ବାହାଲି ସେତୁ ବିଲ ମଞ୍ଜୁର କ୍ଷମତାକୁ ନେଇ ବିବାଦ, ପଂଚାୟତିରାଜ ଅଧିକ୍ଷଣ ଯନ୍ତ୍ରୀ କଲେ ତଦନ୍ତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଦିବାସୀ ଅଧ୍ୟୁଷିତ ବାଣୀଭୁଷଣପୁର ପଂଚାୟତ ଅର୍ନ୍ତଗତ ବାହାଲି ସେତୁ ନିର୍ମାଣ କାର୍ଯ୍ୟରେ ବିଲ ପଇଠ କ୍ଷମତାକୁ ନେଇ ଦେଖାଦେଇଥିବା ବିବାଦର ତଦନ୍ତ ପାଇଁ ଗୁରୁବାର ରାଜ୍ୟ ପଂଚାୟତିରାଜ ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ଜେନା ହରଭଙ୍ଗା ବ୍ଲକ ପଂହଚିଥିଲେ। ନିଜେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଯୁକ୍ତ ଜେନା,ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା,ବ୍ଲକ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ ପୂର୍ବତନ ଜି.ପି.ଟିଏ ଦେଶବନ୍ଧୁ ନାଏକ,ଯନ୍ତ୍ରୀ ମଦୁସୁଦନ ଦୋରା ପ୍ରମୁଖ ନିର୍ମାଣଧିନ ବାହାଲି ସେତୁ କାର୍ଯ୍ୟ ପରିଦର୍ଶନ କରି ଘଟଣାର ସରଜମିନ ତଦନ୍ତ କରିଥିଲେ। ଏହାପରେ ବ୍ଲକ କାର୍ଯ୍ୟାଳୟକୁ ପଂହଚି ଉକ୍ତ ସେତୁର କ୍ୟାସରେକର୍ଡ ଯାଂଚ କରିବା ସହିତ ପ୍ରକଳ୍ପ ନିର୍ମାଣ ଅନୁଦାନ ଓ ଅନୁମୋଦନ ସଂର୍ପକୀତ କାଗଜପତ୍ର ସବୁ ଯାଂଚ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ବାବଦକୁ ପଇଠ ହୋଇଥିବା ୭ଲକ୍ଷରୁ ଅଧିକ ଟଙ୍କାର କାଗଜପତ୍ର ସାଙ୍ଗକୁ ବିଲ ମଞ୍ଜୁର କରିଥିବା ବିଭାଗୀୟ ଅଧିକାରୀଙ୍କ ଦସ୍ତଖତ ମଧ୍ୟ ଯାଂଚ କରିଥିବା ଜଣାପଡିଛି। ଏହା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ପଇଠ ହେବାକୁଥିବା ୧୨ଲକ୍ଷ ୪୫ହଜାର ଟଙ୍କା ବିଲର ଅନୁମୋଦନକାରୀଙ୍କ ଦସ୍ତଖତ ଏବଂ କାଗଜପତ୍ର ଆଦି ଯାଂଚ କରାଯାଇଛି। ତଦନ୍ତ ସାରି ଅଧିକ୍ଷଣ ଯନ୍ତ୍ରୀ ଭୁବନେଶ୍ୱର ଫେରିଥିବାବେଳେ ତାଙ୍କ ତଦନ୍ତ  ରିପୋର୍ଟ ବୌଦ୍ଧ ଗ୍ରାମ୍ୟ ଉନ୍ନୟନସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର ପରେ ସେତୁ ନିର୍ମାଣ ବିଲ ପଇଠରେଥିବା କେଁ ଉପରୁ ପରଦା ହଟିବ ବୋଲି ସୂଚନା ମିଳିଛି।

ପ୍ରକାଶ ଥାଉ କି, ସୁରୁବାଲି ନାଳ ଯୋଗୁଁ ବାହାଲି ଗାଁ ଲୋକେ ବର୍ଷାଦିନେ ଯାତାୟତପାଇଁ ଅସୁବିଧା ଭୋଗୁଥିଲେ। ଏନେଇ ଏକ ଶୀର୍ଷକ ଖବର ପ୍ରଥମେ ସମାଜରେ ପ୍ରକାଶ ପାଇଥିଲା। ଏହାପରେ ୨୦୧୯-୨୦ ଆର୍ଥୀକବର୍ଷରେ ମନରେଗା  ଯୋଜନାରେ ସେତୁ ନିର୍ମାଣ କାର୍ଯ୍ୟ ପଂଚାୟତ ପକ୍ଷରୁ ଆରମ୍ଭହେଲା। ଏଥିପାଇଁ ଉଭୟ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏବଂ ବୌଦ୍ଧ ଜିଲ୍ଲାପାଳଙ୍କ ଅନୁମୋଦନ ମିଳିଥିଲା। ସେତୁ ନିର୍ମାଣ ଯୁଦ୍ଧକାଳିନ ଭିତିରେ ଚାଲିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ମନରେଗା ଯୋଜନାରେ ୨୦ଲକ୍ଷ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୦ ଲକ୍ଷଟଙ୍କା ସମୁଦାୟ ୪୦ଲକ୍ଷ ଟଙ୍କା ବ୍ୟୟବରାଦ ପାଇଁ ପ୍ରସ୍ତାବ ରହିଥିଲା। ପ୍ରଥମ ଦଫାରେ ବ୍ୟୟବରାଦ ହେବାକୁଥିବା ୨୦ଲକ୍ଷଟଙ୍କାରୁ ତିନୋଟି ପର୍ଯ୍ୟାୟରେ ୭ଲକ୍ଷଟଙ୍କାରୁ ଅଧିକ ବିଲ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦସ୍ତଖତରେ ପଇଠ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବାକିଥିବା ୧୨ଲକ୍ଷ୪୫ହଜାର ଟଙ୍କା ବିଲ ପଇଠ ସମୟରେ ବୌଦ୍ଧ ଗ୍ରାମ୍ୟଉନ୍ନୟନ ସଂସ୍ଥା ପକ୍ଷରୁ  ୨୦ଲକ୍ଷ ଟଙ୍କା  କାର୍ଯ୍ୟର ବିଲ ମଞ୍ଜୁର କରିବାର କ୍ଷମତା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ନଥିବା ଦର୍ଶାଇ ବିଲ ପଇଠରେ ତ୍ରୁଟି ଅନିୟମିତତାଥିବା ଦର୍ଶାଗଲା। ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା  ଥିବା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପି.ଡିଙ୍କ ଦୃଷ୍ଟିଗୋଚର ପରେ ସେତୁ କାର୍ଯ୍ୟ ନଥିପତ୍ର ଖୋଳତାଡ ଆରମ୍ଭ ହେଲା। ଏଭଳି ତ୍ରୁଟି ଦର୍ଶାଇ ସେତୁ ନିର୍ମାଣ କାର୍ଯ୍ୟ ବିଲ ପଇଠ ପାଇଁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନସଂସ୍ଥା ପଂଚାୟତିରାଜ ବିଭାଗକୁ ସହମତି ମାଗିଥିବାରୁ ବିଲ ପୌଠରେ କେଁ  ଉପୁଜିଥିଲା। ଯାହା ଫଳରେ ଦୀର୍ଘ ୧୧ମାସ ହେଲା ନିର୍ମାଣ କାର୍ଯ୍ୟ ବନ୍ଦ ହୋଇପଡିଥିବାବେଳେ ସେତୁ କାର୍ଯ୍ୟ ଅଧାବାଟରେ ଅଟକିଛି। ଏହା ସହିତ ଶ୍ରମିକ ମାନେ ମନେରାଗା ପାଉଣା ପାଇବାରୁ ବଂଚିତ ହୋଇରହିଛନ୍ତି। ଗାଁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ଏକ ଉନ୍ନୟନ କାର୍ଯ୍ୟ ଉପରେ ରହିଥିବା ତ୍ରୁଟି ଏବଂ ଅନିୟମିତତାର ତୁରନ୍ତ ସମାଧାନ କରାଯିବାକୁ ଦାବି ହେଉଛି।

Comments are closed.