ଆଠଗଡ: ଆଠଗଡ ବ୍ଲକର ୧ନଂ ଜୋନ୍ଟି ୧୦ଟି ପଞ୍ଚାୟତକୁ ନେଇ ଗଠିତ। ଗତ ୨୦୧୭ ନିର୍ବାଚନରେ ଏହି ଜୋନରୁ ଶାସକ ବିଜେଡିର ପ୍ରାର୍ଥୀ ସୁନିଲ କୁମାର ପରିଡା ବିଜୟୀ ହେବା ସହିତ କଟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବୀରେ ଅଧିଷ୍ଠିତ ହୋଇଥିଲେ। ଏହି ୧ନଂ ଜୋନ୍ ଅଧିନରେ ବଡଭୂଇଁ (ଭୋଟର ସଂଖ୍ୟା ୪୨୬୭), ଜେନାପଦାଦେଶ (୪୫୪୫), ଖୁଣ୍ଟକଟା(୬୭୯୪), ଇଚ୍ଛାପୁର(୪୦୪୧), ସମସରପୁର(୫୨୪୩), ସଠିଲୋ(୪୩୧୬), ଦୋରଡ(୪୧୪୯), କୁଲାଇଲୋ(୪୧୪୯), ଜୋରନ୍ଦା(୩୫୩୧) ଓ ତରଡିଙ୍ଗ(ଭୋଟର ସଂଖ୍ୟା ୨୯୬୩) ଆଦି ୧୦ଟି ପଞ୍ଚାୟତର ମୋଟ ୪୩୪୬୭ଜଣ ଭୋଟର ଆଗାମୀ ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।
ଚଳିତ ନିର୍ବାଚନରେ ୧ନଂ ଜୋନ ଜିଲ୍ଲାପରିଷଦ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏଠାରୁ ପ୍ରତିନିଧିତ୍ୱ କରୁଥିବା ସୁନିଲ ପରିଡାଙ୍କର ପୁନଃ ପ୍ରାର୍ଥୀ ହେବା ଆଶା ମଉଳିଯାଇଛି। ତେବେ ଶ୍ରୀ ପରିଡା ଏହି ଆସନରେ ତାଙ୍କ ପତ୍ନୀଙ୍କ ପାଇଁ ଦଳିୟ ଟିକେଟ ଲାଗି ଆଶାୟୀ ଥିବାବେଳେ ଦଳ ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଅଶାନ୍ତି ବେହେରାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଥିବା ନେଇ ଚର୍ଚ୍ଚା ହେଉଛି। ବିରୋଧି ବିଜେପି ଓ କଂଗ୍ରେସ ଆସନ୍ତା ସୋମବାର ସନ୍ଧ୍ୟାସୁଦ୍ଧା ଏହି ଜିଲ୍ଲା ପରିଷଦ ଆସନରେ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବେ ବୋଲି ସେମାନଙ୍କ ଦଳୀୟ ସୁତ୍ରରୁ ଜଣାପଡିଛି।



