠତାର ସୁଯୋଗ ନେଇ ଅଧିବେଶନ ଆଗକୁ ବଢାଇଲେ ନାହିଁ। ଏସ୍ଆଇଟି ତଦନ୍ତ ଘୋଷଣା କରି ମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ଘୋଡାଇବାକୁ ୩୦ଦିନ ପୂର୍ବରୁ ଶୀତକାଳୀନ ଅଧିବେଶନକୁ ୧୦ ଦିନରେ ଶେଷ କରିଦେଲେ। ଯାହାକୁ ନେଇ କଂଗ୍ରେସ ଜଟଣି ବିଧାୟକ ସୁର ରାଉତରାୟ ଖୋଦ ବିଧାୟକ ଦଳନେତା ଶ୍ରୀ ମିଶ୍ରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ପ୍ରସଙ୍ଗରେ ନିଆଁ ଚେଙ୍ଗେଇ ଦେଲେ ବିଧାୟକ ଶ୍ରୀ ସାଲୁଜା। କଂଗ୍ରେସର ଚୁପ ରହିବା ବିଜେଡିକୁ ସୁହାଉଛି। ବିଧାୟକ ଦଳ ନେତା ହିସାବରେ ତାଙ୍କ ନେତୃତ୍ୱ ଓ ନିଷ୍ପତ୍ତିକୁ ଆମେ ସହମତି ଜଣାଉ କହିଛନ୍ତି ବିଧାୟକ ଶ୍ରୀ ସାଲୁଜା। ତେବେ ଖୁବ୍ ଶୀଘ୍ର ଏ ସମ୍ପର୍କରେ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରିବୁ ବୋଲି କହିଛନ୍ତି ଶ୍ରୀ ସାଲୁଜା।
ଅନ୍ୟପଟେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ଏସ୍ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି। ହାଇକୋର୍ଟଙ୍କ ଉପରେ ପ୍ରଶ୍ନ ଇଠାଇବାର ଅର୍ଥ ରାଜ୍ୟରେ ଶାସନ ବ୍ୟବସ୍ଥା ହୁଗୁଳା ହେଲାଣି। କୋର୍ଟ ଉପରେ ବିଶ୍ୱାସ ରହିଛି, ସମ୍ପୂର୍ଣ୍ଣ ଭରସା ତୁଟି ନାହିଁ। ନିରପେକ୍ଷ ତଦନ୍ତ ହେବ, ଦୋଷୀ ଧରାପଡ଼ିବ। କଂଗ୍ରେସର ଦାବି ପୂରଣ ହେବା ପରେ ଏବେ ଇସ୍ତଫା କଥା ଉଠାଇବା ଏକ ଆଳ କହୁଛନ୍ତି ଶ୍ରୀ ମିଶ୍ର। ଉପରୋକ୍ତ ଘଟଣାମାନ କଂଗ୍ରେସକୁ ଏକଜୁଟ କ’ଣ, ଫାଟ ସୃଷ୍ଟି କରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।



