www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରାଚୀନ କବିତା ଓ ଆଧୁନିକ କବିତାର ସେତୁ ଥିଲେ ମନୋରମା 

ଆଠଗଡ : ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ଆନୁକୁଲ୍ୟରେ ପ୍ରଖ୍ୟାତ ସାହିତ୍ୟିକା, ବିଶିଷ୍ଟ କବୟିତ୍ରୀ, ପ୍ରଗଲ୍‍ଭା ବକ୍ତା, ଶିକ୍ଷାବିତ୍‍, ସମାଜର ପୂର୍ବତନ ସମ୍ପାଦକ ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ସ୍ୱର୍ଗତ ଡଃ ମନୋରମା ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୋପବନ୍ଧୁ ମହିଳା କଲେଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡଃ ହୁସେନ ରବି ଗାନ୍ଧି ଯୋଗଦେଇ ମନୋରମା ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ପ୍ରାଚୀନ କବିତା ଓ ଆଧୁନିକ କବିତାର ସେତୁବନ୍ଧ ସାଜିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସେ ଥିଲେ ଓଡିଆ ଭାଷାର ଧୂରୀଣ ପଣ୍ଡିତ ଏବଂ ତାଙ୍କର ବିଭିନ୍ନ ଭାଷାଜ୍ଞାନ, ପ୍ରଖର ସ୍ମରଣଶକ୍ତି, ଓଜସ୍ୱିନୀ ଭାଷଣ ଅଦ୍ୱିତୀୟ ଓ ସବୁ ବର୍ଗର ଶ୍ରୋତାଙ୍କୁ ମନ୍ତମୁଗ୍ଧ କରି ଦେଉଥାଏ ବୋଲି ଶ୍ରୀ ଗାନ୍ଧି ପ୍ରକାଶ କରିଥିଲେ। ସେ ହେଉଛନ୍ତି ସମଗ୍ର ଓଡିଶାର ଗର୍ବ ଓ ଗୌରବ ଏବଂ ସେଭଳି ଜଣେ ବିରଳ ପ୍ରତିଭାଙ୍କୁ ହରାଇ ଓଡିଶା ଆଜି ବ୍ୟଥିତ ଓ ମର୍ମାହତ ବୋଲି ଶ୍ରୀ ଗାନ୍ଧୀ ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଶିକ୍ଷାର ବିକାଶ ବିଶେଷ କରି ନାରୀ ଶିକ୍ଷାର ଉନ୍ନତି ପାଇଁ ମନୋରମା ମହାପାତ୍ରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ପ୍ରକାଶ କରିଥିଲେ।

ସବୁଠାରୁ ବଡକଥା ହେଲା ଓଡିଆ ସାହିତ୍ୟରେ ସର୍ବୋଚ୍ଚ ସମ୍ମାନ ପ୍ରଦାନ ଲାଗି ଶ୍ରୀମତୀ ମହାପାତ୍ର ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିବା ସମୟରେ ଅତିବଡି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରିବା ଲାଗି ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସୁପାରିସ କରି ଏଥିରେ ସଫଲ ହୋଇଥିଲେ ବୋଲି ଶ୍ରୀ ଗାନ୍ଧୀ ସ୍ମରଣ କରାଇଦେଇଥିଲେ। ଆଠଗଡରେ ନାରୀଶିକ୍ଷାର ଜାଗରଣ ପାଇଁ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ଓ ଗ୍ରାମାଞ୍ଚଳରେ ବିଦ୍ୟାର୍ଥୀଙ୍କୁ ବିଜ୍ଞାନ ଶିକ୍ଷା ଦେବା ଲାଗି ଖୁଣ୍ଟୁଣୀଠାରେ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ। ଆଠଗଡ ମାଟି ତାର ଜଣେ ସୁଯୋଗ୍ୟା ଓ ଯୋଗଜନ୍ମା କନ୍ୟାଙ୍କୁ ହରାଇଲା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହ ତାଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କର ଭାଷଣ ଓ ସାରସ୍ୱତ କୃତି ବିଷୟରେ ଏକ ବୃତଚିତ୍ର ନିର୍ମାଣ କରାଯିବା ସଙ୍ଗେ ସଙ୍ଗେ ପୂଜ୍ୟପୂଜା ପୀଠରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦକ ତଥା ବିଜ୍ଞାନରେ କଳିଙ୍ଗ ପୁରସ୍କାର ବିଜେତା ପ୍ରମୋଦ କୁମାର ମହାପାତ୍ର ମନୋରମା ମହାପାତ୍ର ଓ ତାଙ୍କ ପିତା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ସହିତ ତାଙ୍କର ଅଭିଜ୍ଞତା ସଂପର୍କରେ ଆଲୋକପାତ କରିବା ସହ ମନୋରମା ମହାପାତ୍ରଙ୍କ ଅନନ୍ୟ ସାରସ୍ୱତ କୃତି ବିଷୟରେ ଆଲୋକପାତ କରିଥିଲେ। ଓଡିଶା ସାହିତ୍ୟ ଜଗତର ଶ୍ରୀମତୀ ମହାପାତ୍ର ଥିଲେ ଏକ ଉଜ୍ଜଳତମ ଜ୍ୟୋତିଷ୍କ ଏବଂ ତାଙ୍କର ପରଲୋକ ହୋଇଥିଲେ ମଧ୍ୟ ତାଙ୍କର ସାରସ୍ୱତ କୃତି ତାଙ୍କୁ ଚିର ଅମର କରି ରଖିବ ବୋଲି ମତବ୍ୟକ୍ତ କରିଥିଲେ। ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଓ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଗୀତା ମହାପାତ୍ର, ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ ଶ୍ୱେତକାନ୍ତ ବେହେରା ଓ ତିଗିରିଆ ସାମ୍ବାଦିକ ସଂଘ ପକ୍ଷରୁ ରାଧାମୋହନ ମହାପାତ୍ର ପ୍ରମୁଖ ମଧ୍ୟ ଶ୍ରୀମତୀ ମହାପାତ୍ରଙ୍କର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ସମସ୍ତ ଅତିଥି ଶ୍ରୀମତୀ ମହାପାତ୍ର, ଅରିନ୍ଦମ ଓ ସୀତାରାମଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି ଓ ବକ୍ତା ଗତ ୨୪ତାରିଖରେ ମୁଣ୍ଡଳି ଠାରେ ଡଙ୍ଗାବୁଡିରେ ମୃତ୍ୟୁବରଣ କରିଥିବା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସ ଓ ଓଡ୍ରାଫର ଗଭୀର ବୁଡାଳି ସୀତାରାମ ମୁର୍ମୁଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘର ସଂପାଦକ ରଶ୍ମିରଞ୍ଜନ ସାହାଣୀ ଅତିଥି ପରଚୟ ପ୍ରଦାନ କରିଥିବାବେଳେ ସଂଘର ସଭାପତି ଯଶୋବନ୍ତ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସାମ୍ବାଦିକ ସଂଘର ସାଧାରଣ ସଂପାଦକ ନୀଳକଣ୍ଠ ଦୋରା ସଭା ସଂଯୋଜନା କରିଥିବାବେଳେ ଉପଦେଷ୍ଟା ସତ୍ୟପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଆଠଗଡ, ତିଗିରିଆ, ବଡମ୍ବା ଓ ନରସିଂହପୁର ସାମ୍ବାଦିକ ସଂଘର ସଭ୍ୟ, କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀବୃନ୍ଦ ଉପସ୍ଥିତ ଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories