ବେଲଗାଁ : ବଲାଙ୍ଗୀର ଭବାନିପାଟଣା ଜାତୀୟ ରାଜପଥ ୨୬ରେ ବେଲଗାଁ ଦେଇ ଗଞ୍ଜେଇ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଲିସ ଲେଖା ଗାଡିରେ କାରବାର ଜୋରଦାର ହୋଇଥିବା ଆଲୋଚନାର ବିଷୟ ହୋଇଛି। ଶନିବାର ରାତିରେ ପୁଲିସ ଫଳକ ଲଗାଯାଇଥିବା ଏକ ବୋଲେରୋରୁ ବେଲଗାଁ ପୁଲିସ ୪୯ କେଜି ଗଞ୍ଜେଇ ଜବତ କରିଛି। ବୋଲେରୋର ଉଭୟ ଆଗ ଏବଂ ପଛ ପଟରେ ଇଂରାଜିରେ ପୁଲିସ ଲେଖାଯାଇଛି।
ସୂଚନାରୁ ପ୍ରକାଶ ଯେ, ଶନିବାର ପ୍ରାୟ ଅପରାହ୍ନରୁ ବେଲଗାଁ ବିଜୟାନନ୍ଦ ହାଇସ୍କୁଲ ନିକଟରେ ଉକ୍ତ ବୋଲେରୋଟି ଅଟକି ରହିଥିଲା। ରାତ୍ରିରେ ବେଲଗାଁ ପୁଲିସ ଅଧିକାରୀ ମାଧବ ଚନ୍ଦ୍ର ହୋତା ଗାଡିଟିକୁ ସନ୍ଦେହାସ୍ପଦ ମନେକରି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସିଟ ତଳେ ଖୁବ ଗୋପନୀୟ ଭାବରେ ପ୍ୟାକେଟ ଗୁଡିକରେ ଗଞ୍ଜେଇ ଥିବା ଦେଖାଯାଇଥିଲା। ମୋଟ ୪୯ କେଜି ପରିମାଣର ଗଞ୍ଜେଇ ବୋଲେରୋରେ ରହିଥିବା ଜଣାପଡିଛି।ଏନେଇ ଖବର ପାଇ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥି, ସଇଁନ୍ତଲା ଥାନା ଆଇଆଇସି ବାରିଣୀ ଦାସ ପ୍ରମୁଖ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି। ବୋଲେରୋରେ ଲାଗିଥିବା ନମ୍ବର ( ବିଆର ୯ଇ ୪୫୩୬) ନକଲି ବୋଲି ପୁଲିସ ତଦନ୍ତରୁ ଜଣାପଡିଛି।
ପୂର୍ବରୁ ଗତ ସେପ୍ଟେମ୍ବରରେ ଏକ ଟିପର ଭର୍ତି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବେଲଗାଁ ଚାରିଛକ ନିକଟରେ ଦୃତ ଗତିରେ ଯାଉଥିବା ଟିପ୍ପରରୁ ଗୋଟିଏ ବସ୍ତା ଗଞ୍ଜେଇ ତଳେ ପଡିଯାଇଥିଲା। ବିଶେଷ କରି ବେଲଗାଁ ଦେଇ ଫୁଲବାଣୀ, ରାୟଗଡା ତଥା କଳାହାଣ୍ଡି ଜିଲା ପଟକୁ ସିଧାସଲଖ ସଂଯୋଗ ରହିଥିବାରୁ ବ୍ୟାପକ ମାତ୍ରାରେ ଉକ୍ତ ଅଞ୍ଚଳରୁ ବଲାଙ୍ଗୀର ଜିଲା ପଟକୁ ଗଞ୍ଜେଇ ଚାଲାଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ ପ୍ରଶାସନ ପାଟ୍ରୋଲିଂ କଡାକଡି କରିବା ପାଇଁ ଦାବି ହୋଇଛି।



