ମଣ୍ଡିରେ ଧାନ ବିକି ନପାରି ଚାଷୀ ନିରାଶ

ଆଠଗଡ଼: ଆଠଗଡ଼ ଓ ତିଗିରିଆ ସମେତ ଏହି ଉପଖଣ୍ଡର ସମସ୍ତ ବ୍ଲକରେ ଚଳିତବର୍ଷ ମଣ୍ଡି ଜରିଆରେ ଖରିଫ ଧାନକ୍ରୟ ଏକ ପ୍ରହସନରେ ପରିଣତ ହୋଇଛି। ଆଠଗଡ଼ ଉପଖଣ୍ଡର ୪ଟି ଯାକ ବ୍ଲକ ମଧ୍ୟରେ ଥିବା ପ୍ରାୟ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିରେ ଏହିଭଳି ଅବ୍ୟବସ୍ଥା ଯୋଗୁଁ ପ୍ରତି ସମିତିରେ ଅଧାରୁ ଅଧିକ ପଞ୍ଜୀକୃତ ଚାଷୀ ସେମାନଙ୍କର ବଳକା ଧାନ ବିକ୍ରୟ ନକରିପାରି ନିରାଶ ହୋଇଛନ୍ତି। ପ୍ରତିଦିନ ବିଭିନ୍ନ ସମିତି ଅଧିନରେ ଥିବା ପଞ୍ଜୀକୃତ ଚାଷୀମାନେ ପାଇଥିବା ଟୋକନର ଅବଧି ସରିଯାଉଥିବା ବେଳେ ସେମାନଙ୍କର ଧାନକ୍ରୟ କରାଯାଉନଥିବା ବିଷୟରେ ଅଭିଯୋଗ ଓ ଗୁହାରୀ କରିବା ପାଇଁ ଉପଜିଲ୍ଲାପାଳ, ସହକାରୀ ଯୋଗଣ ଅଧିକାରୀ ଏବଂ ସମବାୟ ସମିତି ସମୂହର ଉପନିବନ୍ଧକ କାର୍ଯ୍ୟାଳୟକୁ ଦୌଡି ଦୌଡି ହନ୍ତସନ୍ତ ହେଉଛନ୍ତି।

ଗୁରୁବାର ତିଗିରିଆ ବ୍ଲକର ସୋମପଡ଼ା ସମବାୟ ସମିତିର ବହୁ ଚାଷୀ ଏହିପରି ସେମାନଙ୍କ ଧାନ କିଣା ଯାଉନଥିବାରୁ ଅଭିଯୋଗ କରିବାକୁ ଆସିଥିବା ବେଳେ ଶୁକ୍ରବାର ସମସରପୁର ସେବା ସମବାୟ ସମିତି ଅଧିନ ସଠିଲୋ-ବାସୁଦେବପୁର ପଞ୍ଚାୟତର ବହୁଚାଷୀ ଅନୁରୂପ ସମସ୍ୟା ନେଇ ଯୋଗାଣ ଅଧିକାରୀ ଓ ଏଆରସିଏସଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ। ସମସରପୁର ସମିତିରେ ପଞ୍ଜିକୃତ ୩୩୦ଚାଷୀଙ୍କ ମଧ୍ୟରୁ ଅଦ୍ୟାବଧି ଫେବୃଆରୀ ମାସ ସରିବାକୁ ବସିଥିବା ବେଳେ ମାତ୍ର ୧୫୧ଚାଷୀ ସେମାନଙ୍କର ଧାନ ବିକ୍ରୟ କରିବାର ସୁଯୋଗ ପାଇଥିବା ବେଳେ ବାକି ୧୭୯ଜଣ ଚାଷୀ ନିରାଶ ହୋଇ ବସିଛନ୍ତି। ସେମାନେ ବାଧ୍ୟ ହୋଇ କମ ଦରରେ ଅଭାବୀ ଧାନ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି। ଆସନ୍ତା ୨୮ତାରିଖ ମଧ୍ୟରେ ବହୁ ଚାଷୀଙ୍କର ଟୋକନ ଅବଧି ଶେଷ ହେଉଥିବାରୁ ସେମାନଙ୍କର ଧାନକ୍ରୟ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାଲାଗି ସେମାନେ ଏସିଏସଓ ଜଗମୋହନ ଦାସ ଓ ଏଆରସିଏସ ଅଶୋକ କୁମାର ପାଣିଙ୍କୁ ଭେଟି ଦାବି ଜଣାଇଛନ୍ତି।

Comments are closed.