ବଲାଙ୍ଗିର : ସନ୍ଧ୍ୟାର ସମୟ। ବଲାଙ୍ଗିର ଦୈନିକ ବଜାର ନିକଟ ରାମ ମନ୍ଦିର। ଉଭୟ ପାର୍ଶ୍ବ ମାଡି ଆସିଲେ ଦୁଇ ଷଣ୍ଢ। ଆଉ ତା ପରେ ଆରମ୍ଭ ହେଲା ଲଢେଇ। ଏଠାରେ କିଛି ସମୟ ପାଇଁ ପାଲଟିଥିଲା ବୁଲା ଷଣ୍ଢଙ୍କ ରଣକ୍ଷେତ୍ର। ଏ ରାସ୍ତା ଦେଇ ଆସୁଥିବା ବାଇକଧାରୀମାନେ ଗାଡ ଛାଡି ଫେରାର ମାରିଥିବା ବେଳେ ବେଶ କିଛି ସମୟ ଧରି ଟ୍ରାଫିକ ଜାମ ହୋଇଥିଲା। ଏହା କେବଳ ଆଜିର ଘଟଣା ନୁହେଁ, ବଲାଙ୍ଗିର ସହରରେ ଷଣ୍ଢ ଲଢେଇ ଏକ ନିତିଦିନିଆ ଘଟଣା ହୋଇଛି। ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିବା ବେଳେ ବେଶ ହଟହଟା ହୋଇଥିଲେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ।
ବଲାଙ୍ଗିର ସହରରେ ଏବେ ବୁଲା ଷଣ୍ଢ ଖୁବ ବଢିଗଲେଣି। ଯେଉଁଠି ଚାହିଁଲେ ସେଇଠି ପଶୁଛନ୍ତି। ରାସ୍ତା ମଝିରେ ଗାଡିର ବାଟ ଓଗାଳୁଛନ୍ତି। ସହରର ବିଭିନ୍ନ ସ୍ଥାନରେ ଏମାନଙ୍କ ଉତ୍ପାତ ଯୋଗୁଁ ବିଭିନ୍ନ ସମୟରେ କ୍ଷୟକ୍ଷତି ଘଟୁଥିବା ବେଳେ ଏମାନଙ୍କୁ ନିୟନ୍ତ୍ରଣ ନକରିବା ଦ୍ୱାରା ଏହା ଏକ ସମସ୍ୟାରେ ପରିଣତ ହେଲାଣି। କେବଳ ଦୈନିକ ବଜାର ନୁହେଁ, ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଏହି ଦୃଶ୍ୟ ନିୟମିତ ହେବାରେ ଲାଗିଲାଣି। ଦୁଇ ଷଣ୍ଢଙ୍କ ଲଢେଇ ଯୋଗୁଁ ପାଖରେ ଥିବା କିଛି ବାଇକକୁ କଚାଡି ପକାଇଥିଲେ। କଚେରୀ ଛକ ଚାରି ପଟୁ ରାସ୍ତା ଥିବା ବେଳେ ଦୈନିକ ବଜାର ରସ୍ତା ଦେଇ ଯେଉଁ ଲୋକେ ଷଣ୍ଢ ଲଢେଇ ସମୟରେ ଆସିଥିଲେ ସେମାନେ ପ୍ରାଣ ବିକଳରେ ଗାଡି ଛାଡି ଘଟଣାସ୍ଥଳରୁ ସୁରକ୍ଷିତ ସ୍ଥାନକୁ ଯାଇଥିଲେ। ଏପରିକି କିଛି ବାଇକ ବାଇକ ମଧ୍ୟରେ ପଛପଟୁ ଧକ୍କା ହୋଇଥିଲା। ପ୍ରାୟ ଅଧାଘଣ୍ଟା ଯାଏଁ ଟ୍ରାଫିକ ସମସ୍ୟା ବେହାଲ ହୋଇଥିଲା। ଏହା ଏକ ଟ୍ରାଫିକ ବହୁଳ ଅଞ୍ଚଳ ହୋଇଥିବା ବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଟାଉନ ଥାନା ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି। ଏହାରି ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀମାନେ ମଧ୍ୟ ପାଖକୁ ଯିବାକୁ ସାହସ କରି ନଥିଲେ। ଏପରିକି ନିକଟରେ ଥିବା ଚା’ ଦୋକାନୀ ବାଲଟିରେ ପାଣି ଆଣି ପକାଇଥିଲେ। କିନ୍ତୁ ଏ ସମ୍ପର୍କରେ ବାରମ୍ବାର ବଲାଙ୍ଗିର ପୌର ପରିଷଦକୁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ,ବୁଦ୍ଧିଜୀବୀମାନେ କାଞ୍ଜି ହାଉସ ପାଇଁ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ ହେଁ ଆଜି ଯାଏଁ ଏଥି ପ୍ରତି ଦୃଷ୍ଟି ଦିଆଯାଇ ନାହିଁ। ଦୈନନ୍ଦିନ ଏଭଳି ହେବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି।



