ଭୁୁବନେଶ୍ୱର : ସମାନ ଜାତିର ଲୋକ ମାନଙ୍କର ସାଙ୍ଗିଆ ଭିନ୍ନ ହେଲେ ମଧ୍ୟ ସେମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ସାମିଲ କରା ଯାଉ ନାହିଁ। ଯାହା ଫଳରେ ସେମାନେ ସଂରକ୍ଷଣ ଓ ଅନ୍ୟ ବ୍ୟବସ୍ଥାର ଲାଭ ପାଇ ପାରୁ ନାହାନ୍ତି । ଏହା ଉପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ବିଧାନସଭାରେ ଆଜି ମତ ପ୍ରକାଶ ପାଇଛି । ବିଧାୟକ ଭାସ୍କର ମଢେଇଙ୍କ ମୂଳ ପ୍ରଶ୍ନ ଉପରେ ଆଲୋଚନା ବେଳେ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବିଭାଗୀୟ ମନ୍ତ୍ରୀଙ୍କ ବଦଳରେ ଗୃହରେ ଉତ୍ତର ରଖୁଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟ ସରକାର ଏହି ମାମଲାକୁ ଅତ୍ୟନ୍ତ ସମ୍ବେଦନ ସହ ନେଉଛନ୍ତି ଓ ସେମାନଙ୍କୁ କିପରି ଏସସି–ଏସଟି ମାନ୍ୟତା ମିଳିବ ସେ ନେଇ ଲଗାତାର ଚେଷ୍ଟା କରୁଛନ୍ତି । ହେଲେ ଏହି ମାନ୍ୟତା ଦେବା କାମ କେନ୍ଦ୍ର ସରକାରଙ୍କର ବୋଲି ସେ କହିଛନ୍ତି।
ବିଧାୟକ ଭାସ୍କର ମଢେଇ କହିଥିଲେ ଯେ ସମାନ ଜାତିର ଲୋକକୁ ଅନୁସୂଚିତ ଜାତିରେ ସାମିଲ କରା ଯାଇଛି, ହେଲେ ସେହି ଜାତିର ଅନ୍ୟ ସାଙ୍ଗିଆ ଥିବା ଲୋକଙ୍କୁ ଏଥିରୁ ବାଦ ଦିଆ ଯାଇଛି । ବିଧାୟକ ତାରା ପ୍ରସାଦ ବାହିନୀପତି, ବିଷ୍ଣୁ ସେଠୀ, ଭୂପିନ୍ଦର ସିଂହ, ଶଂକର ଓରାମ, ପଦ୍ମନାଭ ବେହେରା ଏହି ମାମଲାରେ ଉଦବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ନିକଟରେ ସଠିକ ଭାବେ ଉତଥାପନ କରିବାକୁ ଦାବି କରିଥିଲେ।
ଏସସି ଓ ଏସଟି ତାଲିକାରେ ସାମିଲ କରା ନ ଯିବାକୁ ନେଇ ବିଧାନସଭାରେ ଉଦବେଗ
Popular Categories



