ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ନିମନ୍ତେ ଆଠଗଡ଼ ପୁଅ ବୈଜ୍ଞାନିକ ନିଳାଦ୍ରୀ ଦାସ ମନୋନୀତ

ଆଠଗଡ଼: ଆଠଗଡ଼ ମାଟିର ପୁଅ ତଥା ସହରର ପଦ୍ମସାହି ନିବାସୀ ବୈଜ୍ଞାନିକ ଡଃ ନିଳାଦ୍ରୀ ଦାସ ଆମେରିକାର କାଲିଫର୍ଣ୍ଣିଆରେ ଥିବା ବିଶ୍ୱବିଖ୍ୟାତ ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ମନୋନୀତ ହେବା ଖବର ଜଣାପଡ଼ିବା ପରେ ଆଠଗଡ଼ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ତୁଳସୀ ଦୁଇପତ୍ରରୁ ବାସିବା ପରି ନିଳାଦ୍ରୀ ପିଲାଟି ଦିନରୁ ନିଜର ମେଧାଶକ୍ତିର ପରାକାଷ୍ଠା ଦେଖାଇଛନ୍ତି। ଆଠଗଡ଼ସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ +୨ ବିଜ୍ଞାନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉନ୍ନୀତ ହେବା ପରେ ସେହି କଲେଜରେ +୩ ବିଜ୍ଞାନ ପରୀକ୍ଷାରେ ପ୍ରାଣୀବିଜ୍ଞାନ ସମ୍ମାନରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପରେ କିଛିବର୍ଷ ଏକ ଘରୋଇ କମ୍ପାନୀରେ ଚାକିରୀ କରିବା ପରେ ପୁଣି ସୁନ୍ଦରଗଡ଼ ସରକାରୀ କଲେଜରେ ପ୍ରାଣୀ ବିଜ୍ଞାନରେ ସ୍ନାତକୋତ୍ତର ପାଠ ପଢ଼ିବା ସହ ସ୍ନାତକୋତ୍ତର ପରୀକ୍ଷାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ।

ତଦ୍‍ପରେ ଗବେଷଣା ପାଇଁ ସେ ରୁର୍‍କିସ୍ଥିତ ଆଇଆଇଟିରେ ଯୋଗଦାନ କରି ଚଳିତବର୍ଷ ଜାନୁଆରୀରେ ସେ ପିଏଚଡି ହାସଲ କରିଥିଲେ। ଏବେ ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ମେଡିସିନ୍‍ସ୍‍ରେ ଉଚ୍ଚତର ଗବେଷଣା ପାଇଁ ମନୋନୀତ ହୋଇ ଆସନ୍ତା ମାର୍ଚ୍ଚ ୧ତାରିଖରେ ଦିଲ୍ଲୀଠାରୁ ଯୁକ୍ତରାଷ୍ଟ ଆମେରିକାର କାଲିଫର୍ଣ୍ଣିଆ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି। କର୍କଟ ରୋଗୀଙ୍କ ଶରୀର ଉପରେ ବିକିରଣ ଚିକିତ୍ସାର ପ୍ରଭାବ ଉପରେ ସେ ଗବେଷଣା କରିବେ ବୋଲି ନିଳାଦ୍ରୀଙ୍କ ସୁତ୍ରରୁ ପ୍ରକାଶ। ଆମେରିକା ଯିବା ପୂର୍ବରୁ ଗତ ୨୩ତାରିଖରେ ନିଳାଦ୍ରୀ ଆଠଗଡ଼ରେ ପହଞ୍ଚିବା ପରେ ତାଙ୍କୁ ପଦ୍ମସାହି ଉନ୍ନୟନ ପରିଷଦ ସମେତ ଅନ୍ୟ କେତେକ ସଂଗଠନ ପକ୍ଷରୁ ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଓଡ଼ିଶାର ଜଣେ ସୁନାମଧନ୍ୟ ଭଜନ ଗୀତିକାର ରାଧାନାଥ ଦାସଙ୍କର ଜ୍ୟେଷ୍ଠପୁତ୍ର ନିଳାଦ୍ରୀ ତାଙ୍କର ଉଚ୍ଚତର ଗବେଷଣା ତିନିବର୍ଷ ମଧ୍ୟରେ ଶେଷ କରିବା ପରେ ସେହି ବିଷୟରେ ସେ ଶିକ୍ଷାଦାନ କରିବେ ବୋଲି ନିଳାଦ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Comments are closed.