ସହାୟତାରୁ ବଞ୍ଚିତ ନିର୍ମାଣ ଶ୍ରମିକ

-ସାରକାରୀ ନିୟମକୁ ମାନୁନି ଜିଲା ଶ୍ରମ ବିଭାଗ -କାର୍ଯ୍ୟାଳୟ ଗେଟ୍‍ରେ ଝୁଲୁଛି ତାଲା

ବଲାଙ୍ଗୀର : ଶିବ ପୁଟେଲ। ବୟସ ୫୪। ଘର ବଲାଙ୍ଗୀର ପ୍ରତାପ ସାଗର ପଡ଼ାରେ। ନିର୍ମାଣ ଶ୍ରମିକ ଭାବେ ସେ କାମ କରନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଶ୍ରମ ବିଭାଗ ଅଧୀନରେ ସେ ପଞ୍ଜିକୃତ। ଲୁଙ୍ଗି ପିନ୍ଧିଥିବା ଓ ବେକରେ ଗାମୁଛା ପକାଇଥିବା ଶିବ ବଲାଙ୍ଗୀର ମନୋହରପୁର ରୋଡ୍‍ରେ ଥିବା ଶ୍ରମ ବିଭାଗ ଅଫିସ  ସମ୍ମୁଖରେ ତାଙ୍କ ସମସ୍ୟା ଜଣାଇବାକୁ ସେ ଠିଆ ହୋଇଥିଲେ।  କେବଳ ଶିବ ନୁହନ୍ତି, ଆଉ ଜଣେ ହେଲେ ବିଶିକେଶନ ସାହୁ। ବଲାଙ୍ଗୀର ସଦର ବ୍ଲକ ଜନକପୁରରେ ତାଙ୍କ ଘର। ସେ ବି ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ। ପଞ୍ଜିକରଣ ନେଇ ତାଙ୍କ ପାଖରେ କାଗଜପତ୍ର ରହିଥିଲେ ବି ନବିକରଣ ରସିଦ ନାହିଁ। ଏଜେଣ୍ଟକୁ ଦେଇଥିଲେ ରସିଦ କରାଇ ଦେବା ପାଇଁ। ସେ ଏପର୍ଯ୍ୟନ୍ତ ରସିଦ ପାଇ ନାହାନ୍ତି। କେବଳ ଶିବ କି ବିଶିକେଶନ ନୁହନ୍ତି। ଏଭଳି ୬୦ରୁ ଉର୍ଦ୍ଧ ଶ୍ରମିକ ନିଜ ନିଜ ସମସ୍ୟା ନେଇ ପହଞ୍ଚିଥିଲେ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ। ହେଲେ କାର୍ଯ୍ୟାଳୟ ସମ୍ମୁଖ ଗେଟ୍‍ରେ ତାଲା  ଝୁଲୁଥିଲା । ଅପେକ୍ଷା କରିଥିଲେ କାର୍ଯ୍ୟାଳୟ କେତେବେଳେ ଖୋଲିବ। ମଙ୍ଗଳବାର ସକାଳ ୧୦ଟା ୪୦ ପ୍ରାୟ। ଅଫିସ୍‍ ନିକଟରେ ଥିବା ଜିଲା ଶ୍ରମ ଅଧିକାରୀଙ୍କ ସରକାରୀ ବାସ ଭବନ ସମ୍ମୁଖରେ କେତେଜଣ ବ୍ୟକ୍ତି ଠିଆ ହୋଇ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ସେଠାକୁ ଯାଇ ବୁଝିବା ବେଳକୁ ଗେଟ୍‍ ଆରପଟେ ଜିଲା ଶ୍ରମ ଅଧିକାରୀ ଏସ୍‍.କେ.ବେହେରା ମାସ୍କ ପିନ୍ଧି ଠିଆ ହୋଇଥିଲେ। ଗେଟ୍‍ ଏପଟେ ଠିଆ ହୋଇଥିବା ଲୋକେ ନିଜ ସମସ୍ୟା କହୁଥିବା ବେଳେ ସେ ଶୁଣିବା ଅବସ୍ଥାରେ ନଥିଲେ। କେବଳ ଏତିକି କହୁଥିଲେ ତାଲା ବନ୍ଦ ଯୋଗୁଁ ଅଫିସ ବନ୍ଦ ରହିଛି। ତାଲା ବନ୍ଦ ସରିବା ପରେ ଅଫିସ୍‍ ଖୋଲିବ। ଅଫିସ୍‍ ଖୋଲିଲେ ତମେ ଆସ(ଶ୍ରମିକଙ୍କ ଉଦ୍ଦେଶ୍ୟରେ), ସମସ୍ୟା ବୁଝାଯିବ। ଏହାପରେ ଅଧିକାରୀ ଫେରିଯାଇଥିଲେ। ଶ୍ରମିକମାନେ ବି ନିରାଶ ହୋଇଥିଲେ।

ବଲାଙ୍ଗୀର ଜିଲାରେ ୫୫ହଜାର ୪୩୫ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ତାଲା ବନ୍ଦ ଯୋଗୁଁ କାମ ପାଉ ନଥିବା ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ଶ୍ରମ ବିଭାଗ ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ପକାଇବା ସମସ୍ୟା ରହୁଥିବାରୁ ଏହି ସହାୟତା ଅର୍ଥର ସଠିକ୍‍ ବଣ୍ଟନ ପାଇଁ ବିଭିନ୍ନ ବ୍ଲକକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ବ୍ଲକ ପକ୍ଷରୁ ପଞ୍ଜିକୃତ ଶ୍ରମିକଙ୍କ କାଗଜପତ୍ର ଦେଖିବା ସହ ନଗଦ ଟଙ୍କା ହାତକୁ ହାତ ଦିଆଯାଉଛି। କିନ୍ତୁ ଅନେକ ପଞ୍ଚିକୃତ ଶ୍ରମିକ ସୋମବାରଠାରୁ ବଲାଙ୍ଗିର ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଭିଡ ଜମାଉଛନ୍ତି। ମଙ୍ଗଳବାର ବି ସେହି ସମାନ ଅବସ୍ଥା। ଏହି ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଶ୍ରମିକମାନେ ଶ୍ରମ କାର୍ଯ୍ୟାଳୟକୁ ଧାଉଁଛନ୍ତି। ବ୍ଲକରେ ସହାୟତା ଟଙ୍କା ବଣ୍ଟା ଯାଉଥିବା ବେଳେ ସହାୟତା ଅର୍ଥରୁ ବଞ୍ଚିତ ଶ୍ରମିକମାନେ କାହିଁକି ପାଇବେ ନାହିଁ ବୋଲି ପ୍ରଶ୍ନ କଲା ବେଳେ ସେମାନଙ୍କୁ ଜିଲା ଶ୍ରମ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ବ୍ଲକ ପକ୍ଷରୁ କୁହାଯାଉଛି। କିନ୍ତୁ ଶ୍ରମ କାର୍ଯ୍ୟାଳୟରେ ଝୁଲୁଛି ତାଲା। ଜରୁରୀକାଳୀନ କାର୍ଯ୍ୟାଳୟ ଖୋଲିବା ତାଲିକାରେ ଶ୍ରମ କାର୍ଯ୍ୟାଳୟ ବି ରହିଛି। ଏଠାରେ ପ୍ରତି ଦିନ ପର୍ଯ୍ୟାୟ କରି(୩୦ ପ୍ରତିଶତ ହାର)ରେ କର୍ମଚାରୀମାନେ କାମ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ସରକାରଙ୍କ ପକ୍ଷରୁ। କିନ୍ତୁ କାର୍ଯ୍ୟାଳୟ କାହିଁକି ଖୋଲି ନାହିଁ ବୋଲି ଶ୍ରମ ଅଧିକାରୀ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ତାଲା ବନ୍ଦ ଯୋଗୁଁ ବନ୍ଦ ରହିଛି। ସରକାରୀ ଗାଇଡ୍‍ ଲାଇନ୍‍ ଶ୍ରମ ଅଧିକାରୀଙ୍କୁ ଦେଖାଇବା ପରେ ସେ ଅଡୁଆରେ ପଡିଯାଇଥିଲେ। ଏଥସହିତ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଶ୍ରମିକମାନେ ଆସି ଭିଡ ଜମାଉଥିବାରୁ ସମସ୍ୟା ସୃଷ୍ଟି ହେଉଛି କହି ସେଠାରୁ ଅଫିସ୍‍ ମୁହାଁ ହୋଇଥିଲେ ଶ୍ରମ ଅଧିକାରୀ ଶ୍ରୀ ବେହେରା।

ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗିର ଜିଲାରେ ସୋମବାର ଯାଏଁ ୫୫ହଜାର ୪୩୫ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ୩୦ହଜାର ୨୩୯ଜଣଙ୍କୁ ସହାୟତା ଅର୍ଥ ଦିଆଯାଇଛି। ଏନ୍‍ଆଇସିରୁ ସରକାରଙ୍କୁ ଦିଆଯାଇଥିବା ତାଲିକାରେ ଭୁଲ ଠିକଣା, ତଥ୍ୟ ଦିଆଯାଇଥିବାରୁ ହଜାର ହଜାର ଶ୍ରମିକ ସହାୟତା ବାବଦ ଅର୍ଥ ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ସେମାନଙ୍କୁ ଦିଆଯାଇଥିବା ରସିଦ୍‍ରେ ବି ଭୁଲ ଠିକଣା ରହିଛି। ଯାହାକୁ ନେଇ ସମସ୍ୟା ଦେଖାଦେଇଛି। ଏସଂପର୍କରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ପହଞ୍ଚିଛି। ଶ୍ରମି ବିଭାଗ କାର୍ଯ୍ୟାଳୟ ଖୋଲିବା ପରେ ଏହି ସମସ୍ୟାର ସମାଧାନ କରାଯିବ। ଯାହା ତ୍ରୁଟି ବିଚ୍ୟୁତି ରହିଛି ତାର ସଂଶୋଧନ କରାଯାଇ ସହାୟତା କେମିତି ଶ୍ରମିକମାନେ ପାଇବେ ସେଦିଗରେ ପଦକ୍ଷେପ ନିଆଯିବ ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.