ଡାକ୍ତର ଅଭାବ, ଦୁଇମାସ ହେଲା କୁଶଙ୍ଗ ହୋମିଓପାଥି ମେଡିକାଲରେ ତାଲା

୨ଟି ପଞ୍ଚାୟତର ୧୦ହଜାର ଲୋକ ହୋମିଓପାଥି ସେବାରୁ ବଞ୍ଚିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦୁର୍ଗମ କୁଶଙ୍ଗ ପଞ୍ଚାୟତ ସଦର ମହକୁମାରେ ଥିବା ଏକ ମାତ୍ର ହୋମିଓପାଥି ମେଡିକାଲ ରହିଛି । ମାତ୍ର ଦୀର୍ଘ ଦୁଇ ମାସ ହେଲା ଡାକ୍ତର ଅଭାବରୁ ମେଡିକାଲରେ ତାଲା ଝୁଲିବା ସହିତ ଦୁଇଟି ଦୁର୍ଗମ ପଞ୍ଚାୟତର ୧୦ ହଜାର ଜନସାଧାରଣ ଏହି ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ପ୍ରକାଶ ଯେ ବ୍ଲକର ଆଭ୍ୟନ୍ତରୀଣ ଅନୁସୂଚିତଜାତି, ଅନୁସୂଚିତ ଜନଜାତି ବହୁଳ କୁଶଙ୍ଗ ଏବଂ ମହାଲ୍ଲିକପଡା ଭଳି ଦୁଇ ପଞ୍ଚାୟତ ଜନସାଧାରଣଙ୍କ ପାଇଁ କୁଶଙ୍ଗଠାରେ ଏକ ହୋମିଓପାଥି ମେଡିକାଲ ରହିଛି। ଦୀର୍ଘ ଦଶବର୍ଷ ହେଲା ମେଡିକାଲରେ ତାଲା ଝୁଲିବା ପରେ ଗତ ଦୁଇବର୍ଷ ହେଲା ଏହା ପୁର୍ନବାର କାର୍ଯ୍ୟକ୍ଷମ ହୋଇଥିଲା। ଏହି ମେଡିକାଲ ଉପରେ ମହାଲ୍ଲିକପଡା ଏବଂ କୁଶଙ୍ଗ ଭଳି ଦୁଇ ପଞ୍ଚାୟତର ଯାବର, ଭାବପୁର, ମହାଲ୍ଲିକପଡା, ବୁଢାଆମ୍ବ, ନୂଆପଡା, ମାରଡା, ଅତଲସରା, ତିରଡ, କୁମାରୀ, କୁଶାସିଙ୍ଗା, ଭଗାମୁଣ୍ଡା, ସାତଖଣ୍ଡ, ହିଞଲ, ଗେରେଡିସାହି, ହାତୀଗଡ ଭଳି ୨୯ଟି ଗ୍ରାମର ପଖାପାଖି ୧୦ହଜାରରୁ ଅଧିକ ଜନସାଧାରଣ ନିର୍ଭର କରନ୍ତି। ମାତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ମେଡିକାଲରେ ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ଟିକିଏ ନାହିଁ। ମେଡିକାଲ ଘର ଅବସ୍ଥା ଅତ୍ୟନ୍ତ ଦୟନୀୟ ।ଏପରିକି ଡାକ୍ତର ବସିବାକୁ ଯାଗା ନଥିବାବେଳେ ଔଷଧ ମଧ୍ୟ ସୁରକ୍ଷିତ ହୋଇ ରହିପାରୁନାହିଁ। ଡାକ୍ତର ବାବୁଙ୍କ ରହିବାକୁ ଘର ନଥିବାରୁ ସପ୍ତାହରେ ମେଡିକାଲ କେବଳ ମଙ୍ଗଳବାର (ସାପ୍ତାହିକ ହାଟଦିନ) ଖୋଲା ହେଉଥିବା ଜଣାପଡିଛି। ମେଡିକାଲର ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଦୁର୍ଗମ ପଞ୍ଚାୟତ ଲୋକଙ୍କୁ ନିରବଛିନ୍ନ ରୋଗୀ ସେବା ମିଳିବାରେ ବ୍ୟତିକ୍ରମ ଦେଖାଦେଇଛି।

prayash

ଏଭଳି ନାହିଁ ନାହିଁ ଅବସ୍ଥାରେ ହୋମିଓପାଥି ମେଡିକାଲଟି ସପ୍ତାହକୁ ଗୋଟିଏ ଦିନ ଚାଲି ଆସୁଥିଲା। ମାତ୍ର ଡାକ୍ତରଙ୍କ ରହିବା, ବସିବା ପାଇଁ ଆନୁସଙ୍ଗିକ ସୁବିଧା ନଥିବାବେଳେ ଡାକ୍ତର ବାବୁଙ୍କ ବଦଳି ପରେ ଦୀର୍ଘ ଦୁଇ ମାସ ହେଲା ମେଡିକାଲରେ ତାଲା ଝୁଲୁଛି। ଫଳରେ ଦୁର୍ଗମ ପଞ୍ଚାୟତର ହଜାର ହଜାର ଜନସାଧାରଣ ଏହି ସେବାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ଜଣେ ନୂତନ ଡାକ୍ତର ନିଯୁକ୍ତି ସହିତ ମେଡିକାଲର ଭିତିଭୂମି ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସମାଜସେବୀ ଭିକାରୀ ଚରଣ ବାଈ ଦାବୀ କରିଛନ୍ତି। ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମୁଁ ସିଡିଏମଓଙ୍କ ସହିତ କଥାହୋଇ ନିଶ୍ଚିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବି ବୋଲି କହିଛନ୍ତି ।

Comments are closed.