ଓଡ଼ିଶା କନ୍ଦମୂଳ ଉତ୍ପାଦନରେ ଦେଶରେ ପ୍ରଥମ

କୃଷି-ବ୍ୟବସାୟ ଓ କୃଷି ଉଦ୍ୟୋଗର ସୁଦୃଢ଼ୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟପାଳନ ଓ ସମବାୟ ବିଭାଗ ସମେତ ନାବାର୍ଡକୁ ନେଇ ଏକ କୃଷି ବ୍ୟବସାୟ ଓ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ଖସଡ଼ା ପ୍ରସ୍ତୁତି ପାଇଁ ବୈଠକ ଆହୂତ ହୋଇଯାଇଛି। ଓଡ଼ିଶା କନ୍ଦମୂଳ ଉତ୍ପାଦନରେ ଦେଶରେ ପ୍ରଥମ, କାଜୁରେ ତୃତୀୟ ଏବଂ ଆମ୍ବ ଉତ୍ପାଦନରେ ପଞ୍ଚମ ସ୍ଥାନରେ ରହିଛି। ତେବେ ଆମ୍ବ ଫସଲ ଉପରେ ଅଧିକ ଗୁରୁତ୍ୱ ନଦେଇ ପିଜୁଳି, ଜାମୁକୋଳି, ବରକୋଳି ଆଦି ଫସଲ ଚାଷ କରିବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଚାଷୀଙ୍କୁ ପ୍ରୋତ୍ସାହିତ ଓ ବଜାର ସୃଷ୍ଟି କ୍ଷେତ୍ରରେ ପେଶାଦାର ବ୍ୟକ୍ତିଙ୍କୁ ନିଯୁକ୍ତି ଦେଲେ ମାର୍କେଟିଂ ସଂଯୋଗରେ ଉଲ୍ଲେଖନୀୟ ପ୍ରଗତି ହୋଇପାରନ୍ତା ବୋଲି ପ୍ରସ୍ତାବ ଦିଆଯାଇଥିଲା। ତେବେ ବ୍ୟାଙ୍କ ଋଣ ପ୍ରଦାନରେ ଓଡ଼ିଶା ଦେଶରେ ସର୍ବନିମ୍ନରେ ରହିଥିବା ଦର୍ଶାଇ ଅଧ୍ୟକ୍ଷ ଉଦ୍‌ବେଗ ପ୍ରକାଶ କରିଥିଲେ। ନାବାର୍ଡ ସେ ଦିଗରେ ଅଧିକ ଦୃଷ୍ଟି ଦେବାକୁ କୁହାଯାଇଥିଲା। କର୍ମଚାରୀ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ପେଶାଦାର ଟିମ୍‌ ଗଠନ କରି ଆବଶ୍ୟକୀୟ ସ୍ଥଳକୁ ପଠାଗଲେ ଏହି ସମସ୍ୟାକୁ କିଛିଟା ଏଡାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଥିଲା। ବିଭାଗୀୟ ସଚିବମାନେ ନିଜ ଅଧିନରେ କାର୍ଯ୍ୟରତ ନିର୍ଦେଶକ ଓ ନିଗମର କର୍ମକର୍ତ୍ତାମାନଙ୍କୁ ନେଇ ନିଜ ସ୍ତରରେ ପ୍ରଥମେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି ।

 

କୃଷି ଅର୍ଥନୀତି ପ୍ରଧାନ ଆମ ରାଜ୍ୟ କୃଷିର ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ସତ୍ତ୍ବେ ଆମର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ ନିମ୍ନରେ ରହିଥିବା ଦୃଷ୍ଟିକୋଣରୁ କୃଷି କ୍ଷେତ୍ରକୁ ଅଧିକ ପାରଦର୍ଶୀ ଓ ସୁଦୃଢ଼ କରିବା ଉପରେ ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି। କୃଷି, କୃଷି ଉଦ୍ୟାନ, ମତ୍ସ୍ୟ ପାଳନ ବିଭାଗ ଦୀର୍ଘସୂତ୍ରୀ ଯୋଜନା ପରିବର୍ତ୍ତେ ସ୍ୱଳ୍ପ ମିଆଦୀ ଯୋଜନା ପ୍ରସ୍ତୁତ କରିବା, କାର୍ଯ୍ୟକ୍ରମ ପରିଚାଳନା ଓ ସଫଳତା ହାସଲ ଦିଗରେ ରହିଥିବା ଆହ୍ୱାନ ଓ ସମସ୍ୟା ଉପରେ ଅଧିକ ଦୃଷ୍ଟି ନିକ୍ଷେପ କରିବା ସହିତ କ’ଣସବୁ କରାଯିବା ଆବଶ୍ୟକ ରହିଛି ତାହା ପ୍ରକାଶ କରିବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ସେ ଏହି ବିଭାଗଗୁଡ଼ିକର ନିର୍ଦେଶକମାନେ କ୍ଷେତ୍ରୀୟ ସ୍ତରରେ କି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ତାକୁ କିପରି ସମାଧାନ କରିହେବ ତାହା ଉପସ୍ଥାପନ କରିବା ନିମନ୍ତେ କହିଥିଲେ। ମତ୍ସ୍ୟ ପାଳନ କ୍ଷେତ୍ରରେ ଆମେ ଉନ୍ନତ ପ୍ରଦର୍ଶନ କରିଛୁ ଏପରିକି ମଧୁର ଜଳ ମାଛଚାଷ କ୍ଷେତ୍ରରେ କଳାହାଣ୍ଡି ଜିଲା ମଧ୍ୟ ଉପକୂଳ ଜିଲାଗୁଡ଼ିକଠାରୁ ଭଲ ପ୍ରଦର୍ଶନ କରିଥିବା ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ କହିଥିଲେ। ଏବେ ବାୟୋଫ୍ଲକ୍‌ର ଚାହିଦା ବଢ଼ିବା ଏବଂ ଏହା ସଫଳ ହେବା ସମସ୍ତଙ୍କୁ ଉତ୍ସାହିତ କରିଛି ବୋଲି କହିଥିଲେ। ହୀରାକୁଦ ଜଳଭଣ୍ଡାରରେ ଏହା ବିଶେଷ ସଫଳ ହୋଇଥିବା ଉପସ୍ଥାପନବେଳେ ଦର୍ଶାଯାଇଛି । ସେହିପରି ଉଦ୍ୟାନକୃଷି କ୍ଷେତ୍ରରେ ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଗୁଆ ରହିଥିବା କୁହାଯାଇଛି।
ଆଜିର ଏହି ବୈଠକରେ କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା, କୃଷି ସଚିବ ସୁରେଶ କୁମାର ବଶିଷ୍ଠ, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମତ୍ସ୍ୟ ବିଭାଗ ପ୍ରମୁଖ ସଚିବ ଆର୍‌, ରଘୁପ୍ରସାଦ, କୃଷି ନିର୍ଦେଶକ ଏମ୍‌. ମୁଥୁକୁମାର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ସଦସ୍ୟାସଚିବ ମାନସୀ ନିମ୍ବାଲ, ମତ୍ସ୍ୟ ନିର୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, ଏଜିଏମ୍‌ ନାବାର୍ଡ କମଳ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

Comments are closed.